ନିର୍ଭୟା ଦୋଷୀଙ୍କୁ କ୍ଷମା ଦେବାକୁ ଇନ୍ଦିରା ଜୟସିଂହଙ୍କ ପରାମର୍ଶ, କଟୁ ସମାଲୋଚନା କଲେ ପୀଡ଼ିତାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଦୋଷୀମାନଙ୍କୁ ଫାଶୀଦଣ୍ଡ ଦେବା ଲାଗି ପୀଡ଼ିତାଙ୍କ ମା’ବାପା ସମେତ ସାରା ଦେଶବାସୀ ଚାହିଁ ରହିଥିବାବେଳେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ଏକ ମନ୍ତବ୍ୟ ନୂଆ ବିବାଦ ସୃଷ୍ଟି କରିଛି। ସମସ୍ତ ଦୋଷୀଙ୍କୁ କ୍ଷମା କରିଦେବା ଲାଗି ଇନ୍ଦିରା ଜୟସିଂହ ନିର୍ଭୟାଙ୍କ ମା’ଙ୍କୁ ପରାମର୍ଶ ଦେଇଛନ୍ତି। ଜଣେ ମହିଳା ଓକିଲଙ୍କ ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଉତ୍ତେଜିତ ହୋଇପଡ଼ିବା ସହିତ ଇନ୍ଦିରାଙ୍କୁ ପ୍ରଶ୍ନ କରିଛନ୍ତି, ଯଦି ଆପଣଙ୍କ ଝିଅ କିମ୍ବା ଆପଣଙ୍କ ସହିତ ଏଭଳି କାଣ୍ଡ ଘଟିଥାନ୍ତା, ତେବେ କ’ଣ ଆପଣ ଏହା କହିଥାନ୍ତେ ?

ନିର୍ଭୟାଙ୍କ ମା’ କହିଛନ୍ତି, ଇନ୍ଦିରା ଜୟସିଂହ ମୋତେ ପରାମର୍ଶ ଦେବାକୁ କିଏ ? ଭଗବାନ କହିଲେ ବି ଦୋଷୀଙ୍କ କ୍ଷମା ଦେବି ନାହିଁ। ପୂରା ଦେଶ ନିର୍ଭୟା ଦୋଷୀମାନଙ୍କୁ ଫାଶୀଖୁଣ୍ଟରେ ଝୁଲିବା ଦୃଶ୍ୟ ଦେଖିବାକୁ ଚାହୁଁଛନ୍ତି। କିନ୍ତୁ ଏଭଳି ବ୍ୟକ୍ତିମାନଙ୍କ ପାଇଁ ବଳାତ୍କାର ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ। ସେ ଆହୁରି କହିଥିଲେ ଯେ, ମୋତେ ବିଶ୍ଵାସ ହେଉନାହିଁ ଯେ ଇନ୍ଦିରା ଜୟସିଂହ ଏଭଳି କଥା କହିବାକୁ କିପରି ସାହସ କଲେ। ମାମଲାର ଶୁଣାଣି ସମୟରେ ମୁଁ ତାଙ୍କୁ ଅନେକ ଥର କୋର୍ଟରେ ଭେଟିଛି। କିନ୍ତୁ ସେ କେବେ ମୋର ଅବସ୍ଥା ଥରେ ହେଲେ ପଚାରି ବୁଝିନାହାନ୍ତି। କିନ୍ତୁ ଏବେ ଦୋଷୀମାନଙ୍କୁ କ୍ଷମା କରିଦେବା କଥା କହୁଛନ୍ତି। ଏଭଳି ବ୍ୟକ୍ତି ବଳାତ୍କାରକୁ ସମର୍ଥନ କରି ନିଜ ଜୀବନଯାପନ କରୁଛନ୍ତି, ଯେଉଁଥିପାଇଁ ଏଭଳି ଅପରାଧକୁ ରୋକାଯାଇପାରୁ ନାହିଁ।

Comments are closed.