ସମ୍ବଲପୁର ଲୋକସଭା ଆସନ : ବିଜେଡିଗଡ଼ରେ ବିଜେପିର ଚାଲେଞ୍ଜ

ସମ୍ବଲପୁର : ତୃତୀୟ ପର୍ଯ୍ୟାୟରେ ଆସନ୍ତା ୨୩ ତାରିଖରେ ସମ୍ବଲପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୭ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରଚାର ଅଭିଯାନ ସରଗରମ ହୋଇ ଉଠିଛି।
ପଶ୍ଚିମ ଓଡ଼ିଶାର ଏହି ପ୍ରମୁଖ ଲୋକସଭା କ୍ଷେତ୍ରରେ ବିଜେଡି ଓ ବିଜେପି ମଧ୍ୟରେ ସବୁ ସମୟରେ କଡ଼ା ଟକ୍କର ଦେଖିବାକୁ ମିଳିଥାଏ। ତେବେ ଚଳିତ ନିର୍ବାଚନରେ ଏଠାରୁ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜୁ ଜନତା ଦଳରୁ ନଳିନୀକାନ୍ତ ପ୍ରଧାନ, ବିଜେପିରୁ ନିତେଶ ଗଙ୍ଗଦେବ, କଂଗ୍ରେସରୁ ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ବହୁଜନ ସମାଜ ପାର୍ଟିରୁ ମହମ୍ମଦ ମୁସ୍ତୁକିମ୍‍ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟାନ୍ୟ ରାଜନୈତିକ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୬ ତାରିଖରେ ସମ୍ବଲପୁରରେ ରାଲି ଏବଂ ନିର୍ବଚନୀ ସଭା ମାଧ୍ୟମରେ ଏଠାରେ କିଛି ପରିମାଣରେ ବିଜେପି ସପକ୍ଷରେ ବାତାବରଣ ସୃଷ୍ଟି କରିବାରେ ସଫଲ ହୋଇଛନ୍ତି। ଫଳରେ ଏବେ ଜଣାପଡୁଛି କି ବିଜେଡିର ଏହି ଗଡ଼ରେ ବିଜେପି କଡ଼ା ଚାଲେଞ୍ଜ ସୃଷ୍ଟି କରିଛି । ତେବେ କଂଗ୍ରେସ ପ୍ରାର୍ଥ ସ୍ଥାନୀୟ ବାସିନ୍ଦା ହୋଇ ନଥିବାରୁ ଭୋଟର ମାନଙ୍କ ମଧ୍ୟରେ ସେତେ ପ୍ରଭାବ ବିସ୍ତାର କରିପାରୁ ନାହାନ୍ତି। ତେବେ ମୁଖ୍ୟତଃ ଏଠାରେ ବିଜେପି, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତାର ସମ୍ଭାବନା ରହିଛି।  ହେଲେ ବାସ୍ତବରେ  ବିଜେପି ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାରେ ପାନୀୟ ଜଳ, ଜଳସେଚନ ଏବଂ କୃଷକ ମାନଙ୍କୁ ଆର୍ଥିକ ସହାୟତା ବିଷୟରେ ବର୍ଣ୍ଣନା କରିବା ସହିତ, ସରକାରୀ ସହାୟତା ଆଦିି ସଧାସଳଖ  ହିତାଧୀକାରୀଙ୍କ ଜମାଖାତାକୁ ଯିବ ବୋଲି କହିଛନ୍ତି।


