ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା : ଲୌକିକ ରୀତିନୀତିର ଅନନ୍ୟ ପରମ୍ପରା

ସ୍ମୃତିରେ ଶୀତଳ ଷଷ୍ଠୀ ....

ସମ୍ବଲପୁର (ବିରାଜ କୁମାର ମିଶ୍ର) : ଦେବ ଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ପବିତ୍ର ବିବାହୋତ୍ସବକୁ ସମ୍ବଲପୁର ଠାରେ ଭବ୍ୟ ଲୌକିକ ରୀତିନୀତି ଅନୁଯାୟୀ ଶହ ଶହ ବର୍ଷ ହେବ ପାଳନ କରାଯାଇ ଆସୁଛି। ପ୍ରାୟ ୪୦୦ ବର୍ଷ ପୁର୍ବେ ପୁରୀ ଗଜପତି ମହାରାଜଙ୍କର ଅଧିନସ୍ଥ ଶାସନୀ ଗ୍ରାମ ଗୁଡିକରୁ ସମ୍ବଲପୁର ରାଜାଙ୍କ ଦ୍ୱାରା ଆମନ୍ତ୍ରିତ ଉତ୍କଳୀୟ ବ୍ରାହ୍ମଣ ପରିବାର ମାନଙ୍କ ଦ୍ୱାରା ପ୍ରଥମେ ଶିବ ଓ ପାର୍ବତୀ ବିବାହ ଆରମ୍ଭ କରାଯାଇଥିଲା। ମୁଖ୍ୟତଃ ଶୈବ ଉପାସକ ଥିବା ଏହି ବ୍ରାହ୍ମଣ ପରିବାର ଗୁଡିକ କାହିଁ କେଉଁ କାଳରୁ ପିଢ଼ି ପିଢ଼ି ଧରି ଶିବ ଓ ପାର୍ବତୀ ବିବାହ ପୁରୀର ଶାସନୀ ଗ୍ରାମ ମାନଙ୍କରେ ରହିଥିବା ଶିବାଳୟ ଗୁଡିକରେ କରିଆସୁଥିଲେ। ଏବେ ମଧ୍ୟ ଏହା ପୁରୀ ଅଞ୍ଚଳରେ ଚାଲୁ ରହିଛି। ଏଣୁ ସମ୍ବଲପୁରରେ ଏହି ଉତ୍କଳୀୟ ବ୍ରାହ୍ମଣ ପରିବାର ମାନେ ପ୍ରଥମେ ଆରମ୍ଭ କରିଥିଲେ। ଅକ୍ଷୟା ତୃତୀୟା ଠାରୁ ଆରମ୍ଭ ହେଉଥିବା ଏହି ବିବାହ ଉତ୍ସବ ଓ ଯାତ୍ରା ପାଇଁ ପଡ଼ାର ପ୍ରତ୍ୟେକ ପରିବାରର ସଦସ୍ୟ ମନପ୍ରାଣ ଦେଇ ଅତ୍ୟନ୍ତ ଉତ୍ସାହର ସହିତ ଲାଗି ପଡନ୍ତି। ପିଢ଼ି ପରେ ପିଢ଼ି ଧରି ଚାଲି ଆସୁଥିବା ଏହି ପବିତ୍ର ଧାର୍ମିକ ପରମ୍ପରା ସହିତ ସ୍ଥାନୀୟ ଲୋକ କଳା, ସଂସ୍କୃତିକୁ ରକ୍ଷା ନିମନ୍ତେ ଏକ ବିରାଟ ପ୍ଲାଟଫର୍ମ ଏବଂ ରୋଜଗାରର ସୁଯୋଗ ଯୋଗାଇ ଆସୁଛି। ଶହ ଶହ ବର୍ଷ ଧରି ଚାଲି ଆସୁଥିବା ଏହି ଭବ୍ୟ ଧାର୍ମିକ ଉତ୍ସବ ସମୟର ସହିତ ତାଳ ଦେଇ ନିଜ ଆକାର ଓ ରୂପ ପରିବର୍ତ୍ତିତ କରି ଆସି ଏବେ ବିରାଟ କାୟା ବିସ୍ତାର କରିସାରିଛି। ଏହି ଧାର୍ମିକ ଉତ୍ସବକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼଼ାଇଥିବା ପୁରାତନ ସ୍ୱେଚ୍ଛାସେବୀ ଙ୍କ ମୁହଁରୁ ସ୍ମୃତିରେ ଷଷ୍ଠୀ …..

