’ସମାଜ ପ୍ରଭାବ’ : ଡାଇକ ଉପରେ ଅପରାଧ ଘଟଣା : ଦୁଇ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ସମ୍ବଲପୁର:  ସମ୍ବଲପୁର ସହରର ଉପକଣ୍ଠସ୍ଥ ଜମାଦାରପାଲି ନିକଟରେ ହୀରାକୁଦ ନଦୀବନ୍ଧ ଉପରେ ରହିଥିବା ଡାଇକ ରାସ୍ତାରେ ଗତ ୨୧ ତାରିଖରେ ସହରର କୁଖ୍ୟାତ ଅପରାଧି ତଥା ବିକାଶ ମୁଣ୍ଡା ଓ ସାଥି ମାନେ ଏହି ଅପରାଧିକ କାଣ୍ଡକୁ ଭିଆଇବା ଏବଂ ପୁଲିସର ଅସମ୍ଭବ ନିରବତା ଉପରେ ବାରମ୍ବାର ଦୈନିକ ଖବର କାଗଜ ‘ସମାଜ’ ପକ୍ଷରୁ ଖବର ପ୍ରକାଶନ ପରେ ଯାଇ ପୁଲିସ କିଛିଟା ସକ୍ରିୟ ହୋଇ ବିହିତ ପଦକ୍ଷେପ ନେଇଛି। ଗୋଷ୍ଠୀ ସଂଘର୍ଷ ଓ ଲୁଟପାଟ ଘଟଣା ମାମାଲରେ ଦୀର୍ଘ ୬ ଦିନ ପରେ ଶାସନ ପୁଲିସ ତାର ନିରବତା ଭଙ୍ଗ କରିଛି।

ଶାସନ ପୁଲିସର ସୂଚନାନୁଯାୟୀ, ଟାଉନ ଥାନା ଅର୍ନ୍ତଗତ ଚର୍ଚ୍ଚ ଛକ ନିବାସୀ ସୋନୁ ବେହେରା (୨୯) ତାଙ୍କର ସାଥି ବାବଲୁଙ୍କ ସହିତ ଏକ ବାଇକରେ ଗତ ୨୧ ତାରିଖ ସନ୍ଧ୍ୟାରେ ବୁଲି ଯାଇଥିଲେ ଏବଂ ଡାଇକ ରାସ୍ତାରେ ଯୋଗିପାଲି ଛକ ଠାରେ ଛିଡା ହୋଇଥିଲେ। ସେହି ସମୟରେ ଦେହେରିପାଲି ନିବାସୀ ତଥା ପୂର୍ବରୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ ବଳରେ ଗିରଫ ହୋଇଥିବା ବିକାଶ ମୁଣ୍ଡା, ତାଙ୍କର ପୁତୁରା ସୋନୁ, ରାଜେଶ ଓ ମଣ୍ଡଳ ନାମକ ୪ ଜଣ ଯୁବକ ଦୁଇଟି ବାଇକରେ ସେଠାରେ ପହଞ୍ଚିଥିଲେ। ସେମାନେ ସୋନୁ ଓ ତାଙ୍କ ସାଥିଙ୍କୁ ସେମାନଙ୍କ ନିକଟରେ ଯାହା ଟଙ୍କା ଅଛି ଦେଇ ଦେବାକୁ କହିଥିଲେ। ତେବେ ଟଙ୍କା ଦେବାକୁ ମନା କରିବାରୁ ଅଭିଯୋଗକାରୀ ସୋନୁଙ୍କୁ ମାଡପିଟ କରିବା ସହିତ ୪ ଜଣ ଅଭିଯୁକ୍ତ ଯୁବକ ବନ୍ଧୁକୁ ମୁନରେ ତାଙ୍କୁ ଅପହରଣ କରି ନେଇଥିଲେ। ଏହା ପରେ ତାଙ୍କୁ ବନ୍ଧୁକ ମୁନରେ ଧମକଚମକ ଦେଇ ମାଡପିଟ କରିବା ସହିତ ତାଙ୍କ ପକେଟ ଯାଞ୍ଚ କରି ୪ ହଜାର ୭ ଶହ ଟଙ୍କା ଲୁଟ କରି ନେଇଥିଲେ। ଏହା ପରେ ସୋମବାର–ମଙ୍ଗଳବାର ମଧ୍ୟ ରାତ୍ରିରେ ଅପହରଣକର୍ତ୍ତା ମାନେ ସୋନୁ ବେହେରାଙ୍କୁ ଭାଲୁପାଲି ଛକ ପାଖରେ ଛାଡି ଦେବା ସହିତ ପୁଲିସ ନିକଟକୁ ଗଲେ ଜୀବନରେ ମାରିଦେବାକୁ ଧମକ ଦେଇ ଚାଲି ଯାଇଥିଲେ। ଅପହରଣକର୍ତ୍ତାଙ୍କ ମାଡରେ ସୋନୁଙ୍କ ମୁହଁରେ ଆଘାତ ଲାଗିଛି।

ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହେବାରୁ ଆଇପିସିର ବିଭିନ୍ନ ଧାରା ଓ ଆର୍ମ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ପୁଲିସ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଏହି ଘଟଣାରେ ସଂପୃକ୍ତ ଅଇଁଠାପାଲି ଥାନା ଅର୍ନ୍ତଗତ ଦେହେରି ପାଲି ନିବାସୀ ଦୀପକ କୁମାର ମଣ୍ଡଳ (୩୧) ଓ ଟାଉନ ଥାନା ଅର୍ନ୍ତଗତ ସିଦ୍ଧେଶ୍ବରବେର୍ଣ୍ଣା ନିବାସୀ ରାଜେଶ ସାହୁ (୨୭)ଙ୍କୁ ଶାସନ ପୁଲିସ ଶନିବାର ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦ୍ୱୟଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ ଜବତ କରି ରବିବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି ଏବଂ ଫେରାର ଅଭିଯୁ୍‍କ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଚାଲିଛି ବୋଲି ଶାସନ ପୁଲିସ ଜଣାଇଛି।

ସୂଚନାଯୋଗ୍ୟ ଯେ, ହୀରାକୁଦ ନଦୀବନ୍ଧର ଡାଇକ ଅଞ୍ଚଳ ଗୁଡିକରେ ଜନତାଙ୍କ ଗତାଗତ କମ ରହୁଥିବା ବେଳେ ଏହା ଦିନ ସମୟରେ ମଧ୍ୟ ଖାଲି ରହିଥାଏ। ସଞ୍ଜ ନଇଁଲେ ଅଞ୍ଚଳଟି ସମ୍ପୁର୍ଣ୍ଣ ଅନ୍ଧକାରରେ ଡୁବି ରହିବା ଓ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅସାମାଜିକ ତତ୍ୱଙ୍କ ଆଡ୍ଡା ଜମିବା ଏବଂ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟ ହେଉଥିବାରୁ ଡାଇକ ରାସ୍ତାରେ ଲୋକେ ଯିବା ଆସିବାକୁ ଭୟଭୀତ କରିଥାନ୍ତି। ଏଣୁ ଡାଇକ ଅଞ୍ଚଳରେ ପୁଲିସର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।

ମୁଖ୍ୟ ଅଭିଯୁକ୍ତ ନାମରେ ଲାଗି ସାରିଛି ରାଷ୍ଟ୍ରୀୟ ସୁରକ୍ଷା ଆଇନ
ହୀରାକୁଦ ନଦୀବନ୍ଧ ଡାଇକ ରାସ୍ତାରେ ଘଟି ଯାଇଥିବା ଅପରାଧିକ ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ମୁଣ୍ଡାକୁ ୨୦୧୯ ମସିହାରେ ପୁଲିସ ରାଷ୍ଟ୍ରୀୟ ସୁରକ୍ଷା ଆଇନ ବଳରେ ଜେଲକୁ ପଠାଇଥିଲା। ଗତ ୨୩ ସେପ୍ଟେମ୍ବର ୨୦୧୯ ମସିହାରେ ଅଭିଯୁକ୍ତ ବିକାଶ ଓ ସାଥି ମାନେ ଫାଟକ ଅଞ୍ଚଳରେ ଦାଦାବଟି ମାଗିବା ଏବଂ ଏହାକୁ ନେଇ ଦୋକାନୀ ମାନଙ୍କୁ ମାଡପିଟ କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଦୋକାନୀ ଓ ଜନତା ରାସ୍ତାରୋକ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ପରେ ପରବର୍ତ୍ତୀ ସମୟରେ ତାକୁ ଗିରଫ କରାଯାଇ ରାଷ୍ଟ୍ରୀୟ ସୁରକ୍ଷା ଆଇନ ବଳରେ ଜେଲ ପଠାଯାଇଥିଲା।

ଏପ୍ରିଲ ମାସରେ ଜେଲରୁ ବାହାରିଥିଲା ମୁଖ୍ୟ ଅଭିଯୁକ୍ତ
ଗତ ଏପ୍ରିଲ ମାସରେ ବିକାଶ ମୁଣ୍ଡା ରାଷ୍ଟ୍ରୀୟ ସୁରକ୍ଷା ଆଇନର ସର୍ବାଧିକ ୧ ବର୍ଷର କାରାଦଣ୍ଡ ଭୋଗିବା ପରେ ଅନ୍ୟ ମାମଲା ଗୁଡିକରେ ଜାମିନ ପାଇ ବାହାରକୁ ଆସିଥିଲା। ଅଭ୍ୟାସଗତ ଅପରାଧି ରହିଥିବାରୁ ତା ଉପରେ ପୁଲିସ ନଜର ରଖିଥିଲା ଏବଂ ସେ ନିୟମିତ ଅଇଁଠାପାଲି ଥାନାରେ ହାଜିରା ମଧ୍ୟ ଦେଉଥିଲା ବୋଲି ଜଣାପଡ଼ିଛି।

 

Comments are closed.