ବିସିଏଏସ୍‌ରେ ଆସ୍ଥାନାଙ୍କ ନିଯୁକ୍ତି ବିରୋଧୀ ଆବେଦନ ରଦ୍ଦ

0

ନୂଆଦିଲ୍ଲୀ : ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟୁରୋ (ବିସିଏଏସ୍‌) ମହାନିର୍ଦେଶକ ଭାବେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ବିରୋଧ କରି ହୋଇଥିବା ଏକ ଆବେଦନକୁ ସର୍ବୋଚ୍ଚ ଅଦାଲତ ଗୁରୁବାର ରଦ୍ଦ କରିଛନ୍ତି। ପ୍ରଧାନବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହି ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି। ଏହି ଘଟଣାରେ ଏକାଧିକ ପ୍ରସଙ୍ଗ ଛନ୍ଦି ହୋଇରହିଛି। ସବୁ ପ୍ରସଙ୍ଗକୁ ନେଇ ଅଦାଲତରେ ଆବେଦନ କର ନାହିଁ ବୋଲି ପ୍ରଧାନ ବିଚାରପତି ଆବେଦନକାରୀ ଏମ.ଏଲ. ଶର୍ମାଙ୍କୁ କହିଛନ୍ତି। ଜାନୁଆରୀ ୧୮ରେ କେନ୍ଦ୍ର ସରକାର ଆସ୍ଥାନାଙ୍କୁ ବିସିଏଏସ୍‌ରେ ନିଯୁକ୍ତ କରିଥିଲେ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଧୀନରେ ଥିବା ବିସିଏଏସ୍‌ ସାଧାରଣତଃ ବେସାମରିକ ବିମାନ ଚଳାଚଳ ବ୍ୟବସ୍ଥାର ସୁରକ୍ଷା ବ୍ୟବସ୍ଥା ନିୟନ୍ତ୍ରଣ କରିଥାଏ। ଏହାର ମହାନିର୍ଦେଶକ ଭାବେ ଆସ୍ଥାନା ୨ ବର୍ଷ କାର୍ଯ୍ୟ କରିବେ। ୨୦୨୧ ଜୁଲାଇ ୩୧ରେ ସେ ଅବସର ଗ୍ରହଣ କରିବେ ବୋଲି ଜଣାପଡିଛି। ଉଲ୍ଲେଖ ଯେ ସିବିଆଇରେ ନିଯୁକ୍ତ ଥିବା ବେଳେ ସଂସ୍ଥାର ତତ୍‌କାଳୀନ ନିର୍ଦେଶକ ଆଲୋକ ବର୍ମାଙ୍କ ସହିତ ଦୁର୍ନୀତି ଅଭିଯୋଗକୁ ନେଇ ତାଙ୍କର ବିବାଦ ଲାଗି ରହିଥିଲା। ଫଳରେ କେନ୍ଦ୍ର ସରକାର ଉଭୟଙ୍କୁ କେନ୍ଦ୍ର ସରକାର ଦୀର୍ଘ ଦିନ ଛୁଟିରେ ପଠାଇବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପରେ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବର୍ମାଙ୍କୁ ସିବିଆଇ ନିର୍ଦେଶକ ପଦରୁ ହଟାଇଥିଲେ। ଆସ୍ଥାନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗରେ ରୁଜୁ ଏଫ୍‌ଆଇଆରକୁ ଦିଲ୍ଲୀ ହାଇକୋର୍ଟ ରଦ୍ଦ କରିବାକୁ ମନା କରିଛନ୍ତି।

Leave A Reply