ବିଜୟ କୁମାର ମିଶ୍ର, (୮୩) ବୁଢ଼ାରଜା
ନନ୍ଦପଡ଼ାର ମୂଳ ନିବାସୀ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପେ ସର୍ବ ପୁରାତନ ଶୀତଳ ଷଷ୍ଠୀ ଯାତ୍ରା କମିଟି ସହିତ ଜଡିତ ରହିବାର ସୌଭାଗ୍ୟ ମୋତେ ମିଳି ଆସୁଛି। ଦେବ ବିବାହ ପାଇଁ ଅକ୍ଷୟ ତୃତୀୟା ଠାରୁ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଏହି ଧାର୍ମିକ କାର୍ଯ୍ୟକୁ ସଫଳ କରିବା ପାଇଁ ପ୍ରାୟ ଏକ ମାସ ଧରି ଆମେ ପ୍ରାୟତଃ ଘରେ ରହୁ ନ ଥିଲୁ। ପ୍ରାୟ ୪ ଶହ ବର୍ଷ ଧରି ଚାଲି ଆସିଥିବା ଏହି ଧାର୍ମିକ ଉତ୍ସବ ପ୍ରାୟ ୪୩ ବର୍ଷ ପୂର୍ବ ପର୍ଯ୍ୟନ୍ତ କେବଳ ନନ୍ଦପଡ଼ା ଓ ଝାଡୁଆପଡ଼ା ଯାତ୍ରା କମିଟିଙ୍କ ଦ୍ୱାରା ଆୟୋଜିତ ହେଉଥିବାରୁ ସେ ସମୟରେ ପ୍ରବଳ ପ୍ରତିଯୋଗୀତା ଦେଖିବାକୁ ମିଳୁଥିଲା। ଦୁଇ ପଡ଼ା ମଧ୍ୟରେ ଏଭଳି ପ୍ରତିଯୋଗୀତା ରହିଥିଲା ଯେ ଦୁଇ ପଡ଼ାର ବୃଦ୍ଧଙ୍କ ଠାରୁ ଛୁଆ ପର୍ଯ୍ୟନ୍ତ ଅନେକ ସମୟସାମୟିକ ସାଥି ରହିଥିବା ବେଳେ କିନ୍ତୁ ଅକ୍ଷୟ ତୃତୀୟା ପରଠାରୁ କେହି କାହାରି ପଡ଼ାକୁ ଯିବା ଆସିବା ଓ କଥାବାର୍ତ୍ତା ପ୍ରାୟତଃ ବନ୍ଦ ହୋଇ ଯାଉଥିଲା। ଏହି ପ୍ରତିଯୋଗୀତା ଯୋଗୁଁ ଗୋଟିଏ ପଟରେ ଅନେକ ସମୟରେ ଗଣ୍ଡଗୋଳ ହୋଇଥିବା ବେଳେ ଅନ୍ୟ ପଟରେ ଏଥି ପାଇଁ ଉଭୟ ପଡ଼ାରେ ରହିଥିବା ଲୁକାୟିତ ପ୍ରତିଭା ଗୁଡିକ ସର୍ବ ସମ୍ମୁଖକୁ ଆସି ପାରୁଥିଲା। ଯାହାର ଫଳ ସ୍ୱରୂପ ଯାତ୍ରା ଦିନକୁ ଦିନ ଭବ୍ୟ ହେବା ସହିତ ବିରାଟ ରୂପ ଧାରଣ କରିଥିଲା। ସେ ସମୟରେ ନଗର ପରିକ୍ରମାରେ ସାଜସଜ୍ଜା ପାଇଁ ବ୍ୟବହୃତ ପରଭା ଗୁଡିକୁ ପଡ଼ାବାସୀ ମାନେ ହିଁ ନିଜେ ନିର୍ମାଣ କରୁଥିଲେ। ପରଭା ପାଇଁ ହେଉଥିବା ତାରକସି କାମକୁ ପଡ଼ାବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଇ ଶେଷରେ ସବୁକୁ ଏକାଠି କରି ବାଲୁଙ୍କେଶ୍ୱର ମଣ୍ଡପ ଠାରେ ପରଭାକୁ ପୁର୍ଣ୍ଣାଙ୍ଗ ରୂପ ଦିଆଯାଉଥିଲା। ବରଯାତ୍ରା ସମୟରେ ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବା ଓ ଝାଡୁଆପଡ଼ାର ଲୋକନାଥ ବାବାଙ୍କ ମେଢ଼କୁ କେବଳ ବ୍ରାହ୍ମଣ ଯୁବକ ମାନେ ବୋହି ନେବାର ପରମ୍ପରା ଏବେ ମଧ୍ୟ ବଜାୟ ରହିଛି।