ନଳିନୀ କାନ୍ତ ପ୍ରଧାନ : ଚଳିତ ନିର୍ବାଚନରେ ବିଜେଡି ଏଠାରୁ ସାଂସଦ ଥିବା ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ନ ଦେଇ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରାଇଛି। ସେହିପରି ବିଜେପି ମଧ୍ୟ ୨୦୧୪ ନିର୍ବାଚନରେ ଏଠାରୁ ପ୍ରୀର୍ଥୀ ହୋଇ ପରାଜିତ ହୋଇଥିବା ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ବରଗଡ଼ରୁ ଠିଆ କରାଇ ଦେବଗଡ଼ର ବିଧାୟକ ନୀତେଶ ଗଙ୍ଗଦେବଙ୍କୁ ପ୍ରାର୍ଥୀ କରାଇଛି। ସେହିପରି କଂଗ୍ରେସ ଦଳ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପ୍ରୀର୍ଥୀ କରାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି ତିନିଜଣ କେହି ସମ୍ବଲପୁରର ବାସିନ୍ଦା ନୁହନ୍ତି। ନୀତେଶ ଗଙ୍ଗଦେବ ଓ ସରକାରୀ ଚାକିରରୁ ଅବସର ନେଇ ନିର୍ବାଚନ ଳଢୁଥିବା ନଳିନୀକାନ୍ତ ପ୍ରଧାନଙ୍କ ଘର ଆଠମଲ୍ଲିକରେ।
କିନ୍ତୁ ତିନିଜଣଙ୍କର ସମ୍ବଲପୁର ସହିତ ସଂପର୍କ ରହିଛି। ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଏଠାକାର ପ୍ରମୁଖ ପ୍ରସଙ୍ଗ ରହିଛି । ଯାହାକୁ ନେଇ କଂଗ୍ରେସ ପ୍ରାର୍ଥୀ ଅସୁବିଧାରେ ପଡିପାରନ୍ତି କାରଣ ବଲାଙ୍ଗୀରରେ ମଧ୍ୟ ଏହି ଦାବି କରାଯାଉଛି । ସେହିପରି ବିଜେଡି ପ୍ରାର୍ଥୀଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ହେଉଛି। ପରସ୍ପର ଉପରେ ଆରୋପ ପ୍ରତ୍ୟାରୋପକୁ ନେଇ ନିର୍ବାଚନ ବେଶ ରୋଚକ ମୋଡରେ ପହଁଚିଛି । ମତଦାନ ସମୟ ପାଖେଇ ଆସିଲେ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ସିଧା ସଳଖ ଲଢେଇ ହେବ ବୋଲି ଅନୁମାନ କରାଯାଉଛି। ତେବେ ବିଜେଡ଼ିର ନଳିନୀ ପ୍ରଧାନ କୃଷକ ତଥା ଚଷା ସମାଜକୁ ପ୍ରତିନିଧିତ୍ୱ କରୁଛନ୍ତି । ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ମଧ୍ୟ ସେହି ସମୁଦାୟକୁ ପ୍ରତିନିଧିତ୍ୱ କରୁଥିଲେ। ସେହିପରି ପୂର୍ବରୁ ସାଂସଦ ଥିବା ଅମାର ପ୍ରଧାନ, କୃପାସିନ୍ଧୁ ଭୋଇ ମଧ୍ୟ କୃଷକ ବା ଚଷା ସମୁଦାୟର ଥିଲେ।


