ସିବିଏସ୍‌ଇ ଏବଂ ଆଇସିଏସଇ ମୂଲ୍ୟାୟନ ପଦ୍ଧତି ସୁପ୍ରିମକୋର୍ଟରେ କାଏମ

ଜନହିତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଏବଂ ଇଣ୍ଡିଆନ ସାର୍ଟିଫିକେଟ ଅଫ ସେକେଣ୍ଡାରୀ ଏଜୁକେସନ(ଆଇସିଏସ୍‌ଇ) ପରୀକ୍ଷା ବହୁତ ପ୍ରଭାବିତ ହୋଇଛି। ଅନେକ ବୋର୍ଡ ସେମାନଙ୍କ ପରୀକ୍ଷାକୁ ବାତିଲ କରିସାରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ପାଇଁ ସ୍ବତନ୍ତ୍ର ମୂଲ୍ୟାୟନ ନିୟମ ଲାଗୁଛନ୍ତି। ସିବିଏସଇ ଓ ଆଇସିଏସଇ ବୋର୍ଡ ସେମାନଙ୍କ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ କିଭଳି ସ୍ବତନ୍ତ୍ର ମୂଲ୍ୟାୟନ ନିୟମ ଜରିଆରେ ମାର୍କ ଦିଆଯିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହା ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଥିଲା, ଯାହାକୁ ଆଜି ସୁପ୍ରିମ କୋର୍ଟ ପକ୍ଷରୁ ଖାରଜ କରିଦିଆଯାଇଛି।
ସିବିଏସଇ ଓ ଆଇସିଏସଇ ଦ୍ୱାରା ବୋର୍ଡ ପରୀକ୍ଷାକୁ ବାତିଲ୍ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କରିବା ସହ ସୁପ୍ରିମ୍ କୋର୍ଟ ବୋର୍ଡର ପରୀକ୍ଷାଫଳ ପ୍ରକାଶନ ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁମୋଦନ ଦେଇଛନ୍ତି। ବିଚାରପତି ଏଏମ୍ ଖାନୱିଲକର ଓ ଜଷ୍ଟିସ୍ ଦିନେଶ ମାହେଶ୍ୱରୀଙ୍କ ବେଞ୍ଚ୍ ମଙ୍ଗଳବାର ସିବିଏସଇ କମ୍ପାର୍ଟମେଣ୍ଟ, ଘରୋଇ ପରୀକ୍ଷାକୁ ବାତିଲ୍ କରିବାକୁ ଦାବି କରିଥିବା ୧୧୫୨ ଜଣ ଛାତ୍ରଙ୍କ ଆବେଦନ ଉପରେ ଶୁଣାଣି କରିଛନ୍ତି। ଛାତ୍ରମାନେ ସିବିଏସଇର ମୂଲ୍ୟାଙ୍କନ ଫର୍ମୂଲା ଉପରେ ପ୍ରଶ୍ନ ଉଠାଇଥିଲେ।
ଏହା ଉପରେ ହୋଇଥିବା ଆବେଦନକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଦ୍ୱାଦଶର କମ୍ପାର୍ଟମେଣ୍ଟ, ପ୍ରାଇଭେଟ ଓ ରିପିଟର୍ସର ଛାତ୍ରଙ୍କ ପାଇଁ ପରୀକ୍ଷା ବାତିଲ୍ କରାଯିବ ନାହିଁ । କୋର୍ଟ ମଧ୍ୟ ସିବିଏସଇ ଓ ଆଇସିଏସଇର ଫର୍ମୂଲା ସହ ସହମତ ହୋଇଛନ୍ତି। ସୁପ୍ରିମ୍ କୋର୍ଟ କହିଛନ୍ତି, ସିବିଏସଇ କିମ୍ବା ଆଇସିଏସଇ ପରୀକ୍ଷା ବାତିଲ କରିବା ନିଷ୍ପତ୍ତିକୁ କୌଣସି ବ୍ୟକ୍ତିଗତ ଅବଧାରଣାରେ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ପ୍ରକାଶ କରାଯାଇଛି।

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ ଜୁଲାଇ ୩୧ ସୁଦ୍ଧା ୩୦:୩୦:୪୦ ସୂତ୍ର ଅନୁଯାୟୀ ଘୋଷିତ ହେବ ଏବଂ ଯେଉଁମାନେ ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି, ସେମାନେ ପରେ ଶାରୀରିକ ପରୀକ୍ଷା ପାଇଁ ଅନଲାଇନରେ ପଞ୍ଜୀକୃତ କରିପାରିବେ। ସେହି ପରୀକ୍ଷାରେ ମିଳିଥିବା ମାର୍କଗୁଡିକ ଫାଇନାଲ ଭାବେ ବିବେଚନା କରାଯିବ। ସିବିଏସଇ କେବଳ ପ୍ରମୁଖ ବିଷୟ ଗୁଡ଼ିକରେ ପରୀକ୍ଷା କରିବ। ଯଦି ପରିସ୍ଥିତି ଅନୁକୂଳ ରୁହେ, ତାହେଲେ ପରୀକ୍ଷା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ। ଯଥାଶୀଘ୍ର ଫଳାଫଳ ଘୋଷଣା କରାଯିବ।

Comments are closed.