ତେବେ ସମୟର ସହିତ ଏହି ଐତିହ୍ୟ ଓ ଧାର୍ମିକ ପରମ୍ପରାରେ ସମୃଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ବିଗତ ୫ ଦଶନ୍ଧିରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ଧାର୍ମିକ ଉତ୍ସବ ସହିତ ଅନେକ ବିଷୟ ଯଥା ଦେବ ବିବାହ କାର୍ଯ୍ୟକ୍ରମକୁ ଲୌକିକ ରିତିନିତି ଅନୁଯାୟୀ ସମ୍ପନ୍ନ କରିବା, ସ୍ଥାନୀୟ ସଂସ୍କତି ଓ ପରମ୍ପରାର ସୁରକ୍ଷା ଓ ବଞ୍ଚାଇ ରଖିବା, ଉତ୍ସବରେ ସମାଜର ସମସ୍ତ ବର୍ଗଙ୍କୁ ସାମିଲ କରିବା, ରୋଜଗାରର ସୁଯୋଗ, ଲୁକାୟିତ ପ୍ରତିଭାକୁ ଏକ ପ୍ଲାଟଫର୍ମ ପ୍ରଦାନ କରିବା ଆଦି ଜଡିତ ରହିଛି। କିନ୍ତୁ ବିଗତ ସମୟର ପରିବର୍ତ୍ତନ ଓ ଆଧୁନିକ ଚାକଚକ୍ୟ ମଧ୍ୟରେ କିଛି ବିଷୟରେ ବେଶ ପରିବର୍ତ୍ତନ ହୋଇଛି। ପୂର୍ବରୁ ଯାତ୍ରାରେ ସାମିଲ ହେବାକୁ ଆସୁଥିବା ବିଭିନ୍ନ ସାଂସ୍କୃତିକ ଦଳ, ସହାୟକ ଆଦି ମାନେ କୌଣିସ ପାଉଣା ଦାବି କରୁ ନ ଥିଲେ। ଅକ୍ଷୟ ତୃତୀୟା ପରେ ସାଂସ୍କୃତିକ ଦଳ ଗୁଡିକ ନିୟୁତା (ନିମନ୍ତ୍ରଣ) କୁ ଅପେକ୍ଷା କରି ରହୁଥିଲୋ। ଏଥି ପାଇଁ ବିଭିନ୍ନ ଗ୍ରାମ ଗୁଡିକୁ ପଡ଼ାର ଯୁବକ ମାନେ ଚାଲି ଚାଲି ଯାଇ ସାଂସ୍କୃତିକ ଦଳ ଗୁଡିକୁ ‘ତୁଳସୀ’ ଦେଇ ନିମନ୍ତ୍ରଣ କରୁଥିଲେ। ଯାତ୍ରା ଶେଷ ହେବା ପରେ ସେମାନେ ଫେରିବା ସମୟରେ ସାଂସ୍କୃତିକ ଦଳ ମାନଙ୍କୁ କାହାକୁ ପେଟ୍ରୋମେକ୍ସ ଲାଇଟ କାହାକୁ ଦରି କାହାକୁ ଚାଉଳ ବସ୍ତା ଆଦି ପ୍ରଦାନ କରାଯାଉଥିଲା। ଏଭଳି ଅନେକ ଅଭୂଲା ସ୍ମୃତି ଶୀତଳଷଷ୍ଠୀ ଯାତ୍ରା ସହିତ ଜଡିତ ରହିଥିବା ବେଳେ ଏବେ ଏହି ଧାର୍ମିକ ଉତ୍ସବରେ ଧର୍ମିୟ ଭାବନା ଉପରେ ଆଧୁନିକତା ଭାରି ପଡ଼ିଥିବାର