ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ଆଗତ ପିଟିଶନ ଖାରଜ କଲେ ସୁପ୍ରିମକୋର୍ଟ

ଜାମ୍ମୁ: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବାକୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ପାଇଁ ଦାବି କରି ଆଗତ ଏକ ପିଟିଶନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ସରକାରଙ୍କ ରାୟଠାରୁ ଭିନ୍ନ ରାୟ ରଖୁଥିବା ବିଚାରର ଅଭିବ୍ୟକ୍ତିକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ବିଚାରପତି ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଆଗତ ଜନସ୍ବାର୍ଥ ମାମଲା ଉପରେ ବିଚାର କରିବାକୁ ମନା କରିବା ସହିତ ସରକାରଙ୍କ ନିଷ୍ପତ୍ତିଠାରୁ ଭିନ୍ନ ବିଚାରର ଅଭିବ୍ୟକ୍ତି କରୁଥିବା ବ୍ୟକ୍ତିଙ୍କୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ। ଏହା ସହିତ ଖଣ୍ଡପୀଠ ଫାରୁକ ଅବଦୁଲ୍ଲାଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ କରି ନ ପାରିବାରୁ ଆବେଦନକାରୀଙ୍କ ଉପରେ ୫୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି।

ଆବେଦନକାରୀ ଅଭିଯୋଗ କରିଥିଲେ ଯେ, ଅବଦୁଲ୍ଲା ଅନୁଚ୍ଛେଦ ୩୭୦କୁ ନେଇ ଭାରତ ବିରୋଧୀ ଚୀନ ଏବଂ ପାକିସ୍ତାନର ସହାୟତା ମାଗିଥିଲେ। ଏହି ଅଭିଯୋଗକୁ ନ୍ୟାଶନାଲ କନ୍‌ଫରେନ୍ସ ଖଣ୍ଡନ କରିଥିଲା। ଦଳ ପକ୍ଷରୁ କୁହାଯାଇଥିଲା ଯେ, ଅବଦୁଲ୍ଲା କେବେ ବି କହିନାହାନ୍ତି ଯେ ଚୀନ ସହିତ ମିଶି ଆମେ ଅନୁଚ୍ଛେଦ ୩୭୦କୁ ପୁଣି ଥରେ ଫେରାଇ ଆଣିବୁ। ତାଙ୍କ ମନ୍ତବ୍ୟକୁ ଭୁଲ ଭାବେ ଓଲଟପାଲଟ କରି ଉପସ୍ଥାପନ କରାଯାଇଛି।

Comments are closed.