ଏତଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୁପୁରଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ, ବିକଳ୍ପ ପ୍ରତିକାର ପାଇଁ କହିଲେ ସୁପ୍ରିମକୋର୍ଟ

ଡେସ୍କ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ତାଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ସମସ୍ତ ଏତଲାରୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ତାଙ୍କୁ ସର୍ବୋଚ୍ଚ ନ୍ୟାୟାଳୟରୁ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜେ.ବି ପାରଦୀୱାଲାଙ୍କ ଏକ ଅବକାଶକାଳୀନ ଖଣ୍ଡପୀଠ ତାଙ୍କ ଆଦେଶରେ କହିଛନ୍ତି, ଆବେଦନକାରୀଙ୍କ ବରିଷ୍ଠ ପରାମର୍ଶଦାତା ଆଇନ ଅନୁଯାୟୀ ଉପଲବ୍ଧ ବିକଳ୍ପଗୁଡ଼ିକର ଉପକାର ପାଇବା ପାଇଁ ବର୍ତ୍ତମାନର ରିଟ୍ ପିଟିସନକୁ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯାଇଛି।

ଆଜି ଶୁଣାଣି ସମୟରେ ଖଣ୍ଡପୀଠ ନୁପୂରଙ୍କ ବରିଷ୍ଠ ଓକିଲ ମନିନ୍ଦର ସିଂଙ୍କୁ କହିଛନ୍ତି ଯେ ଏହି ଆବେଦନକୁ ଗ୍ରହଣ କରିବା ପାଇଁ ଖଣ୍ଡପୀଠ ଇଚ୍ଛୁକ ନୁହେଁ ତେଣୁ ଏହାକୁ ପ୍ରତ୍ୟାହାର କରି ଉପଯୁକ୍ତ କୋର୍ଟକୁ ଯାଆନ୍ତୁ। ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ ସେ ଏବଂ ତାଙ୍କ ମୂଲ୍ୟହୀନ ମନ୍ତବ୍ୟ ସମଗ୍ର ଦେଶକୁ ନିଆଁ ଲଗାଇ ଦେଇଛି ଏବଂ ଦେଶରେ ଯାହା ଘଟୁଛି ସେଥିପାଇଁ ସେ ଏକାକୀ ଦାୟୀ ତେଣୁ ସେ ସମଗ୍ର ଦେଶକୁ କ୍ଷମା ମାଗନ୍ତୁ। ଏଥି ସହିତ ଅନୁସନ୍ଧାନ ପାଇଁ ସମସ୍ତ ଏତଲା ସ୍ଥାନାନ୍ତର କରିବାକୁ ନୁପୁର ଶର୍ମାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଖଣ୍ଡପୀଠ ତାଙ୍କ ଆଇନ ପରାମର୍ଶଦାତା ମନିନ୍ଦର ସିଂଙ୍କୁ କହିଛନ୍ତି, କୋର୍ଟ ସନ୍ତୁଷ୍ଟ ନୁହନ୍ତି, ଆମେ ଦେଶର ଆଇନକୁ ମନଇଛା ପରିବର୍ତ୍ତନ କରିପାରିବୁ ନାହିଁ।

ସୂଚନା ଅନୁଯାୟୀ, ନୁପୁର ଶର୍ମାଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ମନିନ୍ଦର ସିଂ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ଶୁଣାଣି ସମୟରେ ଯେତେବେଳେ ଶ୍ରୀ ସିଂ ଖଣ୍ଡପୀଠକୁ କହିଥିଲେ ଯେ ନୁପୁର ଶର୍ମାଙ୍କ ଜୀବନ ପ୍ରତି ବିପଦ ରହିଛି, ସେତେବେଳେ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଥିଲେ ଯେ ତାଙ୍କ ପ୍ରତି ବିପଦ ଅଛି ନା ସେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି?

Comments are closed.