ଲକ୍ଷ୍ୟ କରାଯାଉଛି। ଆଜିର କର୍ମବ୍ୟସ୍ତ ବହୁଳ ଯୁଗରେ ଯାତ୍ରା ପରିଚାଳନା ପାଇଁ ମାନବ ସମ୍ବଳର ଅଭାବ ରହିଥିବାରୁ ଅନେକ ସମୟରେ ସ୍ୱେଚ୍ଛାସେବୀଙ୍କ ଅଭାବ ସହିତ ପରିଚାଳନାଗତ ବିଭ୍ରାଟ ଓ ଯାତ୍ରା ଶେଷ କରିବାରେ ମଧ୍ୟ ବିଳମ୍ବ ହେଉଛି। ସେ ସମୟରେ ଯାତ୍ରା ସମୟରେ ଏତେ ବିଶୃଙ୍ଖଳା ଦେଖାଯାଉ ନ ଥିବା ବେଳେ ଯଦି ବିଶୃଙ୍ଖଳାକାରୀ ମାନେ ଯାତ୍ରା ସମୟରେ ବିଘଟନ ସୃଷ୍ଟି କରୁଥିଲେ, ସେହି ସ୍ଥାନରେ ହିଁ ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀ ମାନେ ଗଣ୍ଡଗୋଳର ସମାଧାନ କରୁଥିଲେ ଏବଂ କଥା ଆଗକୁ ବଢ଼଼ୁ ନ ଥିଲା। ଏବେ ମାଳ ମାଳ ପୁଲିସ ଥିଲେ ସୁଦ୍ଧା ବିଶୃଙ୍ଖଳା ସମୟରେ ପୁଲିସର ଦେଖା ରହୁ ନାହିଁ। ଐତିହ୍ୟ, ପରମ୍ପରା, ଧାର୍ମିକ ଭାବ ଓ ସାଂସ୍କତିକ ସୁରକ୍ଷାକୁ ଲକ୍ଷ୍ୟରେ ରଖାଯାଇ ଆରମ୍ଭ କରାଯାଇଥିବା ଏହି ଉତ୍ସବର ଭବ୍ୟତା ଏବେ ଆଧୁନିକତାର ଚାକଚକ୍ୟ ମଧ୍ୟରେ ନଷ୍ଟ ହେବାରେ ଲାଗିଛି। ଅନେକ ସମୟରେ ପ୍ରକୃତ ଦେବ ବିବାହର ରିତିନିତ ଓ ପଦ୍ଧତି ଜଣା ନ ଥିବାରୁ ଶୁଣାଶୁଣି ଭାବରେ କାର୍ଯ୍ୟ କେବଳ ସମ୍ପନ୍ନ କରାଯାଉଛି। ଯାହା ଦ୍ୱାରା ଶୀତଳଷଷ୍ଠୀର ରିତିନିତି, ପୂଜାର୍ଚ୍ଚନା ଓ ପଦ୍ଧତି ନଷ୍ଟ ହେବାରେ ଲାଗିଛି। ଦେବ ବିବାହ କରୁଥିବା ବ୍ୟକ୍ତି ମାନେ ଏହାର ଐତିହ୍ୟ ଓ ପରମ୍ପରା ବିଷୟରେ ଅବଗତ ହୋଇ କାର୍ଯ୍ୟକୁ ସମ୍ପାଦନ କଲେ ଯାଇ ହିଁ ଆଗାମୀ ଦିନରେ ଶହ ଶହ ବର୍ଷର ସମୃଦ୍ଧ ପରମ୍ପରାକୁ ବଜାୟ ଓ ବଞ୍ଚାଇ ରଖିହେବ। ଏଣୁ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ଯେଉଁ ଐତିହାସିକ ଦୁରଦୃଷ୍ଟି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ କରାଯାଇଥିଲା, ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ସମେସ୍ତ ଆଗେଇ ଆସିବେ ବୋଲି ମୋର ଦୃଢ଼ ଆଶା।

Comments are closed.