ନୀତେଶ ଗଙ୍ଗଦେବ : ୧୯୯୮ରୁ ସମ୍ବଲପୁର ବିଜୁଜନତା ଦଳର ଗଡ଼ ପାଲଟିଛି । ଯଦିଓ ୧୯୫୨, ୧୯୫୭ ଏବଂ ୧୯୬୨ ଲୋକସଭା ନିର୍ବାଚନରେ ଏହି ଆସନ ଗଣତନ୍ତ୍ର ପରିଷଦ ଏବଂ ପ୍ରଜା ସୋସାଲିଷ୍ଟ ପାର୍ଟି ହାତରେ ଥିଲା। ତେବେ ୧୯୬୭ରେ ଏହି ଆସନରୁ ପ୍ରଥମଥର କଂଗ୍ରେସ ବିଜୟୀ ହୋଇଥିଲା। ୧୯୭୧ରେ ମଧ୍ୟ କଂଗ୍ରେସ ବିଜୟୀ ହୋଇଥିଲା। ତେବେ ୧୯୭୭ରେ ଇନ୍ଦିରା ବିରୋଧୀ ହାୱା ଯୋଗୁ କଂଗ୍ରେସ ଏହି ଆସନରେ ପରାସ୍ତ ହୋଇଥିଲା ଏବଂ ଜନତା ପାର୍ଟିର ଗଣନାଥ ପ୍ରଧାନ ବିଜୟୀ ହୋଇଥିଲେ। ୧୯୮୦ ଏବଂ ୧୯୮୪ରେ କଂଗ୍ରେସର କୃପାସିନ୍ଧୁ ଭୋଇ ଏଠାରୁ ବିଜୟୀ ହୋଇଥିଲେ। କିନ୍ତୁ ୧୯୮୯ ନିର୍ବଚନରେ ଏଠାରୁ ଜନତା ଦଳର ପ୍ରାର୍ଥୀ ଭବାନୀ ଶଙ୍କର ହୋତା ବିଜୟୀ ହୋଇଥିଲେ। ପୁଣି ୧୯୯୧ରେ କଂଗ୍ରେସର କୃପାସିନ୍ଧୁ ଭୋଇ ଏଠାରୁ ବିଜୟୀ ହୋଇଥିଲେ। ୧୯୯୬ ପର୍ଯ୍ୟନ୍ତ ତାଙ୍କର ବିଜୟ ଅଭିଯାନ ଜାରି ରହିଥିଲା। ୧୯୯୮ ଲୋକସଭା ନିର୍ବାଚନରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଏଠାରୁ ବିଜୟୀ ହୋଇଥିଲେ। ସେହିପରି ୧୯୯୮, ୧୯୯୯ ଏବଂ ୨୦୦୪ରେ ସେ ବିଜେଡି ଟିକଟରେ ଏଠାରୁ ବିଜୟୀ ହୋଇଥିଲେ। ତେବେ ୨୦୦୯ରେ କଂଗ୍ରେସର ଅମରନାଥ ପ୍ରଧାନ ସମ୍ବଲପୁରରୁ ବିଜୟୀ ହୋଇଥିଲେ। ୨୦୧୪ରେ ବିଜେଡିର ନଗେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଜିତିଥିଲେ।


ଶରତ ପଟ୍ଟନାୟକ : ସମ୍ବଲପୁର ଲୋକସଭା ଆସନ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼ ଜିଲ୍ଲାର ଦେବଗଡ଼, ଏବଂ ଅନୁଗୋଲ ଜିଲ୍ଲାର ଛେଣ୍ଡିପଦା ଏବଂ ଆଠମଲ୍ଲିକ ବିଧାନସଭା ଆସନକୁ ନେଇ ଗଠିତ । ୨୦୧୧ ଜନଗଣନା ଅନୁସାରେ ଏଠାକାର ଜନସଂଖ୍ୟା ପ୍ରାୟ ୧୯ ଲକ୍ଷ ଥିଲା। ଏଠାକାର ୮୧ ପ୍ରତିଶତ ଲୋକ ଗ୍ରାମଞ୍ଚଳରେ ବାସ କରନ୍ତି। ମାତ୍ର ୧୯ ପ୍ରତିଶତ ଲୋକ ସହରାଞ୍ଚଳରେ ବସବାସ କରନ୍ତି । ଏହି ଆସନରେ ୧୭.୯୧ ପ୍ରତିଶତ ଅନୁସୂଚିତ ଜାତି, ପ୍ରାୟ ୩୦ ପ୍ରତିଶତ ଅନୁସୂଚିତ ଜନଜାତି ସଂପ୍ରଦାୟର ଲୋକ ବସବାସ କରନ୍ତି।
୨୦୧୪ ବିଧାନସଭା ନିର୍ବାଚନରେ ସମ୍ବଲପୁର ସଂସଦୀୟ ଆସନ ଅନ୍ତର୍ଗତ କୁଚିଣ୍ଠା ଏବଂ ଦେବଗଡ ଆସନରେ ବିଜେପି ବିଜୟୀ ହୋଇଥିଲା। ଅନ୍ୟ ପାଞ୍ଚଟି ଆସନରେ ବିଜେଡି ବିଜୟୀ ହୋଇଥିଲା।


