ତେଲନଦୀ ପୋଲରୁ ଡେଇଁ ଦୁଇଭଉଣୀଙ୍କ ନିଖୋଜ ଘଟଣା: ସୋନପୁର ଓ ବୌଦ୍ଧରୁ ମିଳିଲା ଶବ

ତୁଷୁରା/ତରଭା/ଜହ୍ନାପଙ୍କ: ବଲାଙ୍ଗିର ଜିଲାରୁ ନଦୀରେ ନିଖୋଜ ଥିବା ଦୁଇଭଉଣୀଙ୍କ ଶବ ପ୍ରାୟ ୨ ଦିନ ପରେ ସୋନପୁର ଜିଲାର ତରଭା ଠାରେ ତେଲନଦୀରୁ ଏବଂ ବୌଦ୍ଧ ଜିଲାର ଜହ୍ନାପଙ୍କ ଠାରେ ମହାନଦୀରୁ ଉଦ୍ଧାର କରାଯାଇଛି ା ଦୁଇ ଭଉଣୀ ଗୁଡଭେଲା ଅଞ୍ଚଳର ମେଧାବୀ ଛାତ୍ରୀ ଥିବାରୁ ସେମାନଙ୍କ ଶବ ଆଜି ମିଳିବାପରେ ଅଞ୍ଚଳରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ା
ଗତ ୧୫ ତାରିଖ ମଧ୍ୟାହ୍ଣ ୧୨ଟାରେ ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା ଗ୍ରାମର ରାମଅବତାର ଅଗ୍ରୱାଲଙ୍କ ଦୁଇଝିଅ ଅନମୋଲ (୨୨) ଓ ଆଞ୍ଚଲ (୧୯) ତୁଷୁରା- ଗୁଡଭେଲା ରାସ୍ତାର ତେଲନଦୀ ପୋଲ ଉପରେ ନିଜ ସ୍କୁଟି ରଖି ନଦୀ ଭିତରକୁ ଡେଇଁ ପଡିଥିଲେ ା ଏହି ଖବର ପ୍ରଚାରିତ ହେବା ମାତ୍ରେ ଗୁଡଭେଲା,ସଇଁନ୍ତଲା ଓ କଣ୍ଟାମାଳର ଦମକଳ ବାହିନୀ, ବଲାଙ୍ଗିର ଓଡ୍ରାଫ ଦଳ ୧୫ ଓ ୧୬ ତାରିଖ ଦୁଇ ନିଖୋଜ ଭଉଣୀଙ୍କ ଅନୁସନ୍ଧାନ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିପାରି ନ ଥିଲା ା ତେବେ ଶନିବାର ତରଭା ବ୍ଲକ ଅନ୍ତର୍ଗତ ସିଂହାରୀ ପଞ୍ଚାୟତ ବଡତେଣ୍ଡା ଗ୍ରାମ ନିକଟସ୍ଥ ତେଲନଦୀରେ ଜଣେ ଯୁବତୀଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୁଲିସକୁ ଜଣାଇଥିଲେ। ତରଭା ଆଇଆଇସି ଡୋଳାମଣୀ ଭୋଇଙ୍କ ନେତୃତ୍ବରେ ପୁଲିସଦଳ ପହଞ୍ଚି ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲେ ା ତଦନ୍ତରୁ ତାହା ତୁଷୁରା ଅଞ୍ଚଳରୁ ନିଖୋଜ ଥିବା ସାନଭଉଣୀ ଆଞ୍ଚଲଙ୍କ ମୃତଦେହ ବୋଲି ଜଣାପଡିଥିଲା ା ତରଭା ଥାନାରେ ଏକ ମାମଲା ରୁଜୁହୋଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି ା ସେହିପରି ବଡ଼ଭଉଣୀ ଅନମୋଲଙ୍କ ମୃତଦେହ ଛୋଟଭଉଣୀଙ୍କ ଶବ ଉଦ୍ଧାର ସ୍ଥଳରୁ ୪୦ କିଲୋମିଟର ଦୂର ବୌଦ୍ଧ ଜିଲା ବାଉଁଶୁଣୀ ଅଞ୍ଚଳର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତୀ ମହାନଦୀ ଘାଟରୁ ଉଦ୍ଧାର କରାଯାଇଛି ା ଆଜି ସକାଳ ୮ଟାରେ ଜଣେ ଯୁବତୀଙ୍କ ମୃତଦେହ ବାଉଁଶୁଣୀ ନିକଟସ୍ଥ ମହାନଦୀରେ ଭାସୁଥିବା ଦେଖି ସ୍ଥାନୀୟଲୋକେ ପୁଲିସକୁ ଖବର ଦେଇଥିଲେ ା ଖବରପାଇ ବାଉଁଶୁଣୀ ଦମକଳବାହିନୀ ନଦୀ ତଳମୁଣ୍ଡ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଜଗତୀ ମହାନଦୀ ଘାଟରେ ଜଗିରହି ମଧ୍ୟାହ୍ଣ ୧୨ଟାରେ ମୃତଦେହ ଉଦ୍ଧାର କରିଥିଲେ ା ତଦନ୍ତପରେ ମୃତଦେହଟି ଅନମୋଲଙ୍କ ବୋଲି ଜଣାପଡିଥିଲା ା ଅନମୋଲଙ୍କ ବିବାହ ପ୍ରସ୍ତାବ ବାଉଁଶୁଣୀର ଜଣେ ଯୁବକଙ୍କ ସହ ହେବାର ଥିଲା ବୋଲି ଏକ ଅସମର୍ଥିତ ସୂତ୍ରରୁ ଜଣାପଡିଛି ା ଦୁଇଝିଅଙ୍କୁ ହରାଇ ରାମଅବତାର ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ା

Comments are closed.