ଶୁଣାଣିର ସିଧା ପ୍ରସାରଣ ମାମଲା : ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

0

ନୂଆଦିଲ୍ଲୀ : ଅଦାଲତରେ ମାମଲା ଶୁଣାଣିର ସିଧାପ୍ରସାରଣ ସମ୍ବନ୍ଧୀୟ କେତେକ ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରିଥିବାବେଳେ ଏହାର ରାୟ ସଂରକ୍ଷିତ ରଖିଛନ୍ତି। ଏକ ପ୍ରୟୋଗିକ ପରିଯୋଜନା କ୍ରମେ ପ୍ରଧାନ ବିଚାରପତିଙ୍କ କୋର୍ଟରେ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକର ଶୁଣାଣିର ସିଧାପ୍ରସାରଣ କରାଯାଇ ପାରିବ ବୋଲି ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳ କୋର୍ଟଙ୍କୁ ଅବଗତ କରିଥିଲେ। ସୁପ୍ରିମକୋର୍ଟ ଏହାକୁ ବିଚାରକୁ ନେଇ ଉପଯୁକ୍ତ ରାୟ ପ୍ରଦାନ କରିବେ ବୋଲି ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ. ଏମ୍‍. ଖାନ୍‍ୱିଲକର ଓ ଡି.ୱାଇ ଚନ୍ଦ୍ରଚୂଡଙ୍କ ପୀଠ କହିଛନ୍ତି। ପ୍ରୟୋଗିକ ପରିଯୋଜନା ସଫଳ ହେଲେ ଦେଶର ଅନ୍ୟ କୋର୍ଟଗୁଡିକରେ ମଧ୍ୟ ଶୁଣାଣିର ସିଧାପ୍ରସାରଣ ଆରମ୍ଭ ହୋଇପାରିବ ବୋଲି ବେଣୁଗୋପାଳ କହିଛନ୍ତି। ଶୁଣାଣି ବେଳେ କୋର୍ଟ ଗୃହରେ ଉପସ୍ଥିତି ଜଣେ ଓକିଲ ମାମଲାର ସିଧାପ୍ରସାରଣ ପ୍ରସ୍ତାବକୁ ବିରୋଧ କରିଥିଲେ। ଏହାଦ୍ୱାରା ବିଚାର ପ୍ରକ୍ରିୟା ପ୍ରଭାବିତ ହେବ ଏବଂ ମିଥ୍ୟା ଖବର ପ୍ରସାରଣ ବୃଦ୍ଧି ପାଇବ ବୋଲି ସେ ଦର୍ଶାଇଥିଲେ। ଏହି ପରିପ୍ରେକ୍ଷୀରେ ପୀଠ କହିଥିଲେ ସୁପ୍ରିମକୋର୍ଟ ମୁକ୍ତ ଅଦାଲତ ଉପରେ ବିଚାର କରୁଛନ୍ତି, ଯାହାଦ୍ୱାରା କୋର୍ଟ ଗୃହରେ ଭିଡ଼ ଜମିବ ନାହିଁ। ଅନ୍ୟପଟେ ଶୁଣାଣିର ସିଧା ପ୍ରସାରଣ ଦ୍ୱାରା ଆଇନ ଛାତ୍ରଛାତ୍ରୀମାନେ ଉପକୃତ ହେବେ। ମାମଲାର ସିଧାପ୍ରସାରଣ ପ୍ରସ୍ତାବ ସମୟର ଆହ୍ୱାନ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ଦର୍ଶାଇଥିଲେ। ଆଇନ ଛାତ୍ର ସ୍ୱପ୍ନିଳ ତ୍ରିପାଠୀ ଏବଂ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଏହି ଶୁଣାଣି ଜାରି ରହିଛି।

Leave A Reply