ସାଂସଦଙ୍କ ରିପୋର୍ଟ କାର୍ଡ : ତେବେ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ କାର୍ଡ ଦେଖିଲେ ଜଣାଯାଏ ସେ ଲୋକସଭାର ୩୨୧ ବୈଠକ ମଧ୍ୟରୁ ୨୯୩ ଦିନ ସଂସଦରେ ଉପସ୍ଥିତ ଥିଲେ। ଷୋଡଶ ଲୋକସଭା ରେ ସେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ମୋଟ ୫୫୭ ପ୍ରଶ୍ନ ପଚାରିଛନ୍ତି । ସେ ସଂସଦରେ ୪୬ଟି ବିତର୍କରେ ଭାଗ ନେଇଥିଲେ। ସେ ଏକ ନିଜସ୍ବ ବିଲ୍ ମଧ୍ୟ ସଂସଦରେ ଆଗତ କରିଥିଲେ। ସାଂସଦ ପାଣ୍ଠି ବିନିଯୋଗ କ୍ଷେତ୍ରରେ ସେ ୫ ବର୍ଷରେ ମୋଟ ୧୨.୯୯ କୋଟି ଟଙ୍କା ବିଭିନ୍ନ ବିକାଶ ମୂଳକ କାର୍ୟ୍ୟରେ ବ୍ୟୟ କରିଛନ୍ତି । ତେବେ ଚଳିତ ଥର ସ୍ଥିତିରେ କିଛି ପରିବର୍ତ୍ତନ ଘଟିବାର ଆଶା ରହିଛି ବୋଲି ରାଜନୀତି ବିଶେଷଜ୍ଞ ମହଲରେ ଆଲୋଚନା ହେଉଛି।

ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ

ରେଙ୍ଗାଲି : ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ ରେଙ୍ଗାଲି ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ତ୍ରିମୁଖୀ ଲଢ଼େଇ ହୋଇପାରେ। ଏହି ବିଧାନସଭା କ୍ଷେତ୍ର ଗଠନ ହେବା ପରଠାରୁ ଯେଉଁ ୨ଟି ବିଧାନସଭା ନିର୍ବାଚନ ହୋଇଛି ସେଥିରୁ ପ୍ରଥମ ଥର କଂଗ୍ରେସ ଓ ଦ୍ୱିତୀୟ ଥର ବିଜେଡି ଅକ୍ତିଆର କରିଥିଲା। ଅଞ୍ଚଳର ଟାଣୁଆ ବିଜେଡି ନେତା ଏମ.ବି ପ୍ୟାରୀରାଜଙ୍କ ମୃତ୍ୟୁ ପରେ ନବ ଦାସ ଏହି ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିଛନ୍ତି।
ବିଜେଡି ଏହି ଆସନରେ ରାଜନୀତିରେ ନବାଗତା ରୀନା ତନ୍ତୀଙ୍କୁ ପ୍ରାର୍ଥୀ କରି ‘ନବ ପ୍ରଭାବ’ରେ ଗଡ଼ରକ୍ଷା ପାଇଁ ଉଦ୍ୟମ ଚଳାଇଛି। ରୀନାଙ୍କ ପାଇଁ ନବ ପ୍ରଚାର ଚଳାଇଛନ୍ତି। ପ୍ୟାରୀ ଓ ପୂର୍ବତନ ବିଧାୟକ ପଟୁଆଙ୍କ ସମର୍ଥକ ଦଳର ପ୍ରଦର୍ଶନକୁ କେତେକାଂଶରେ ପ୍ରଭାବିତ କରିପାରେ ବୋଲି ଅନୁମାନ କରାଯାଉଛି।

