ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ନେଲେ ୩ ନ୍ୟାୟମୂର୍ତ୍ତି

0

ନୂଆଦିଲ୍ଲୀ : ଜଷ୍ଟିସ୍‍ ଇନ୍ଦିରା ବାନାର୍ଜୀ, ଜଷ୍ଟିସ୍‍ ବିନୀତ ଶରଣ ଏବଂ ଜଷ୍ଟିସ୍‍ କେ. ଏମ୍‍. ଯୋଶେଫ୍‍ ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥପାଠ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ଦର୍ଶାଯାଇଥିବା ବରିଷ୍ଠତା କ୍ରମରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ବାନାର୍ଜୀ ପ୍ରଥମେ ପଦ ଓ ଗୋନୀୟତାର ଶପଥ ପାଠ କରିଥିଲେ। ତାଙ୍କ ପରେପରେ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଯଥାକ୍ରମେ ସରଣ ଓ ଯୋଶେଫ୍‍ ଶପଥ ଗ୍ରହଣ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଭାବେ ସେମାନଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତିଙ୍କ ନିର୍ଦେଶନାମାକୁ ରେଜିଷ୍ଟ୍ରାର ଜେନେରାଲ୍‍ ପାଠ କରିଥିଲେ। କେନ୍ଦ୍ର ସରକାର ଜଷ୍ଟିସ୍‍ ଯୋଶେଫ୍‍ଙ୍କ ବରିଷ୍ଠତା ହ୍ରାସ କରିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ବିଚାରପତିମାନେ ଅସନ୍ତୁଷ୍ଟ ଥିବା ବେଳେ ଏ ସମ୍ବନ୍ଧରେ ଶପଥ ଗ୍ରହଣ ସମାରୋହ ପରେ ଆଲୋଚନା ହେବ ବୋଲି ପ୍ରଧାନ ବିଚାରପତି କହିଥିଲେ। ମଙ୍ଗଳବାର ଶପଥ ଗ୍ରହଣ ପୃଷ୍ଠଭୂମିରେ ଜଷ୍ଟିସ୍‍ ରଞ୍ଜନ ଗୋଗୋଇଙ୍କ ଅନୁପସ୍ଥିତରେ ସୁପ୍ରିମକୋର୍ଟ କଲେଜିୟମ୍‍ ଅନ୍ୟ ସଦସ୍ୟ ବିଚାରପତିମାନଙ୍କ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ଅନୌପଚାରିକ ଆଲୋଚନା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି।
ଉଲ୍ଲେଖ ଯେ, ଜଷ୍ଟିସ୍‍ ଯୋଶେଫ୍‍ଙ୍କୁ ପଦୋନ୍ନତି ପ୍ରଦାନ ନିମନ୍ତେ ସୁପ୍ରିମକୋର୍ଟ କଲେଜିୟମ୍‍ ବାରମ୍ବାର ସୁପାରିସ କରିଥିଲେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ କେନ୍ଦ୍ର ସରକାର ଏହାକୁ ଟାଳି ଆସୁଥିଲେ। ଏହି ଘଟଣାକୁ ନେଇ ବିଚାର ବିଭାଗ ଓ ସରକାରଙ୍କ ମଧ୍ୟରେ ଏକପ୍ରକାର ବିବାଦୀୟ ସ୍ଥିତି ଲାଗି ରହିଥିଲା। କେନ୍ଦ୍ର ସରକାର ଶୁକ୍ରବାର ଜଷ୍ଟିସ୍‍ ଯୋଶେଫ୍‍ଙ୍କ ପଦୋନ୍ନତି ସୁପାରିସକୁ ମଞ୍ଜୁରୀ ଦେଇ ଏହି ବିବାଦର ଅନ୍ତ ଘଟାଇଥିଲେ। ମାତ୍ର ପଦୋନ୍ନତି ପାଇଥିବା ତିନି ବିଚାରପତିଙ୍କ ମଧ୍ୟରେ ଜଷ୍ଟିସ୍‍ ଯୋଶେଫ୍‍ଙ୍କ ବରିଷ୍ଠତା ହ୍ରାସ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପରେ ଅସନ୍ତୋଷ ପ୍ରକାଶ ପୂର୍ବକ ସୁପ୍ରିମକୋର୍ଟ ବିଚାରପତିମାନେ ପ୍ରଧାନ ବିଚାରପତିଙ୍କୁ ଅବଗତ କରିଥିଲେ। ଅନ୍ୟପଟେ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି। ରାଷ୍ଟ୍ରପତି ଅଗଷ୍ଟ ୩ରେ ଏହି ତିନି ଜଣ ବିଚାରପତିଙ୍କ ନିଯୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ।

Leave A Reply