୩ କୋଟି ରେସନ କାର୍ଡ ବାତିଲ ନେଇ ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କଠୁ ଜବାବ ଲୋଡ଼ିଲେ

ନୂଆଦିଲ୍ଲୀ: ଆଧାର କାର୍ଡ ସଂଯୋଗ ନ କରିବା କାରଣରୁ କେନ୍ଦ୍ର ସରକାର ୩କୋଟି ହିତାଧିକାରୀଙ୍କ ରେସନ କାର୍ଡ ବାତିଲ କରିଦେଇଛନ୍ତି। ଏ ସମ୍ପର୍କିତ ଏକ ପିଆଇଏଲ୍‌ (ଜନସ୍ବାର୍ଥ ମାମଲା)ର ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ଏହାକୁ ଗୁରୁତ୍ବର ସହ ନେବା ପୂର୍ବକ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ କହିଛନ୍ତି ଯେ ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ। ଜଷ୍ଟିସ୍‌ ବୋବଡେ କହିଛନ୍ତି, ଆମେ ଏହି ସମସ୍ୟାକୁ ଏବେ ନିଜ ହାତରେ ଦେଖୁଛୁ ଏବଂ ମୁଁ ବମ୍ବେ ହାଇକୋର୍ଟରେ ଏହି ପ୍ରକାରର ଅନେକ ମାମଲାର ସାମ୍ନା କରିଛି ଏବଂ ମୁଁ ଭାବୁଛି ଏହି ମାମଲା ସଂପୃକ୍ତ ରାଜ୍ୟର ହାଇକୋର୍ଟରେ ଦାଖଲ ହେବା ଉଚିତ୍‌। ଝାଡଖଣ୍ଡ ସିମଡୋଗା ଜିଲାର ଦଳିତ ମହିଳା କୋଇଲି ଦେବୀଙ୍କ ପକ୍ଷରୁ ହୋଇଥିବା ଏହି ଆବେଦନ ଉପରେ ଯୁକ୍ତି ରଖି ବରିଷ୍ଠ ଓକିଲ କୋଲିନ ଗୋନସାଲଭେସ୍‌ କହିଥିଲେ ଯେ ଏହି ପିଟିସନକୁ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଚାର କରାଯାଉ। ଗୋଲସାଭେସ୍ କହିଥିଲେ ଯେ କେନ୍ଦ୍ର ସରକାର ଏହିସବୁ ରେସନ କାର୍ଡକୁ ବାତିଲ କରିଛନ୍ତି। ଦେଶରେ ଲୋକେ ଅନାହାରରେ ମୃତ୍ୟୁବରଣ କରିଥିବାବେଳେ ସରକାର ରେସନ କାର୍ଡ ବାତିଲ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାକୁ ଅନ୍ୟ କୌଣସି ଦିନ ଶୁଣାଣି କରିବାକୁ କହିଛନ୍ତି। ତେବେ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି ଗୋନସାଲଭେସଙ୍କ ଯୁକ୍ତିକୁ ଭୁଲ୍ ବୋଲି କହିଥିଲେ। ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏହା କୌଣସି ବିରୋଧାତ୍ମକ ପିଟିସନ ନୁହେଁ। ଏହାକୁ ଆମେ ସାମଗ୍ରିକ ଭାବେ ଶୁଣାଣି କରିବୁ। ଆଧାର ପ୍ରସଙ୍ଗରେ ଆମେ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛୁ।
ପିଆଇଏଲ୍ ଦାୟରକାରୀ ଦେବୀଙ୍କର ୧୧ବର୍ଷର ଝିଅ ସନ୍ତୋଷୀ ଅନାହାରରେ ପ୍ରାଣ ହରାଇଥିଲେ। ୨୦୧୭ ମାର୍ଚ୍ଚରେ ସନ୍ତୋଷୀଙ୍କ ରେସନ କାର୍ଡକୁ ସ୍ଥାନୀୟ କର୍ତ୍ତୃପକ୍ଷ ଆଧାର ସଂଯୋଗ ନ ହୋଇଥିବା କାରଣରୁ ବାତିଲ କରିଦେଇଥିଲେ। ଫଳରେ ସନ୍ତୋଷୀଙ୍କ ସହିତ ତାଙ୍କର ସମ୍ପୂର୍ଣ୍ଣ ପରିବାର ଅନାହାରରେ ରହିଆସୁଥିଲେ। ସନ୍ତୋଷୀଙ୍କ ଭଉଣୀ ଗୁଡିଆ ଏହି ପିଆଇଏଲ୍‌ର ଅନ୍ୟତମ ଆବେଦନକାରୀ। ସନ୍ତୋଷଙ୍କର ମୃତ୍ୟୁ ଦିନ ତାଙ୍କ ମା କୋଇଲି ଦେବୀ କେବଳ ତାଙ୍କୁ ଲୁଣ ଚା’ ଟିକେ ଦେବାକୁ ସକ୍ଷମ ହୋଇଥିଲେ। ସେଦିନ ତାଙ୍କ ରୋଷେଇ ଘରେ କିଛି ନଥିଲା।

Comments are closed.