ବିଦେଶରୁ ଜେଇଇ-ନିଟ୍‌ ପରୀକ୍ଷାର୍ଥୀଙ୍କୁ ଫେରାଇ ଅଣାଯାଉ

ନୂଆଦିଲ୍ଳୀ : ସେପ୍ଟେମ୍ବର ୬ ଓ ୧୩ରେ ହେବାକୁ ଥିବା ଇଞ୍ଜିନିୟରିଂ ଓ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜେଇଇ, ନିଟ୍‌ ପାଇଁ ବିଦେଶରେ କୌଣସି ପରୀକ୍ଷା କେନ୍ଦ୍ର କରାଯାଇ ନାହିଁ; ତେଣୁ ବିଦେଶରେ ଥିବା ପ୍ରାର୍ଥୀଙ୍କୁ ବନ୍ଦେ ଭାରତ ଅଭିଯାନରେ ବିମାନ ଯୋଗେ ସ୍ବଦେଶ ଫେରାଇଆଣି ପରୀକ୍ଷା ଦେବାର ସୁଯୋଗ ଦିଆଯାଉ। ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ଏହି ନିର୍ଦେଶ ଦେଇଛନ୍ତି।

ଏନ୍‌ଟିଏ ପକ୍ଷରୁ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ​‌ଶେଷ ହୋଇଥିବା ଏବଂ ଏହା କସ୍ମିନ କାଳେ ସ୍ଥଗିତ ରଖାଯିବ ନାହିଁ ବୋଲି ସ୍ପଷ୍ଟ କରାଯିବା ପରେ କେରଳର ଜଣେ ସାମାଜିକ କର୍ମୀ ଆଇନଜୀବୀ ହରୀଶ ବିରାନଙ୍କ ମାଧ୍ୟମରେ ଦୁବାଇ ଓ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶରେ ଥିବା ଆବେଦନକାରୀଙ୍କ ସ୍ବାର୍ଥରକ୍ଷା ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ସେ ବିଦେଶରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରିବା କିମ୍ବା ସେଠାରେ ବିଭିନ୍ନ କାରଣରୁ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ସ୍ବଦେଶ ଫେରାଇ ଅଣାଯିବାର ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିର୍ଦେଶ ଦେବାକୁ ସେ ଦାବି କରିଥିଲେ। ଏ ସଂକ୍ରାନ୍ତ ଆବେଦନ ଉପରେ ବିଚାର କରି ସୁପ୍ରିମକୋର୍ଟ ବିଚାରପତି ଏଲ୍‌. ନାଗେଶ୍ବର ରାଓ ଅଧ୍ୟକ୍ଷ ଥିବା ପୀଠ କାହିଁକି ଅନ୍‌-ଲାଇନ୍‌ ପରୀକ୍ଷା କରାଯାଇପାରିବ ନାହିଁ ବୋଲି ପ୍ରଶ୍ନ କରିଥିଲେ; କିନ୍ତୁ ପୂର୍ବରୁ ଏମ୍‌ସିଆଇ କେବଳ କାଗଜ-କଲମରେ ଏହି ପରୀକ୍ଷା ହେବ ବୋଲି ଜଣାଇଥିବାରୁ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହତା ବିମାନ ଆୟୋଜନ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପୀଠକୁ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.