କଳଙ୍କ ନେଲାନି କାଳିଆ !

ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପରେ ସୁପ୍ରିମ୍‍ କୋର୍ଟ ରୋକ୍‍ ଲଗାଇ ଦେଲେ। ଅନେକେ ରଥଯାତ୍ରା ହେବା ସପକ୍ଷରେ ଥିଲେ। କେହିକେହି ସେବକ କହୁଥିଲେ ଯେ ରଥଯାତ୍ରା ନହେଲେ କଳଙ୍କ ଲାଗିଯିବ। ହେଲେ କାଳିଆ ଜାଣେ କଳଙ୍କ କାହାକୁ କହନ୍ତି। ଦ୍ୱାପରଯୁଗର ହଟିଆ ନାଗରକୁ କଳଙ୍କ ବିଷୟରେ ଶିକ୍ଷାଦେବ କଳିର ଛାର ମଣିଷ ? ଭାବବିନୋଦିଆ ତା’ର ରଙ୍ଗ ଦେଖାଇଦେଲା। ବୁଝାଇଦେଲା ଯେ ରଥଯାତ୍ରା ବନ୍ଦ ହେଲେ କଳଙ୍କ ଲାଗିବନି, ବରଂ ହୋଇଥିଲେ କଳଙ୍କ ଲାଗିଥା’ନ୍ତା। ସାରା ବିଶ୍ୱ ଯେତେବେଳେ ମହାମାରୀ ସହ ଲଢୁଛି ସେତେବେଳେ ବିଶ୍ୱନିୟନ୍ତା କେମିତି ରଥରେ ବସି ଆନନ୍ଦରେ ଯାଇଥାନ୍ତା ମାଉସୀ ଘରକୁ ପୋଡ଼ପିଠା ଖାଇବାକୁ?

କାଳିଆ କ’ଣ କେବଳ କେଇହଜାର ବା ଲକ୍ଷ ଲୋକଙ୍କ ଠାକୁର? ଆମେରିକା, ଇଟାଲୀ, ବ୍ରାଜିଲ, ରୁଷ, ମୁମ୍ବଇରେ ବା ଦିଲ୍ଲୀରେ ମହାମାରୀ ସହ ଲଢୁଥିବା ଲୋକ ତା’ର ଭକ୍ତ ନୁହନ୍ତି? ସେମାନଙ୍କର ଏଇ ଦୁର୍ଦିନରେ ଭକ୍ତବନ୍ଧୁ କେମିତି ଆଡ଼ମ୍ବର କରି ଆସିଥା’ନ୍ତା ରଥ ଉପରକୁ? କେମିତି ମନ ଖୁସି କରିବାକୁ ବୁଲି ଯାଇଥା’ନ୍ତା? ଏହା ହୋଇଥିଲେ ତା’ର ଦୀନବନ୍ଧୁ ନାମରେ କଳଙ୍କ ଲାଗି ନଥା’ନ୍ତା?? କେଇଜଣଙ୍କ ଲାଗି ଆଖିବୁଜି ଦେଇଥା’ନ୍ତା? ଭାବର ଠାକୁର ସିଏ। ସାରା ବିଶ୍ୱର ଭକ୍ତର ହୃଦୟର ଭାବ ଜାଣେ। ଆଜି ତା’ର ଭକ୍ତ ଯେତେବେଳେ ଭୂତାଣୁ କବଳରେ ପଡ଼ି ଜୀବନ ହାରୁଛି ସେତେବେଳେ ଭକ୍ତାଧୀନ ପ୍ରାଣ ତା’ର କାନ୍ଦିବ ନାହିଁ? ସେ ଯଦି ରଥରେ ବସି ଯାଇଥା’ନ୍ତା ତେବେ ବୋଧହୁଏ କାଳକାଳକୁ କଳଙ୍କ ମୁଣ୍ଡାଇଥାନ୍ତା କାଳିଆ।
କାଠର ରଥ ନୁହେଁ, ତାର ଲୋଡ଼ା ଭାବର ରଥ। ଯେଉଁରଥ ଦିନେ ଗଢ଼ିଥିଲେ ଶରଧା ବାଲିରେ ଭକ୍ତ ବଳରାମ ଦାସ। ନନ୍ଦିଘୋଷ ଛାଡ଼ି ଧାଇଁ ଯାଇଥିଲା ସିଏ ବାଲିରଥକୁ। ପରମ୍ପରା, ପୂଜା, ପଦ୍ଧତିଠାରୁ ବହୁ ଦୂରରେ ସିଏ। ଭାବରେ ବନ୍ଧା। କାଳ ଯାହାର ଅଧୀନ ସେ କ’ଣ ନିର୍ଦିଷ୍ଟ ସମୟର ନିର୍ଦିଷ୍ଟ କର୍ମକାଣ୍ଡର ସୀମାରେ ରହିପାରିବ? ପରମ୍ପରା ଭାଙ୍ଗିବା ତା’ର ଅଭ୍ୟାସ। ଗୋପପୁରରେ ଗୋପାଳ ବାଳକଙ୍କ ମେଳରେ ସେହିଁ ପ୍ରଥମେ ଇନ୍ଦ୍ରଦେବତାର ପୂଜାର ପରମ୍ପରା ଭାଙ୍ଗିଥିଲା। ପ୍ରକୃତିର ଉପାସନାର ମହାଶିକ୍ଷା ପ୍ରଦାନ କରିଥିଲା ଗୋପବାସୀଙ୍କୁ। ଇନ୍ଦ୍ରଙ୍କର ଅହଂକାର ଚୂର୍ଣ୍ଣ କରିଥିଲା। ସୃଷ୍ଟିର ନିୟନ୍ତା ସେ। ତେଣୁ ତା’ ଲାଗି ପ୍ରଥମେ ସୃଷ୍ଟି, ପ୍ରଥମେ ଜୀବନ, ତା’ ପରେ ପରମ୍ପରା ଓ ଶେଷରେ ତା’ର ନିଜର ବ୍ୟକ୍ତିଗତ ଲୀଳାଖେଳା। ସେ ସବୁବେଳେ ଜଣାଇ ଦେବାକୁ ଚାହେଁ ପ୍ରକୃତି ସହ ଖେଳିଲେ ତାର ଦଣ୍ଡ ଅବଶ୍ୟ ଭୋଗିବାକୁ ପଡ଼ିବ।

