ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଧନେଶ୍ୱର ଝାଙ୍କର

ରହିଛି ୪୧ ଅପରାଧିକ ମାମଲା, ୩ ସାଥୀ ଗିରଫ

ସମ୍ବଲପୁର: ସମ୍ବଲପୁର ସମେତ ରାଜ୍ୟର ବିଭିନ୍ନ ଜିଲାରେ ପୁଲିସର ମୁଣ୍ଡବ୍ୟଥାର କାରଣ ସାଜିଥିବା ଦୁର୍ଦ୍ଦାନ୍ତ ଅପରାଧି ଧନେଶ୍ୱର ଝାଙ୍କର ଓରଫ ଟିମାକୁ ପୁଲିସ ଧରିବାରେ ସଫଳ ହୋଇଛି। ଶୁକ୍ରବାର ସମ୍ବଲପୁର ଜିଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଟିମା ନାମରେ ସମ୍ବଲପୁର ସମେତ ବିଭିନ୍ନ ଜିଲାରେ ୪୧ଟି ମାମଲା ରହିଛି। ଟିମାକୁ ଧରିବା ପାଇଁ ସମ୍ବଲପୁର ପୁଲିସର ଦୁଇଟି ସ୍ୱତନ୍ତ୍ର ଦଳ ଗଠନ କରାଯାଇ ୨ ମାସ ହେବ ଅପରେସନ ଜାରି ରହିଥିଲା। ଅତ୍ୟନ୍ତ ଚତୁରତାର ସହିତ ଅପରାଧିକ କାଣ୍ଡ ଭିଆଉଥିବା ଟିମାର କାର୍ଯ୍ୟଶୈଳୀ ଯୋଗୁଁ ବିଗତ ୮ ବର୍ଷରୁ ଊର୍ଦ୍ଧ୍ବ ହେବ ସକ୍ରିୟ ଥିବାବେଳେ ୨୦୧୯ରେ କେବଳ ଥରୁଟିଏ କୁଚିଣ୍ଡା ପୁଲିସ ଦ୍ୱାରା ଧରାପଡିଥିଲା। ସେହି ସମୟରେ ତାର ଅପରାଧିକ ଇତିହାସ ସମ୍ପର୍କରେ କେହି ଜାଣି ପାରିନଥିଲେ। ପୂର୍ବରୁ ଏକ ମାମଲାରେ ସଂପୃକ୍ତ ଟିମାକୁ ମୟୁରଭଞ୍ଜ ପୁଲିସ ରିମାଣ୍ଡରେ ନେଇଥିବାବେଳେ ସେସମୟରେ ପୁଲିସ ସୁରକ୍ଷା ଭାଙ୍ଗି ଫେରାର ମାରିଥିଲା।

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ନାମରେ ସମ୍ବଲପୁର ସମେତ ଝାରସୁୁଗୁଡା, ସୁନ୍ଦରଗଡ, ଅନୁଗୁଳ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ ମାମଲା ରହିଛି। ସଦର ଥାନା ଅନ୍ତର୍ଗତ ରାସନପୁର ଗ୍ରାମର ଟିମା ପୂର୍ବରୁ ଜଣେ ଫୁଟବଲ ଖେଳାଳି ଥିବାବେଳେ ସେ ନିଜକୁ ସବୁ ସମୟରେ ସୁସ୍ଥ ସବଳ ରଖୁଥିଲା। ଏକାକୀ ୩ ରୁ ୪ ଜଣ ବ୍ୟକ୍ତିଙ୍କୁ କାବୁ କରିନେବା ବଳ ଓ କୌଶଳ ସେ ରଖିଛି। ତାର ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରାୟ ୨ ମାସ ତଳେ ସମ୍ବଲପୁର ପୁଲିସକୁ ମିଳିବା ପରେ ‘ଅପରେସନ ଟିମା’ ଆରମ୍ଭ କରାଯାଇଥିଲା। ଅତ୍ୟନ୍ତ ଚତୁର ଟିମାର ଦୁଇଜଣ ପତ୍ନୀ ଥିବାବେଳେ ସେ ସେମାନଙ୍କ ନିକଟକୁ କାଁଭାଁ ଆସୁଥିଲା। ସେ ନିଜ ଘରେ ରହିବା ଅପେକ୍ଷା ଜଙ୍ଗଲରେ ଏକୁଟିଆ ରହିବା ପସନ୍ଦ କରୁଥିଲା। ଅପରାଧିକ କାଣ୍ଡ ଭିଆଇବା ପରେ କିଛିଦିନ ପାଇଁ ଚେନ୍ନାଇ ଚାଲିଯାଉଥିଲା। ସେ ଯେଉଁ ଅଞ୍ଚଳରେ ଅପରାଧ କରୁଥିଲା, ସେହି ଅଞ୍ଚଳର ସାଥିଙ୍କ ସହାୟତାରେ ଅପରାଧ ଭିଆଉଥିଲା। ଗତଦିନରେ ଯୁଯୁମୁରା ଅଞ୍ଚଳରେ ଘଟିଥିବା ୪ଟି ଲୁଟ ମାମଲାରେ ମଧ୍ୟ ତାର ସଂପୃକ୍ତି ରହିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ଗଙ୍ଗାଧର କହିଛନ୍ତି।

ଦୁର୍ଦ୍ଦାନ୍ତ ଟିମାକୁ ଗିରଫ କରିବା ସହିତ ତାର ୩ ଜଣ ସାଥି ରାସନପୁରର ମନୋରଞ୍ଜନ ଝାଙ୍କର, ବଡମାଳ ଯୁଯୁମୁରାର ପ୍ରମୋଦ ବେହେରା ଓ ରବିନ୍ଦ୍ର ଧରୁଆଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ମୋଟର ସାଇକେଲ, ୧୦ଟି ମୋବାଇଲ ଫୋନ ଓ ସିମ କାର୍ଡ, ୩ଟି ଟାବଲେଟ କମ୍ପ୍ୟୁଟର, ଏକ ଛୁରୀ, ନଗଦ ୪ ହଜାର ଟଙ୍କା ଓ ୨ଟି ଏଟିଏମ କାର୍ଡ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି ଅଦାଲତ ଚାଲାଣ କରାଯିବ ଓ ଆଗାମୀ ଦିନରେ ପୁଲିସ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି।

Comments are closed.