ଭାବମୂର୍ତ୍ତି ସୁଧାରରେ ବ୍ୟସ୍ତ ସମ୍ବଲପୁର ପୁଲିସ : ଭୁଷୁଡୁଛି ଆଇନଶୃଙ୍ଖଳା ବ୍ୟବସ୍ଥା

ସମ୍ବଲପୁର : ପଶ୍ଚିମ ଓଡିଶାର ଅନ୍ୟତମ ସର୍ବବୃହତ ଧାର୍ମିକ ଉତ୍ସବ ଶୀତଳଷଷ୍ଠୀ ୪ ଦିନ ମଧ୍ୟରେ ଆରମ୍ଭ ହେବ । ବିଗତ ୨ ବର୍ଷ ହେବ କେବଳ ବିଧି ରକ୍ଷାରେ ସୀମିତ ରହିଥିବା ଏହି ଧାର୍ମିକ ମହୋତ୍ସବରେ ଚଳିତ ବର୍ଷ ପ୍ରବଳ ଭିଡ ହେବାର ସମ୍ଭାବନା ଥିବା ବେଳେ ପ୍ରଶାସନର ପ୍ରାକ୍ ପ୍ରସ୍ତୁତି, ସମନ୍ୱୟ ବୈଠକ ସମୟରେ ସହରର ଆଇନ ବ୍ୟବସ୍ଥାକୁ ନେଇ କମିଟି ଓ ସଚେତନ ନାଗରିକ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି । କିନ୍ତୁ ପ୍ରଶାସନ ଓ କମିଟି ମାନଙ୍କର ସମନ୍ୱୟ ବୈଠକର ପ୍ରାୟ ୧୦ ଦିନ ବିତିଯିବା ପରେ ମଧ୍ୟ ସମ୍ବଲପୁର ପୁଲିସ ଶୀତଳଷଷ୍ଠୀ ପ୍ରସ୍ତୁତି ଏବଂ ସହରର ଆଇନଶୃଙ୍ଖଳାର ଅବସ୍ଥାକୁ ଦେଖିଲେ ‘ବହୁ ଆଡମ୍ବରେ ଲଘୁକ୍ରିୟା’ କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମ୍ବଲପୁର ପୁଲିସ ସଚେତନତା କାର୍ଯ୍ୟକ୍ରମରେ ବ୍ୟସ୍ତ ରହୁଥିବା ବେଳେ ସହରରେ ଅପରାଧରର ମାତ୍ରା ବଢିବାରେ ଲାଗିଛି । ଅବସ୍ଥା ଏଭଳି ହେଲାଣି ଯେ ଲୋକେ ନିଜକୁ କୌଣସି ସମୟରେ ମଧ୍ୟ ସୁରକ୍ଷିତ ମଣୁ ନାହାନ୍ତି। ହୁଗୁଳା ପୁଲିସ ଶାସନ ଯୋଗୁଁ ଏବେ ଅପରାଧି ମାନେ ନିୟମିତ ଥାନା ଗୁଡିକ ସନ୍ନିକଟସ୍ଥ ଅଞ୍ଚଳରେ ନିର୍ଭୟରେ ଅପରାଧିକ କାଣ୍ଡ ଭିଆଇବାକୁ ପଛାଉ ନାହାନ୍ତି । ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ସମୟରେ ସବୁଠାରୁ ବେଶି ଭିଡ (ଲକ୍ଷାଧିକ) ଟାଉନ ଥାନା କ୍ଷେତ୍ରରେ ହେଉଥିବା ବେଳେ ଗତ ବୁଧବାର ରାତ୍ରିରେ ଥାନା ସନ୍ନିକଟସ୍ଥ (୫୦ ମିଟର) ଲକ୍ଷ୍ମୀ ଟକିଜ ଛକରେ ଜଣେ ଚୋରକୁ ଜନତା ଧରି ପୁଲିସ ଜିମାରେ ଦେଇଥିଲେ । ଲକ୍ଷ୍ମୀ ଟକିଜ ଛକ ଅଞ୍ଚଳରେ ନିୟମିତ ବସଯାତ୍ରୀ ମାନଙ୍କ ଠାରୁ ଚୋରି ହେଉଥିବା, ଥାନା ସମ୍ମୁଖରେ ଥିବା ବସଷ୍ଟାଣ୍ଡ ମଧ୍ୟରେ ନିୟମିତ ଲୁଟ, ଖୋଲାରେ ମଦ୍ୟପାନ କରିବା, ବେଆଇନ ନିଶାଦ୍ରବ୍ୟ ବିକ୍ରି ଆଦି ବିଭିନ୍ନ ଅପରାଧିକ ଗତିବିଧି ଘଟି ଚାଲିଥିବା ବେଳେ,  ପୁଲିସ ସମ୍ପୁର୍ଣ୍ଣ ନିରବତା ଅବଲମ୍ବନ କରିବା ଶ୍ରେୟସ୍କର ମଣିଛି।

