ଶେଷ ପର୍ଯ୍ୟାୟରେ ଫ୍ଲାଇ ଓଭର ନିର୍ମାଣ, ସର୍ଭିସ ରୋଡ ପାଇଁ ନିଷ୍କ୍ରିୟ ପ୍ରଶାସନ

ସମ୍ବଲପୁର: ସମ୍ବଲପୁରରେ କେନ୍ଦ୍ରସ୍ଥଳିରେ ନିର୍ମାଣାଧିନ ଫ୍ଲାଇ ଓଭର ଏବେ ଶେଷ ପର୍ଯ୍ୟାୟରେ ପହୁଞ୍ôଚ ଯାଇଛି। ଏବେ ଫ୍ଲାଇ ଓଭର ନିର୍ମାଣକୁ ଶେଷ ସ୍ପର୍ଶ ଦିଆଯାଉଛି। ଫ୍ଲାଇ ଓଭରର ଉପର ପାର୍ଶ୍ବ, ରାସ୍ତା ଏବଂ କ୍ରସିଂ ପଏଣ୍ଟ ଆଦିକୁ ଫାଇନାଲ ଟଚ ଦିଆଯାଉଛି। ଏହା ସହିତ ସର୍ଭିସ ରୋଡ ଗୁଡିକର ପିଚୁ କରଣ ଜୋରସୋରରେ କରାଯାଉଛି। ସମୟରୁ ବିଳମ୍ବରେ ନିର୍ମାଣାଧିନ ଏହି ଫ୍ଲାଇ ଓଭରର ନିର୍ମାଣ ଶେଷ ଏବଂ ଉଦଘାଟନକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ଏହି ସବୁ ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ଆଗାମୀ ଜାନୁଆରୀ ୨୬ ତାରିଖରେ ଏହି ଫ୍ଲାଇ ଓଭରର ଉଦଘାଟନ କରାଯିବାର ସହର ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ବିଡମ୍ବନାର ବିଷୟ ଯେ ଏବେ ମଧ୍ୟ ଅଧାଅପନ୍ତରିଆ ଅବସ୍ଥାରେ ରହିଛି।

ଆଗାମୀ ୫୦ ବର୍ଷ ପାଇଁ ଧ୍ୟାନକୁ ନେଇ କୌଣସି ଏକ ଜନହିତକର ଯୋଜନାକୁ କାର୍ଯ୍ୟକାରି କରାଯାଇଥାଏ। ଏଥି ପାଇଁ ଏହି ଫ୍ଲାଇ ଓଭର ନିର୍ମାଣ ସମୟରେ ଉଭୟ ପାର୍ଶ୍ବରେ ସର୍ଭିସ ରୋଡ ପାଇଁ ୪ ମିଟର ରାସ୍ତା ଓ ୧ ମିଟର ନାଳ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଯାହା ଫଳରେ ସହଜରେ ଏକ ଆମ୍ବୁଲାନ୍ସ, ଦମକଳ ଗାଡି ସମେତ ଅନ୍ୟ ଯାନ ମାନେ ଯାଇପାରିବେ। ତେବେ ଏବେ ମଧ୍ୟ ଫ୍ଲାଇ ଓଭରର ଆରମ୍ଭ ହେବାର ଉଭୟ ପାର୍ଶ୍ବ କଚେରୀ ଛକ ଏବଂ ଧୁଚୁରା ପଡା ଛକ ଅଞ୍ଚଳରେ ଅନେକ ସ୍ଥାୟୀ ସରକାରୀ ଓ ବେସକାରୀ ନିର୍ମାଣ ରହିଛି। ସର୍ଭିସ ରୋଡ ଗୁଡିକର ପ୍ରଶସ୍ତିକରଣ ନିମନ୍ତେ ଏହି ଅଞ୍ଚଳ ଗୁଡିକରେ ଅନେକ ସ୍ଥାୟୀ କୋଠା ଘର ଓ ଜମିର ଅଧିଗ୍ରହଣ ଆବଶ୍ୟକତା ହେଉଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ତାହା ହୋଇ ପାରିନାହିଁ। ଫଳରେ ଯଦି ଏହି ଫ୍ଲାଇ ଓଭରର ଉଦଘାଟନ ହୁଏ ତାହା ହେଲେ ଏହା ଅଧା ଅପନ୍ତରିଆ ହୋଇ ରହିବ ବୋଲି ସହରବାସୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।