ଚଳିତ ନିର୍ବାଚନରେ ବିଜେପି ନାଉରୀ ନାଏକଙ୍କୁ ପ୍ରାର୍ଥୀ କରିଛି। ନାଉରୀ ଗତ ନିର୍ବାଚନରେ ମାତ୍ର ୧୭୦୦ ଭୋଟରେ ବିଜେଡିର ରମେଶ ପଟୁଆଙ୍କଠାରୁ ପରାସ୍ତ ହୋଇଥିଲେ। ମୋଦୀଙ୍କ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। କଂଗ୍ରେସ ନୂଆ ଚେହେରା ବାଳକୃଷ୍ଣ ରୋହିଦାସଙ୍କୁ ଏଠାରୁ ପ୍ରାର୍ଥୀ କରିଛି। କିନ୍ତୁ ନବ ଦାସ ବିଜେଡିକୁ ଯିବା ପରେ ବାଳକୃଷ୍ଣଙ୍କ ପାଇଁ ଏହା ଆହ୍ୱାନ ସୃଷ୍ଟି କରିଛି। ତଥାପି କୃଷିଋଣ ଛାଡ଼, ଧାନର ଏମଏସପି ୨୬ ଶହ ଟଙ୍କାକୁ ବୃଦ୍ଧି, ‘ନ୍ୟାୟ’ ଯୋଜନାରେ ଗରିବଙ୍କୁ ପ୍ରତି ମାସ ୬ ହଜାର ଟଙ୍କା ପ୍ରଦାନ ଆଦି ପ୍ରତିଶ୍ରୁତିକୁ ଅସ୍ତ୍ର କରି ସେ ବିଜେପି ଓ ବିଜେଡି ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନରେ ମୋଟ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୧, ୯୩,୮୩୫ ଭୋଟର ୨୩୫ଟି ବୁଥରେ ମତଦାନ କରିବେ।
ତେଣୁ ଚଳିତ ନିର୍ବାଚନ ବିଜେଡି-ବିଜେପି ମଧ୍ୟରେ କଡ଼ା ମୁକାବିଲା ହେଲେ ମଧ୍ୟ କଂଗ୍ରେସ ଏ କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ। ରାଜ୍ୟର ପ୍ରମୁଖ ଶିଳ୍ପ କରିଡର ଭାବେ ପରିଗଣିତ ରେଙ୍ଗାଲିରେ ସାଂଘାତିକ ପ୍ରଦୂଷଣ, ଶିଳ୍ପ ବିସ୍ଥାପନ ଓ ଥଇଥାନ, ଚାଷୀଙ୍କ ଦୁଃସ୍ଥିତି ମୁଖ୍ୟ ପ୍ରସଙ୍ଗ ହୋଇଛି।

ତେବେ ତୃତୀୟ ପର୍ଯ୍ୟାୟରେ ଆସନ୍ତା୨୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ୪୧୭ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ୬ଟି ଲୋକସଭା ଆସନ ପାଇଁ ୬୧ଜଣ ପ୍ରାର୍ଥୀ ଥିବା ବେଳେ ୪୨ଟି ବିଧାନସଭା ଆସନ ପାଇଁ ୩୫୬ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଲୋକସଭା ଆସନ ପାଇଁ ୬୧ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୫୫ଜଣ ପୁରୁଷ ଏବଂ ୬ଜଣ ମହିଳା ଅଛନ୍ତି। ସେହିପରି ବିଧାନସଭା ଆସନ ପାଇଁ ୩୫୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୧୮ଜଣ ପୁରୁଷ ଏବଂ ୩୭ ଜଣ ମହିଳା ଏବଂ ଜଣେ ତୃତୀୟ ଲିଙ୍ଗ ପ୍ରାର୍ଥୀ ଅଛନ୍ତି।
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୦,୪୬୪ ମତଦାନ କେନ୍ଦ୍ରରେ ୪୭,୯୯,୦୩୦ ପୁରୁଷ ଭୋଟର,୪୪,୫୬,୭୨୯ ମହିଳା ଭୋଟର ଓ ୧୧୬୩ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।
ଏହି ପର୍ଯ୍ୟାୟରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଆଦି ୬ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।

Comments are closed.