ଫେସ୍‍ବୁକ୍‍ରେ ଝଗଡ଼ାରୁ ଏସ୍‍ସି/ଏସ୍‍ଟି ମାମଲା, ଜବାବରେ ୭୦ ଦଳିତ ପରିବାରଙ୍କ ନିଆଁ-ପାଣି ବନ୍ଦ

0

ଜୟପୁର : ଫେସ୍‍ବୁକ୍‍ ଝଗଡ଼ାରୁ ଅନୁସୂଚିତ ଜାତି/ଜନଜାତି ଆଇନରେ ଏତଲା ଦିଆଯିବ ଓ ଏହାକୁ ନେଇ ଗ୍ରାମବାସୀ ୭୦ରୁ ଅଧିକ ପରିବାରଙ୍କ ନିଅାଁପାଣି ବନ୍ଦ କରାଯିବା ଭଳି ଏକ ଘଟଣା ରାଜସ୍ଥାନରେ ଚର୍ଚ୍ଚାର ବିଷୟ ହୋଇଛି। ରାଜସ୍ଥାନ ବାଡ଼ମେର ଜିଲାର କାଲୁଡ଼ି ଗ୍ରାମରେ ଏହି ଘଟଣା ଘଟିଛି। କାଲୁଡ଼ି ଗ୍ରାମର ୭୦ ଦଳିତ ପରିବାରଙ୍କ ନିଅାଁ-ପାଣି ବନ୍ଦ କରାଯାଇ ଗ୍ରାମରୁ ବହିଷ୍କୃତ କରାଯାଇଥିବା ଅଭିଯୋଗ ହେବା ପରେ ଏହି ଘଟଣା ପଦାକୁ ଆସିଥିଲା। ସୂଚନା ଅନୁସାରେ କାଲୁଡ଼ି ଗ୍ରାମର ଦଳିତ ଏବଂ ରାଜପୁରୋହିତ ସମାଜର କେତେକ ଯୁବକଙ୍କ ମଧ୍ୟରେ ଫେସ୍‍ବୁକ୍‍ରେ ଏକ ପୋଷ୍ଟକୁ ନେଇ ଝଗଡ଼ା ହୋଇଥିଲା। ଏହାକୁ ନେଇ ଦଳିତଙ୍କ ପକ୍ଷରୁ ଗ୍ରାମର ୧୨ରୁ ୧୩ ଜଣଙ୍କ ବିରୋଧରେ ଏସ୍‍ସି/ଏସ୍‍ଟି ଆଇନରେ ଏତଲା ଦିଆଯାଇଥିଲା। ଏହାପରେ ଗ୍ରାମବାସୀ ପଞ୍ଚାୟତ ଡାକି ପାଖାପାଖି ୭୦ ଦଳିତ ପରିବାରକୁ ସାମାଜିକ ବାସନ୍ଦ କରିଥିଲେ। ସେମାନଙ୍କ ନିଅାଁପାଣି ବନ୍ଦ କରି ଦିଆଯାଇଛି। ଗତ ୭ ଦିନ ହେବ ସେମାନେ ଗ୍ରାମ ଦୋକାନରୁ ସଉଦା କିଣି ପାରୁନାହାନ୍ତି। ଏପରିକି ପୁଲିସ୍‍ ସୁରକ୍ଷା ବଳୟରେ ସେମାନଙ୍କ ପିଲା ସ୍କୁଲ ଯାଉଛନ୍ତି। ଅପରପକ୍ଷରେ ଗ୍ରାମର ରାଜପୁରୋହିତ ସମାଜ ଅଭିଯୋଗ କରିଛି ଯେ ସେମାନଙ୍କୁ ଅକାରଣରେ ବଦନାମ କରାଯାଉଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଗ୍ରାମରେ ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଛି।

Leave A Reply