ଅମ୍ଳଜାନ ଆବଣ୍ଟନ ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀର ୨ୟ ତରଙ୍ଗ ସଂକ୍ରମଣ ସାରା ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଛି। ଅମ୍ଳଜାନ ଅଭାବରୁ ପ୍ରତିଦିନ ହଜାର ହଜାର ସଂକ୍ରମିତ ପ୍ରାଣ ହରାଉଛନ୍ତି। କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଠିକ୍‌ ଭାବେ ଅମ୍ଳଜାନ ଯୋଗାଇବାରେ ବିଫଳ ହେବାରୁ ଏଥିପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଶନିବାର ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଏଥିରେ ୧୨ ସଦସ୍ୟ ରହିଛନ୍ତି। ରାଜ୍ୟଗୁଡ଼ିକୁ ଅମ୍ଳଜାନ ଆବଣ୍ଟନ ଦାୟିତ୍ଵ ଏହି ୧୨ ଜଣିଆ ଜାତୀୟ ଟାସ୍କଫୋର୍ସକୁ ଦିଆଯାଇଛି।

ସୁପ୍ରିମକୋର୍ଟ କହିଛନ୍ତି, ଏହି ଟାସ୍କଫୋର୍ସ ଅମ୍ଳଜାନ ଆବଣ୍ଟନ ଲାଗି ଦରକାର ପଡ଼ୁଥିବା ମାନବ ସମ୍ବଳ କେନ୍ଦ୍ର ସରକାରଙ୍କଠାରୁ ନେବେ। ଏଥିଲାଗି ଟାସ୍କଫୋର୍ସକୁ ସମସ୍ତ ସ୍ବାଧୀନତା ଦିଆଯାଇଛି। ମହାମାରୀ ସମୟରେ ଜାତୀୟ ସ୍ତରରେ ଜନସ୍ବାସ୍ଥ୍ୟ ସେବାକୁ ଯେପରି ସହଜ କରିହେବ ତାହାକୁ ଦୃଷ୍ଟିରେ ରଖି ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସୂଚନାଯୋଗ୍ୟ, ମହାମାରୀ ସମୟରେ ବିଭିନ୍ନ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଅଭାବ ଯୋଗୁ ପ୍ରତିଦିନ ବହୁ ସଂଖ୍ୟାରେ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ଅମ୍ଳଜାନ ସଙ୍କଟ ଉତ୍ପନ୍ନ ହୋଇଛି। ଏ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଛି।

Comments are closed.