ବିଚାରପତିଙ୍କ ବିରୋଧରେ ଯୌନଶୋଷଣ ମାମଲା: ମଧ୍ୟପ୍ରଦେଶ ହାଇକୋର୍ଟଙ୍କୁ ଜବାବ ଲୋଡ଼ିଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ଏସ୍‍. କେ ଗାଙ୍ଗେଲଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଅତିରିକ୍ତ ଜିଲା ଏବଂ ସେସନ୍ସ କୋର୍ଟ ମହିଳା ବିଚାରପତି(ଏଡିଜେ)ଙ୍କ ନିଯୁକ୍ତି କାଏମ ରଖିବା ସମ୍ବନ୍ଧୀୟ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ୨୦୧୪ରେ ବିଚାରପତି ଗାଙ୍ଗେଲ ତାଙ୍କୁ ଯୌନ ଶୋଷଣ କରିଥିବା ନେଇ ସମ୍ପୃକ୍ତ ମହିଳା ବିଚାରପତି ଅଭିଯୋଗ ଆଣିବା ସହିତ ନିଜ ପଦରୁ ଇସ୍ତଫା ଦେଇଥିଲେ। ସୁପ୍ରିମକୋର୍ଟ ଅଭିଯୋଗକୁ ବିଚାର ପାଇଁ ଗ୍ରହଣ କରିବା ସହିତ ଆସନ୍ତା ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ବିଚାରପତି ଏ.କେ ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ହାଇକୋର୍ଟ ଓ ରାଜ୍ୟ ସରକାରଙ୍କୁ ରେଜିଷ୍ଟ୍ରାର ଜେନେରାଲ ମାଧ୍ୟମରେ ନୋଟିସ୍‍ ଜାରି କରିଛନ୍ତି। ହାଇକୋର୍ଟଙ୍କ ଜବାବ୍‍ ମିଳିବା ପରେ ନିଯୁକ୍ତି ସମ୍ବନ୍ଧୀୟ ଆବେଦନ ଉପରେ ଶୁଣାଣି କରିବେ ବୋଲି ସ୍ପଷ୍ଟ କରିଛନ୍ତି। ମହିଳା ବିଚାରପତି ତତ୍କାଳୀନ ମୁଖ୍ୟ ବିଚାରପତି ଆର୍‍.ଏମ୍‍ ଲୋଧାଙ୍କ ନିକଟରେ ଘଟଣା ସମ୍ବନ୍ଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ମାମଲାର ଯାଞ୍ଚ ପାଇଁ ଗଠିତ ଏକ କମିଟି ୨୦୧୭ରେ ଏହାର ରିପୋର୍ଟ ପ୍ରଦାନ କରିଥିଲା। ଯୌନ ଶୋଷଣ ଅଭିଯୋଗ ସମ୍ବନ୍ଧରେ ଉପଯୁକ୍ତ ପ୍ରମାଣ ନ ଥିଲେ ମଧ୍ୟ ବର୍ଷ ଅଧାରେ ତାଙ୍କୁ ବଦଳି କରାଯିବା ଘଟଣାରେ ଅନିୟମିତତା ଏବଂ ଜାଲିଆତି ହୋଇଥିବା କମିଟି ରିପୋର୍ଟ ଦେଇଥିଲା। ଏହି ରିପୋର୍ଟ ଆସିବା ପରେ ତାଙ୍କୁ ପୁନଃ ନିଯୁକ୍ତ କରିବା ନେଇ ଆବେଦନକାରିଣୀ ୨୦୧୮ ଜୁଲାଇରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Leave A Reply