ଯେହେତୁ ଆଗାମୀ ଦିନରେ ଆବଶ୍ୟକତାକୁ ଧ୍ୟାନ ଦିଆଯାଇ ଏହାର ନିର୍ମାଣ କରାଯାଇଥିବାରୁ ଆଗାମୀ ଦିନରେ ସର୍ଭିସ ରୋଡ ପାଇଁ ୫ ମିଟର ସ୍ଥାନରୁ ଆହୁରୀ ଅଧିକ ସ୍ଥାନର ଆବଶ୍ୟକତା ରହିଛି। କିନ୍ତୁ ଏବେକାର ସ୍ଥିତି ଅନୁଯାୟୀ ଏବେ ମଧ୍ୟ ଫ୍ଲାଇ ଓଭରର ଦୁଇ ପାର୍ଶ୍ବରେ ଆରମ୍ଭ ସ୍ଥାନ ଗୁଡିକରେ ସର୍ଭିସ ରୋଡ ଅତ୍ୟନ୍ତ ସଙ୍କୁଚିତ ହୋଇ ରହିଛି। ଏଣୁ ଆବଶ୍ୟକ ସ୍ଥାନ ପାଇଁ ଜମି ଓ କୋଠା ଅଧିଗ୍ରହଣ କରାଯାଉ ନ ଥିବାରୁ ଫ୍ଲାଇ ଓଭର ତଳେ ଯାଇଥିବା ସର୍ଭିସ ରୋଡର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବର୍ତ୍ତମାନ ମଧ୍ୟ ରାସ୍ତା ଗୁଡିକ ଅତ୍ୟନ୍ତ ସଙ୍କୁଚିତ ଅବସ୍ଥାରେ ରହିଛି। ଫଳରେ ପ୍ରତ୍ୟହ ଟ୍ରାଫିକ ଜାମର ଜନତା ସମ୍ମୁଖୀନ ହେଉଛନ୍ତି। ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଯେ ସର୍ଭିସ ରୋଡର ପ୍ରଶସ୍ତିକରଣ ପାଇଁ ୧୬ଟି ବେସରକାରୀ ଜମି ଓ କୋଠା ସମେତ ଅନ୍ୟାନ୍ୟ ସରକାରୀ କୋଠା ଗୁଡିକୁ ବହୁ ଆଗରୁ ଚିହ୍ନଟ କରାଯାଇଛି। କିଛି ଦିନ ତଳେ ଆଶାପାଲି ସ୍କୁଲର ପାଚେରୀକୁ ଭଙ୍ଗାଯାଇ ସର୍ଭିସ ରୋଡ ପ୍ରଶସ୍ତିକରଣ ପାଇଁ କିଛିଟା ଜମି ଅଧିଗ୍ରହଣ କରାଯାଇଥିବା ବେଳେ ଅନ୍ୟ ସରକାରୀ ଓ ବେସରକାରୀ ସ୍ଥାନ ଗୁଡିକୁ ଅଧିଗ୍ରହଣ କରିବା ପାଇଁ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ। ଏଣୁ ଇତି ମଧ୍ୟରେ ଯଦି ଏହାର ଉଦଘାଟନ ହୁଏ ତାହା ହେଲେ ସର୍ଭିସ ରୋଡ ଉପରେ କେହି ଗୁରୁତ୍ୱ ଦେବେ ନାହିଁ ବୋଲି ଜନତାଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହେଉଛି। ଏହା ସହିତ ଧୁଚୁରାପଡା ଛକ ଠାରେ ବ୍ରିଜକୁ ପ୍ରବେଶ ପାଇଁ ରହିଥିବା ରାସ୍ତା ଏବେ ମଧ୍ୟ ଠିକ ନାହିଁ। ତେଣୁ ଏହି ଛକରେ ଯେତିକି ସ୍ଥାନ ଅଛି, ତାହା ଠାରୁ ଆହୁରୀ ଅଧିକ ପ୍ରାୟ ୨ ଗୁଣା ସ୍ଥାନର ଆବଶ୍ୟକତା ରହିଛି। ଯାହା ଫଳରେ ଆଗାମୀ ଦିନରେ ଏହି ସ୍ଥାନରେ ଅଘଟଣ ଗୁଡିକୁ ଏଡାଇ ଦିଆଯାଇ ପାରିବ, ନଚେତ ନିୟମିତ ଦୁର୍ଘଟଣା ଅବଶ୍ୟମ୍ଭାବୀ ବୋଲି ବିଶେଷଜ୍ଞ ମାନେ ମତ ଦେଉଛନ୍ତି। ଏଭଳି ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରାଯାଉଥିବାରୁ ସହରର କିଛି ବୁଦ୍ଧିଜୀବୀ ଆଇନ ଅଦାଲତର ଆଶ୍ରୟ ନେଉଥିବାର ଜଣାପଡ଼ିଛି।

 

 

Comments are closed.