 

ସେହିଭଳି ଗୁରୁବାର ରାତ୍ରି ପ୍ରାୟ ସାଢ଼େ ୧୦ଟା ସମୟରେ ବ୍ୟସ୍ତତମ ଭିଏସଏସ ମାର୍ଗର ଜିଲାସ୍କୁଲ ଛକ ନିକଟସ୍ଥ ଏକ ହୋଟେଲରେ କିଛି ଯୁବକ କୌଣସି କାରଣରୁ ଗଣ୍ଡୋଗଳ ସୃଷ୍ଟି କରିଥିଲେ । ଏହାକୁ ନେଇ ଉକ୍ତ ଅଞ୍ଚଳରେ କିଛି ସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଥିବା ବେଳେ ଦୁଇ ଜଣ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଣୁ ଉକ୍ତ ବ୍ୟସ୍ତବହୁଳ ରାସ୍ତାରେ ପ୍ରାୟ ୧୫ ମିନିଟ ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଧନୁପାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଗଣ୍ଡଗୋଳକାରୀ ମାନେ ଚମ୍ପଟ ହୋଇଯାଇଥିଲେ ଏବଂ ପୁଲିସ ଗାଡି କେବଳ ସାଇରନ ବଜାଇ ଭିଡ ଖାଲି କରି ଫେରି ଯାଇଥିଲା। ଅନେକ ସମୟରେ ସମ୍ବଲପୁର ପୁଲିସ ଘଟଣସ୍ଥଳରେ ପହଞ୍ଚିବା ପୂର୍ବରୁ ଅସାମାଜିକ ତତ୍ୱ ମାନେ ଫେରାର ହୋଇଯାଉଛନ୍ତି । ଏପରିକି କୌଣସି ସଚେତନ ନାଗରିକ ଅପରାଧିକ ଗତିବିଧି ସର୍ମ୍ପକରେ ଖବର ଦେବା ପରେ ପୁଲିସ ପହଞ୍ଚିବା ପୁର୍ବରୁ ଘଟଣାସ୍ଥଳ ଖାଲି ହୋଇ ଯାଉଛି । ଏଥି ସହ ସୂଚନାକାରୀଙ୍କ ସୂଚନା ଉକ୍ତ ଅସାମାଜିକ ତତ୍ୱ ମାନଙ୍କ ନିକଟରେ ମଧ୍ୟ ପହଞ୍ଚି ଯାଉଥିବାରୁ ଜନତାଙ୍କ ଭରସା ସମ୍ବଲପୁର ପୁଲିସ ଉପରେ ରହୁ ନାହିଁ। ନିଜର ସ୍ୱଳ୍ପ ସ୍ୱାର୍ଥ ସାଧନ ପାଇଁ ସମ୍ପୁର୍ଣ୍ଣ ନିଷ୍କ୍ରିୟ ସମ୍ବଲପୁର ପୁଲିସ ପାଇଁ ଅପରାଧି ମାନଙ୍କର ସାହାସ ବହୁଗୁଣିତ ହୋଇ ରହିଛି। ଫଳରେ ଅସାମାଜିକ ତତ୍ୱ ମାନେ ଥାନା ସନ୍ନିକଟସ୍ଥ ଅଞ୍ଚଳ, ଭିଆଇପି ଅଞ୍ଚଳ ଗୁଡିକୁ ଚରାଭୂଇଁରେ ପରିଣତ କରି ଅନାୟାସରେ ଅପରାଧିକ କାଣ୍ଡ ଭିଆଇ ଫେରାର ହୋଇଯାଉଛନ୍ତି । ଅଥଚ ଅପରାଧି ମାନଙ୍କୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ କୌଣସି ଘଟଣା ଘଟିଲେ, ପୁଲିସ ମାମଲାକୁ କୌଣସି ମତେ ରଫାଦଫା କରି ଭାବମୂର୍ତ୍ତି ସୁଧାରିବା ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମର ସାହାରା ନେଉଥିବାର ପରିଲକ୍ଷିତ ହେଉଛି।

