ସମ୍ବଲପୁର ସାଂସଦଙ୍କ କୋଭିଡ ଯତ୍ନ କେନ୍ଦ୍ର ପରିଦର୍ଶନ

ଜୁନ ସୁଦ୍ଧା ଶେଷ ହେବ ପିଏସ୍‍ଏ ପ୍ଲାଂଟର ନିର୍ମାଣ କାର୍ଯ୍ୟ

ଦେବଗଡ:ସ୍ଥାନୀୟ ସରକାରୀ ପଲିଟେକନିକ୍‍ ସ୍ଥିତ କୋଭିଡ-୧୯ ଯତ୍ନ କେନ୍ଦ୍ରକୁ ଅମ୍ଳଜାନ ଯୋଗାଣ ପାଇଁ ପି.ଏମ. କେୟାର ଫଣ୍ଡରୁ ନିର୍ମଣାଧିନ ୧୦୦ ଏଲ.ପି.ଏମ୍‍. କ୍ଷମତା ସମ୍ପନ୍ନ ପିଏସ୍‍ଏ(ପ୍ରେସର ସୁଇଙ୍ଗ ଏବଜର୍ପସନ)ପ୍ଲାଂଟର ନିର୍ମଣ କାର୍ଯ୍ୟ ଜୁନ ୩୦ ତାରିଖ ମଧ୍ୟରେ ଶେଷ ହେବ। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ସମ୍ବଲପୁର ଲୋକସଭା ସଦ୍ୟ ନିତେଶ ଗଙ୍ଗଦେବ ଓ ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀ ଦୀପକ ଶର୍ମା। ଆଜି ଅପରାହ୍ନରେ ଲୋକସଭା ସଦସ୍ୟ ଶ୍ରୀ ଗଙ୍ଗଦେବଙ୍କ ନିର୍ମଣାଧିନ ପି.ଏସ୍‍.ଏ. ପ୍ଲାଂଟ ପରିଦର୍ଶନ ଅବସରରେ ଶ୍ରୀ ଗଙ୍ଗଦେବ ଏବଂ ଶ୍ରୀ ଶର୍ମା ଏହି ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦ ଶଯ୍ୟାକୁ ଅମ୍ଳଜାନ ଯୋଗାଇଦେବା ନିମନ୍ତେ ପି.ଏମ. କେୟାର ଫଣ୍ଡରୁ ଗତ ମଇ ମାସ ୨୮ତାରିଖରୁ ଏହି ପିଏସଏ ପ୍ଲାଂଟର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଦେବଗଡ ଜିଲା ପ୍ରଶାସନ, ଜିଲା ସ୍ୱସ୍ଥ୍ୟ ବିଭାଗ, ପିଡବ୍ଲୁଡି, ବିଦ୍ୟୁତ ବିଭାଗ ଓ ଡିଆରଡିଓର ମିଳିତ ସହେଯାଗରେ ଯୁଦ୍ଧକାଳୀଣ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ସେଡ୍‍ ନିର୍ମାଣ କାର୍ଯ୍ୟଠରୁ ଆରମ୍ଭ କରି ବିଦ୍ୟୁତ ସଂଯୋଗ(ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର)ସମେତ ଡାକ୍ତରଖାନାକୁୁ ଅମ୍ଳଜାନ ପାଇପ୍‍ଲାନ୍‍ ସଂଯୋଗ ପର୍ଯ୍ୟନ୍ତ ସମସ୍ତ କାମ ଜୁନ ୩୦ ତାରିଖ ସୁଦ୍ଧା ଶେଷ ହେବ ବୋଲି ସେମାନେ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି। ସମ୍ବଲପୁର ଲୋକସଭା ସଦସ୍ୟ ଶ୍ରୀ ଗଙ୍ଗଦେବଙ୍କ କୋଭିଡ ଯତ୍ନ କେନ୍ଦ୍ର ପରିଦର୍ଶନ ସମୟରେ ସାଂସଦଙ୍କ ସମ୍ବଲପୁର ଜିଲା ପ୍ରତିନିଧି ତଥା ଦେବଗଡର ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରଞ୍ଜିତ ପଟେଲ ଓ ଦେବଗଡ ଜିଲା ପ୍ରତିନିଧି ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Comments are closed.