ନକଲି ଜିନ୍ସ ପ୍ୟାଣ୍ଟ ପରେ ନକଲି କପଡା ଜବତ, ସମ୍ବଲପୁର ପୁଲିସର ଚଢ଼ଉ ଜାରି

ସମ୍ବଲପୁର: ସମ୍ବଲପୁରର ଲକ୍ଷ୍ମୀ ଟକିଜ ଛକରେ ସ୍ଥିତ କପଡା ଦୋକାନରୁ ନକଲି ଜିନ୍ସ ପ୍ୟାଣ୍ଟ ଧରା ପଡିବା ମାମଲାର ୨୪ ଘଣ୍ଟା ନ ପୁରୁଣୁ ପୁଲିସ ଟାଉନ ଥାନା ଅର୍ନ୍ତଗତ ଏକ କପଡା ହୋଲସେଲ ଓ ଏକ ନାମୀଦାମୀ ଦୋକାନ ଉପରେ ଚଢ଼ଉ କରି ପୁର୍ନବାର ବିପୁଳ ମାତ୍ରାରେ ନକଲି କପଡା ଜବତ କରିଛି। ବିଶ୍ୱସ୍ତସୁତ୍ରରୁ ପ୍ରକାଶ ଯେ, ନାମୀଦାମୀ କପଡା ନିର୍ମାଣକାରୀ ସଂସ୍ଥା ‘ସ୍ପାର୍କି’ର ମାଲିକ ତଥା ରାଜଧାନୀ ନୁଆଦିଲ୍ଲୀ ନିବାସୀ ଯୁଗଳ କିଶୋର ଅହୁଜା ତାଙ୍କ କମ୍ପାନୀର ନାମ ବଦନାମ କରିବା ସହିତ ନକଲି କପଡା ବିକ୍ରି କରିବାର ଅଭିଯୋଗ ସମ୍ବଲପୁର ପୁଲିସ ନିକଟରେ କରିଛନ୍ତି। ଏଣୁ ଗତକାଲି ଠାରୁ ଟାଉନ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଚଢ଼ଉ ଅଭିଯାନର ଦ୍ୱିତୀୟ ଦିନରେ ଗୋଲବଜାର ସ୍ଥିତ ଏକ ବଡ କପଡା ଦୋକାନ ଉପରେ ଚଢ଼ଉ କରାଯାଇ ୧୩୩ଟି ନକଲି ସାର୍ଟ ଏବଂ ଗୁଜୁରାତି କଲୋନୀ ଠାରେ ଏକ ପୁରୁଣା କପଡା ହୋଲସେଲର ପ୍ରତିଷ୍ଠାନ ଉପରେ ଚଢ଼ଉ କରି ୪୬୪ଟି ନକଲି ଜିନ୍ସ ପ୍ୟାଣ୍ଟ ଜବତ କରିଛି। ଉଭୟ ମାମଲା ଗୁଡିକରେ ଖବର ଲେଖାଯିବା ପର୍ଯ୍ୟନ୍ତ ଟାଉନ ଥାନାରେ ମାମଲା ରୁଜୁ ହୋଇ ନ ଥିବା ବେଳେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା ଚଳାଇଛି।

ଅପରପକ୍ଷରେ ଗତକାଲି ଲକ୍ଷ୍ମୀ ଟକିଜ ଛକ ସ୍ଥିତ ଫେସନ ୱାର୍ଲଡ ନାମକ ଦୋକାନକୁ ଚଢ଼ଉ କରି ୧୩୦ଟି ନକଲି ଜିନ୍ସ ପ୍ୟାଣ୍ଟ ଜବତ କରିବା ସହିତ ଜଣକୁ ଗିରଫ କରି ଦୋକାନକୁ ଜଉମୁଦ କରାଯାଇଛି। ସୂଚନାଯୋଗ୍ୟ ଯେ, ଜାତୀୟସ୍ତରର ନାମୀଦାମୀ କପଡା ନିର୍ମାଣ କମ୍ପାନୀ ‘ସ୍ପାର୍କି’ ର ସାମଗ୍ରୀଗୁଡିକ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ବ୍ୟାପକ ଭାବରେ ବିକ୍ରି ହେଉଥିବାର ଅଭିଯୋଗ କମ୍ପାନୀ ମାଲିକ ସମ୍ବଲପୁର ପୁଲିସ ନିକଟରେ କରିବା ପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଟାଉନ ଥାନାରୁ ଅନତି ଦୂରରେ ରହିଥିବା ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଖୁଲମଖୁଲା ଏଭଳି ଗୋରଖ ଧନ୍ଦା ଚାଲୁଥିବା ବେଳେ ଟାଉନ ପୁଲିସକୁ ଏହା ଜଣା ନ ପଡିବା ଏବଂ କମ୍ପାନୀର ଅଭିଯୋଗ ପରେ ଚଢ଼ଉ କରିବା ଘଟଣା ସମସ୍ତଙ୍କୁ ଆର୍ଶ୍ଚର୍ଯ୍ୟ ଚକିତ କରୁଛି।

Comments are closed.