MEllora 950×100

‘କଲେଜିୟମ ବ୍ୟବସ୍ଥା ସରକାର ମାନିବାକୁ ବାଧ୍ୟ’

ନୂଆଦିଲ୍ଲୀ  : ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରପତି ନିଯୁକ୍ତ ଲାଗି ରହିଥିବା କଲେଜିୟମ ବ୍ୟବସ୍ଥା ଆମ ଦେଶର ଆଇନ। ଏହାକୁ ସରକାର ମାନିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ୍ ସୁପାରିସ କରିଥିବା ନାମ ତାଲିକାକୁ ଅନୁମୋଦନ କରିବାରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାବେଳେ ସୁପ୍ରିମକୋର୍ଟ ଏହା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ପ୍ରସଙ୍ଗରେ ଆବଶ୍ୟକ ଭୂମିକା ନିର୍ବାହ ପୂର୍ବକ ସରକାରଙ୍କୁ ପରାମର୍ଶ ଦେବା ଲାଗି ସୁପ୍ରିମକୋର୍ଟ ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ କହିଛନ୍ତି। କଲେଜିୟମ୍ ଦ୍ବାରା ସୁପାରିସ ହୋଇଥିବା ନାମକୁ ଅନୁମୋଦନ କରିବା ଲାଗି ସରକାର ଏକ ନିର୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ଉପରେ ଅଦାଲତ ଗୁରୁତ୍ବ ଦେଇଛନ୍ତି। କାରଣ ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ୍ ଦ୍ବାରା ସୁପାରିସ କରାଯାଇଥିବା ନାମକୁ ଅନୁମୋଦନ କରିବାରେ ସରକାର ମାସ ମାସ ଧରି ସମୟ ଗଡାଇ ଚାଲିଛନ୍ତି। ବେଙ୍ଗାଲୁରୁ ଓକିଲ ସଂଘ ପକ୍ଷରୁ ଦାୟର ଏକ ଆବେଦନର ଶୁଣାଣି ସମୟରେ ବିଚାରପତି ଏସ୍‌କେ କୌଲ ଓ ଅଭୟ ଏସ୍ ଓକା ସୋମବାର ଏପରି ମତ ଦେଇଛନ୍ତି। ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ୍ ସୁପାରିସ କରିଥିବା ୧୧ଜଣଙ୍କ ନାମକୁ ଅନୁମୋଦନ କରିବାରେ ସରକାର ବିଳମ୍ବ କରିବାକୁ ବିରୋଧ କରି ଏହି ପିଟିସନ ଦାୟର କରାଯାଇଥିଲା।
ସୁପ୍ରିମକୋର୍ଟ କହିଛନ୍ତି ଯେ ବିଚାରପତି ନିଯୁକ୍ତି ନିମନ୍ତେ କଲେଜିୟମ୍ ଦ୍ବାରା ସୁପାରିସ ହୋଇଥିବା ନାମକୁ ଅନୁମୋଦନ କରିବାକୁ ସରକାର ବାଧ୍ୟ। ସରକାର ଯଦି ଏହି ନିୟମକୁ ପାଳନ କରିବେ ନାହିଁ ତେବେ ଆଗାମୀ ଦିନରେ ଦେଶର ଅନ୍ୟ ବର୍ଗର ଲୋକ ଆଇନକୁ ସମ୍ମାନ ଦେବେ ନାହିଁ। ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତି ନିମନ୍ତେ ସରକାର ୨୦୧୪ରେ ସରକାର ଗଠନ କରିଥିବା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି)କୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଇଥିଲେ। ଏନଜେଏସି ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ରଦ୍ଦ କରିବା ପରେ ସରକାର ଏକପ୍ରକାର ଅସନ୍ତୋଷ ବ୍ୟକ୍ତ କରିବା ପୂର୍ବକ କଲେଜିୟମ ସୁପାରିସକୁ ଅନୁମୋଦନରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଗତବର୍ଷ ଏପ୍ରିଲରେ ସୁପ୍ରିମକୋର୍ଟ କହିଥିଲେ ଯେ କଲେଜିୟମ୍‌ ଦ୍ବାରା ସୁପାରିସ ହେଉଥିବା ନାମକୁ ସରକାର ତିନିରୁ ଚାରି ସପ୍ତାହ ମଧ୍ୟରେ ଅନୁମୋଦନ କରିବା ଦରକାର। ଏହି ନିର୍ଦେଶ ସତ୍ତ୍ବେ ସରକାର ଏବେ କଲେଜିୟମ୍ ଦ୍ବାରା ସୁପାରିସ ହୋଇଥିବା କେତେକ ନାମକୁ ଦେଢବର୍ଷ ହେଲା ପକାଇ ରଖିଛନ୍ତି।
ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କଲେଜିୟମ୍ ବ୍ୟବସ୍ଥା ଉପରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ କଲେଜିୟମ୍ ବ୍ୟବସ୍ଥା ଆମ ସମ୍ବିଧାନ ବହିର୍ଭୂତ ନିୟମ। ଏହି ନିୟମ ଆମ ସମ୍ବିଧାନରେ ନାହିଁ। ସୁପ୍ରିମକୋର୍ଟ ନିଜର ଏକ ରାୟ କ୍ରମରେ ଏହି ନିୟମ କରିଛନ୍ତି। ୧୯୯୧ ମସିହା ପୂର୍ବରୁ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତିମାନଙ୍କୁ ନିଯୁକ୍ତି ଦେଉଥିଲେ। ତେଣୁ ଯେଉଁ ନିୟମ ଆମ ସମ୍ବିଧାନରେ ନାହିଁ ତାକୁ ଦେଶ କିପରି ପାଳନ କରିବ ବୋଲି ରିଜିଜୁ ପ୍ରଶ୍ନ କରିଥିଲେ। ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରୁଥିବା ନାମ ଉପରେ ସରକାର ଯଦି କେବଳ ଦସ୍ତଖତ କରିବେ ତେବେ ଏଥିରେ ସରକାରଙ୍କ ଭୂମିକା କ’ଣ ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ କଲେଜିୟମ୍ ବ୍ୟବସ୍ଥାରେ କେତେକ ତ୍ରୁଟି ରହିଛି। ଲୋକେ ଏହା ବିରୋଧରେ ସ୍ବର ଉଠାଇବା ଆରମ୍ଭ କଲେଣି। କାରଣ ଏହି ବ୍ୟବସ୍ଥା ସ୍ବଚ୍ଛ ନୁହେଁ। କଲେଜିୟମ୍ ବ୍ୟବସ୍ଥା ଉପରେ ମନ୍ତବ୍ୟ ଦେବା ପୂର୍ବରୁ ରିଜିଜୁ କହିଥିଲେ ଯେ ଅଦାଲତଙ୍କ ପ୍ରତ୍ୟେକ ରାୟ ଠିକ୍ କାରଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ନ୍ୟାୟପାଳିକାକୁ ଅସମ୍ମାନ କରିପାରିବେ ନାହିଁ କି କେହି ଅଦାଲତଙ୍କ ରାୟକୁ ଅବମାନନା କରିପାରିବେ ନାହିଁ।

Comments are closed.