ସାଂସଦ ଅନୁଭବଙ୍କ ଆବେଦନର ଶୁଣାଣି, କେନ୍ଦ୍ର ସମେତ ୪ ରାଜ୍ୟକୁ ନୋଟିସ

ନୀଳଗାଈ, ମାଙ୍କଡ଼(ରିସସ ମକାଉ) ଓ ଜଙ୍ଗଲୀ ଘଷୁରୀ(ବାର୍‍ହା) ଆଦି ବନ୍ୟଜନ୍ତୁଙ୍କ ହତ୍ୟା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ବିହାର, ହିମାଚଳ ପ୍ରଦେଶ ଓ କେରଳ ରାଜ୍ୟ ସରାକାରଙ୍କୁ ନୋଟିସ ଜାରି କରିଛନ୍ତି।

ପଶୁ ନିଷ୍ଠୁରତା ନିବାରଣ ଆଇନ ୧୯୬୦ (ପ୍ରିଭେନସନ ଅଫ କ୍ରୃଏଲିଟି ଏଗେନେଷ୍ଟ ଆନିମଲସ ଆକ୍ଟ)ରେ ସଂଶୋଧନ ଆଣି କଠୋର ଦଣ୍ଡବିଧାନ କରିବା, ବନ୍ୟଜନ୍ତୁ-ମନୁଷ୍ୟ ଲଢ଼େଇ ରୋକିବା ପାଇଁ ବିଚାରଧିନ ଶୁଭମ ଅବସ୍ତି ବନାମ ଭାରତ ସରକାର ଜନସ୍ୱାର୍ଥ ମାମଲା ସହ ଏକତ୍ର ଶୁଣାଣି କରିବାକୁ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟରେ ସାଂସଦ ଶ୍ରୀ ମହାନ୍ତି ଦର୍ଶାଇଛନ୍ତି ଯେ ବନ୍ୟଜନ୍ତୁଙ୍କୁ ହତ୍ୟା କରିବା ପାଇଁ ବିହାର, ହିମାଚଳ ପ୍ରଦେଶ ଓ କେରଳ ରାଜ୍ୟ ସରକାରଙ୍କ ତରଫରୁ ମିଳୁଥିବା ପ୍ରୋତ୍ସାହନ ରାଶି ଦୁର୍ଭାଗ୍ୟଜନକ। ଏପରିକି ହତ୍ୟା ପାଇଁ ଜଙ୍ଗଲରେ ବିଷ ଦିଆଯିବା ଏବଂ ବିସ୍ପୋରକ ଖଞ୍ଜା ଯିବା ଘଟଣାରେ ହତ୍ୟାକାରୀଙ୍କୁ ରାଜ୍ୟ ସରକାର ଗୁଡ଼ିକ ସମ୍ମାନୀତ କରିବା ଘଟଣା ଚିନ୍ତାଜନକ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ଦାୟୀ। ୨୦୧୨ରୁ ୨୦୨୦ ମଧ୍ୟରେ କେବଳ କେରଳରେ ୨୪ଟି ବାଘ ଏବଂ ୧୧୦ କଲରାପତରିଆଙ୍କ ତାରଜାଲି ଯନ୍ତାରେ ପଡ଼ି ମୃତ୍ୟୁ ଘଟିଛି। ବନ୍ୟଜନ୍ତୁ ଓ ମଣିଷ ଲଢ଼େଇ ରୋକିବାକୁ ଗଠନମୂଳକ ଭାବେ ବୈଜ୍ଞାନିିକ ପଦ୍ଧତି ଆପଣାଇବାକୁ ସାଂସଦ ଅନୁଭବ ମହାନ୍ତିଙ୍କ ତରଫରୁ ବରିଷ୍ଠ ଓକିଲ ସିଦ୍ଧାର୍ଥ ଲୁଥରା ମାମଲାର ଶୁଣାଣିବେଳେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Comments are closed.