ପୁଣି ଶୁଣାଗଲା ମହାପ୍ରଭୁଙ୍କ ରଥଯାତ୍ରା ନହେଲେ ଠାକୁର ଅଣସର ଘରୁ ବାହାରି ପାରିବେନି। ଅର୍ଥାତ୍‍ ନବଯୌବନ ପ୍ରାପ୍ତ ହେବେନି। ଲୌକିକ ଲୀଳାର ଦ୍ୱାହି ଦେଇ ବ୍ରହ୍ମାଣ୍ଡ ଠାକୁରକୁ ଆମେ କେତେ ଛୋଟ କରିଦେଉଛୁ ସତେ!! ବାଲ୍ୟ, ଯୌବନ ଆଉ ଜରା ଏସବୁ ସେ ମଣିଷକୁ ଦେଇଛି। କାଳିଆର ନବଯୌବନ, ରଥଯାତ୍ରା ଏସବୁ ମାନବୀୟ ଲୀଳା। ଏହାର କୌଣସି ସଂପର୍କ ନାହିଁ ଶୁଭ ଅଶୁଭ ସହିତ। ତା’ର ଇଚ୍ଛା କେବଳ ତା’କୁ ହିଁ ଜଣା।

ଯେଉଁମାନେ ରଥଯାତ୍ରା ହେଉ ବୋଲି ଚାହୁଁଥିଲେ ସେମାନେ ଭକ୍ତିରେ ନୁହେଁ, ସ୍ୱାର୍ଥରେ ଓ କିଛିଲୋକ ଭୟରେ ହିଁ ଏହା କହିଆସୁଥିଲେ। ମାତ୍ର ମଣିଷ ଭୁଲିଯାଇଛି ସଂସାରରେ ଆମ କଳାସାଆନ୍ତ ହେଉଛନ୍ତି ଏକମାତ୍ର ଠାକୁର ଯିଏ ଭୟ ନୁହେଁ, ପ୍ରେମର ଡୋରରେ ବନ୍ଧା। ତାଙ୍କୁ ଭଲପାଇଲେ ସେ ନୀଳକନ୍ଦର ଛାଡ଼ି ଧାଇଁ ଆସିବେ ଭକ୍ତର କୁଡ଼ିଆ ଘରକୁ। ଯେମିତି ଦିନେ ଧାଇଁ ଯାଇଥିଲେ ଦୁର୍ଯ୍ୟୋଧନର ରାଜପ୍ରାସାଦ ଛାଡ଼ି ବିଦୁର ଘରକୁ। ଯେମିତି ଭାବରେ ଖାଇଥିଲେ ଶବରୀର ଅଇଁଠା କୋଳି। ଆଜି ମଣିଷ ଠାକୁରଙ୍କୁ ଭଲ ପାଉଛି ନିଜ ସ୍ୱାର୍ଥ ଲାଗି। ନିଜର ହାନି ନପହଞ୍ଚୁ , ସେଇଥିଲାଗି ପରମ୍ପରା ନାଁରେ ସବୁକିଛି ସ୍ୱାର୍ଥ ସାଧନ ଲାଗି କରୁଛି। ଏକଥା କାଳିଆ ଠାକୁରଙ୍କୁ ବେଶ୍‍ ଜଣା। ସେଇଥିଲାଗି ରଥଯାତ୍ରାର କଳଙ୍କ ମୁଣ୍ଡାଇବାକୁ ଚାହିଁଲେନି ମହାପ୍ରଭୁ !!!

Comments are closed.