ପରିବାର ସହିତ ହୋମ ଆଇସୋଲେସନରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ

ସମ୍ବଲପୁର :  କରୋନା ଭୂତାଣୁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ଏହା ପ୍ରବେଶ କରିସାରିଛି। ଯାହା ଫଳରେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହିତ ସମସ୍ତ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କରୋନା ସଂକ୍ରମଣ ଆଶଙ୍କାରେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ରବିବାର ଠାରୁ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ସପରିବାର ସହିତ ହୋମ ଆଇସୋଲେସନରେ ରହିଥିବା ଘୋଷଣା କରିଛନ୍ତି।

ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇ କହିଛନ୍ତି ଯେ, ତାଙ୍କର ସାନପୁତ୍ର କେମ୍ବ୍ରିଜ (ୟୁକେ)ରୁ ଫେରିଛନ୍ତି। ତେବେ ଭଗବାନଙ୍କ କୃପାରୁ ସେ ଭଲ ଅଛନ୍ତି। କିନ୍ତୁ ସମାଜର ହିତ ପାଇଁ ସେ ଓ ତାଙ୍କର ପୁରା ପରିବାର ରାଜଧାନୀ ନୁଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ହୋମ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ସର୍ତକତା ବାର୍ତ୍ତା ଦେବା ପାଇଁ ସେ ଓ ତାଙ୍କର ପରିବାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି। ଏଣୁ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ତାଙ୍କର ଧର୍ମପତ୍ନୀ ଓ ଦୁଇ ପୁତ୍ର ଏବେ ସାର୍ବଜନୀନ ଜୀବନରୁ ଅବ୍ୟାହତି ନେଇ ହୋମ ଆଇସୋଲେସନରେ ରହିଛନ୍ତି।

Comments are closed.