ଚାଷୀଙ୍କ ସମସ୍ୟା ସମାଧାନ ଦାବିରେ ଜିଲା ବିଜେପି ପକ୍ଷରୁ ରାସ୍ତାରୋକ

ସମ୍ବଲପୁର: ଓଡିଶାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାର ବିରୋଧ ଓ ଦେଶର ଅନ୍ନଦାତା ବୋଲାଉଥିବା ଚାଷୀଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଜିଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଗୁରୁବାର ରାସ୍ତାରୋକ କରାଯାଇଥିଲା। ଜିଲା କୃଷକ ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ସ୍ଥାନୀୟ ଅଇଁଠାପାଲି ଛକ ଠାରେ ଜାତୀୟ ରାଜପଥ ସଂଖ୍ୟା ୫୫କୁ ଦଳୀୟ କର୍ମକର୍ତ୍ତା ମାନେ ସକାଳ ୧୦ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ୨ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ହଜାର ହଜାର ଯାନବାହନ ଜାତୀୟ ରାଜପଥରେ ଉଭୟ ପାର୍ଶ୍ବରେ ଅଟକି ରହିଥିଲା।

ରାଜ୍ୟ ସରକାରଙ୍କ କୃଷି ମାରଣ ନିତିକୁ ବିରୋଧ କରିବା ସହିତ ଅବଧି ସରିଯାଇଥିବା ଚାଷୀଙ୍କ ଟୋକନ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଧାନ କିଣିବା, ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥାକୁ ଠିକ କରିବା ଆଦି ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ କୃଷକ ମୋର୍ଚ୍ଚା ଦାବି କରିଛି। ଏହି ଅବସରରେ ରେଙ୍ଗାଲି ବିଧାୟକ ତଥା ରାଜ୍ୟ ଉପ ସଭାପତି ନାଉରୀ ନାୟକ, ଜିଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ପୂର୍ବତନ ବିଧାୟକ ରବି ନାୟକ, ସିମାଞ୍ଚଳ ଖଟେଇ, ଜିଲା ସଭାପତି ଗିରିଶ ପଟେଲ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ଚନ୍ଦ୍ରଶେଖର ପଣ୍ଡା, ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ଅନ୍ନପୁର୍ଣ୍ଣା ବାରିକ, ଦେବେନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ମେହେର, ସୁଷମା ସାହୁ, ଅଶ୍ୱିନୀ ମାଝୀ, ରିଙ୍କୁ ହୋତା, ଗିରିଜା ସାହୁ, ମହେନ୍ଦ୍ର ଭୋଇ, ମାନସ ରଞ୍ଜନ ବକ୍ସୀ, ଦେବେନ୍ଦ୍ର ନାୟକ, ପ୍ରମୋଦ ନାୟକ, ରମେଶ ପ୍ରଧାନଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ।

ଆଜିର ବିକ୍ଷୋଭ ପ୍ରଦର୍ଶନ ପରେ ଶୁକ୍ରବାର ସମ୍ବଲପୁର ଜିଲା ଯୋଗାଣ କାର୍ଯ୍ୟାଳୟ କୃଷକ ମୋର୍ଚ୍ଚା ତରଫରୁ ଘେରାଉ କରି ମଣ୍ଡିରେ ପଡିଥିବା ସମସ୍ତ ଧାନ ଗୁଡିକୁ ବିକ୍ରି କରିବା ନିମନ୍ତେ ଦାବି କରାଯିବ ବୋଲି ସଭାପତି ସମୀର ବାବୁ କହିଛନ୍ତି।

Comments are closed.