ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ପେରାରିଭାଲାନ ମୁକ୍ତ

ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏ ଜି ପେରାରିଭାଲାନଙ୍କୁ ମୁକ୍ତ କରିବା ଲାଗି ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଯେକୌଣସି ମାମଲା କିମ୍ବା ବିଚାରାଧୀନ ମାମଲାରେ ସମ୍ପୂର୍ଣ୍ଣ ନ୍ୟାୟ ଦେବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇପାରିବାର ବ୍ୟବସ୍ଥା ରହିଛି।

ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ ଏବଂ ବିଆର ଗାଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟପାଳ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିଥାନ୍ତି। ଖଣ୍ଡପୀଠ କହିଛନ୍ତି ଯେ ତାମିଲନାଡୁର ରାଜ୍ୟପାଳ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ତାମିଲନାଡୁ ମନ୍ତ୍ରୀ ପରିଷଦ ଦେଇଥିବା ସହାୟତା ଏବଂ ପରାମର୍ଶ ମାନିବାକୁ ବାଧ୍ୟ ହୋଇଥିଲେ। ୨୦୧୮ ସେପ୍ଟେମ୍ବରରେ ତାମିଲନାଡୁ ସରକାରଙ୍କ ସୁପାରିଶ ଆଧାରରେ ପେରାରିଭାଲାନ୍ ଜେଲରୁ ମୁକ୍ତି ପାଇବା ଲାଗି ଆବେଦନ କରିଥିଲେ।

ସର୍ବୋଚ୍ଚ ଅଦାଲତ ତାଙ୍କ ରାୟରେ କହିଛନ୍ତି ଯେ ପେରାରିଭାଲାନଙ୍କ ଦୟା ନିବେଦନକୁ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ପାଇଁ ରାଜ୍ୟପାଳଙ୍କ ନିଷ୍ପତ୍ତିର କୌଣସି ସାମ୍ବିଧାନିକ ସମର୍ଥନ ନାହିଁ। ଜେଲରେ ଥିବା ବେଳେ ତାଙ୍କର ଭଲ ଆଚରଣ, ସ୍ୱାସ୍ଥ୍ୟ ଅବସ୍ଥା, ଶିକ୍ଷାଗତ ଯୋଗ୍ୟତା ଏବଂ ତାମିଲନାଡୁ ରାଜ୍ୟପାଳଙ୍କ ନିକଟରେ ତାଙ୍କର ଦୟା ଆବେଦନକୁ ବିଚାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପେରାରିଭାଲାନଙ୍କୁ ମୁକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୧ ମେ’ ୨୧ରେ ଏକ ନିର୍ବାଚନ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ତାମିଲନାଡୁର ଶ୍ରୀପେରୁମ୍ବୁଦୁର ଠାରେ ହତ୍ୟା କରାଯାଇଥିଲା। ପେରାରିଭାଲାନ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଓ ସେ ଆତ୍ମଘାତୀ ବୋମାରେ ବ୍ୟବହାର ପାଇଁ ଦୁଇଟି ୯ ଭୋଲ୍ଟ ବ୍ୟାଟେରୀ କିଣିଥିବା ଅଭିଯୋଗ ହୋଇଥିଲା।

Comments are closed.