ବିଗତ ବର୍ଷ ଗୁଡିକରେ ଶୀତଳଷଷ୍ଠୀ ସମୟରେ ମାଳ ମାଳ ପୁଲିସର ଉପସ୍ଥିତି ସତ୍ୱେ ସହର ମଧ୍ୟରେ ହତ୍ୟାକାଣ୍ଡ, ମରଣାନ୍ତକ ଆକ୍ରମଣ, ଯାତ୍ରା ମଧ୍ୟକୁ ଅଟୋରିକ୍ସ, ବାଇକ ବିକଟାଳ ଶବ୍ଦ କରି ପଶିଯିବା, ନିଶାଖୋର ଙ୍କ ଉତ୍ପାତ, ଚେନ ଲୁଟ, ପକେଟମାର, ଚୋର ଆଦିଙ୍କ ଦୌରାତ୍ମ ଦେଖିବାକୁ ମିଳିଛି । ପୁଲିସ ଶୀତଳଷଷ୍ଠୀ ପାଇଁ ମଦ ବିରୋଧୀ ଅଭିଯାନ ଚଳାଇ ବ୍ୟାପକ ଧରପଗଡ କରୁଥିବାର ଦାବି କରୁଥିବା ବେଳେ କିନ୍ତୁ କୋରେକ୍ସ, ନିଶା ବଟିକା, ଗଞ୍ଜେଇ, ବ୍ରାଉନ ସୁଗାର ଆଦି ମାରାତ୍ମକ ନିଶାଦ୍ରବ୍ୟ ଗୁଡିକ ସହରରେ ବହୁ ପୁର୍ବରୁ ଚୋରା ବେପାରୀ ମାନେ ମହଜୁଦ ରଖିଥିବାର କୁହାଯାଉଛି ।

ସୁଚନାଯୋଗ୍ୟ ଯେ, ବିଗତ ବର୍ଷ ଗୁଡିକ ତୁଳନାରେ ସମ୍ବଲପୁରରେ ଅପରାଧିକ ଗତି ଢେର ବୃଦ୍ଧି ପାଇଛି ଏବଂ ଏହା ସହରବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ପୁଲିସ ନିଜର ଦୋଷ ଦୁର୍ବଳତାକୁ ଘୋଡାଇବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କର ଧ୍ୟାନ ଅନ୍ୟ ପଟକୁ କରୁଛି ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ପୁଲିସର ସ୍ୱାର୍ଥପର କାର୍ଯ୍ୟଶୈଳୀ ଯୋଗୁଁ ଅପରାଧୀ ମାନଙ୍କର ଭୟ ପୁଲିସ ପ୍ରତି ରହୁନାହିଁ। ପୁଲିସର ଶତ ଦାବି ସତ୍ୱେ ବିଗତ ବର୍ଷ ଗୁଡିକ ତୁଳନାରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତ ଚିନ୍ତାଜନକ ଭାବରେ ନିମ୍ନଗାମୀ ହୋଇ ଚାଲିଛି, ଏଥିରେ ଦ୍ୱିମତ ନାହିଁ।

Comments are closed.