ବିପୁଳ କଫ ସିରଫ ସହ ୨ ଗାଡ଼ି ଜବତ: ମହିଳାଙ୍କ ସହ ୪ ଗିରଫ

ମହିଳା କିଙ୍ଗପିନଙ୍କ ସମେତ ୪ ଗିରଫ, ୨ ଗାଡି ଜବତ

ସମ୍ବଲପୁର: ଲକ ଡାଉନ ସମୟରେ ସମ୍ବଲପୁର ଜିଲାରେ ଦିନକୁ ଦିନ ଅପରାଧିମାନେ ନିର୍ଭୟ ହେବା ସହିତ ବେଆଇନ ନିଶା କାରବାର ଅହେତୁକ ଭାବରେ ବୃଦ୍ଧି ପାଉଛି। ସମ୍ବଲପୁରର କେନ୍ଦ୍ରସ୍ଥଳିରେ ଅବସ୍ଥିତ ଟାଉନ ଥାନାର ସମ୍ମୁଖରେ ଥିବା ସାହୁ କଲୋନୀ ଅଞ୍ଚଳ ଜିଲା ତଥା ବିଶେଷ କରି ମହାନଗର ନିଗମ ଅଞ୍ଚଳର ବେଆଇନ ନିଶା କାରବାର ପେଣ୍ଠସ୍ଥଳି ପାଲିଟିଥିବା ବେଳେ ପୁଲିସ ନିଷ୍କ୍ରିୟ ରହିଛି। ତେବେ ବିଭିନ୍ନ ମହଲରୁ ଚାପ ପଡିବା ପରେ ସ୍ପେଶାଲ ସ୍କ୍ୱାର୍ଡ ଓ ଧନୁପାଲି ପୁଲିସ ଚୋରାରେ ଲକ୍ଷାଧିକ ଟଙ୍କାର ବେଆଇନ କଫ ସିରଫ ଜବତ କରିଛି। ଏହି ମାମଲାରେ ବେଆଇନ ନିଶା କଫ ସିରଫ କାରବାରରେ ସଂପୃକ୍ତ ବରଗଡ ଜିଲା ରେଙ୍ଗାଲି କ୍ୟାମ୍ପ ମୂଳ ନିବାସୀ ତଥା ଏବେ ଶାସନ ଥାନା ମାଝିପାଲିରେ ରହୁଥିବା ମହିଳା କିଙ୍ଗପିନ ପିଙ୍କି ମେହେର (୨୬) ଙ୍କ ସମେତ ତାଙ୍କର ବାପା ଶ୍ୟାମ ମେହେର (୪୫), ସମ୍ବଲପୁର ଟାଉନ ଥାନା ଅର୍ନ୍ତଗତ ସାହୁ କଲୋନୀ ନିବାସୀ ସନ୍ତୋଷ ବେହେରା (୩୫) ଓ ପ୍ରହଲ୍ଲାଦ ବେହେରା (୩୯)ଙ୍କୁ ପୁଲିସ ଗିରଫ କରିଛି।

ପୁଲିସର ସୂଚନାନୁଯାୟୀ, ମଙ୍ଗଳବାର ସକାଳ ସମୟରେ ଚୋରାରେ ଏକ ଟାଟା ମ୍ୟାଜିକ (ଓଡି-୧୫-ଏମ-୬୯୨୧) ଗାଡି ଜରିଆରେ ବିପୁଳ ମାତ୍ରାରେ କଫ ସିରଫ ଚାଲାଣ ହେଉଥିବାର ଖବର ବିଶ୍ୱସ୍ତସୂତ୍ରରୁ ସ୍ପେଶାଲ ସ୍କ୍ୱାର୍ଡ ଓ ଧନୁପାଲି ପୁଲିସ ପାଇଥିଲେ। ଏଣୁ ସେମାନେ ତୁରନ୍ତ ଧନକଉଡା ନିକଟରେ ଛକି ରହିଥିବା ବେଳେ ଚୋରା ନିଶାଦ୍ରବ୍ୟ ଚାଲାଣ ହେଉଥିବା ଗାଡିଟି ପୁଲିସକୁ ଦେଖି ଦ୍ରୃତଗତିରେ ଭୂତାପଡା ପଟକୁ ଖସି ଚାଲି ଯାଇଥିଲା। ତେବେ ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଦଳ ଗୋଡାଇ ଗାଡିକୁ ଧରିଥିଲେ। ଗାଡିରୁ ସାହୁ କଲୋନୀର ସନ୍ତୋଷ ଓ ପ୍ରହଲ୍ଲାଦକୁ ଧରିବା ସହିତ ଗାଡିରେ ରହିଥିବା ୧୦ଟି ପେଟିରେ ରହିଥିବା ମେକ୍ସକଫ ଅପମିଶ୍ରିତ ୧୬୦୦ କଫ ସିରଫ, ୩ଟି ବୋତଲରେ ୫ ଲିଟର ଅପମିଶ୍ରିତ ନିଶାଦ୍ରବ୍ୟ, ୫୦ଟି ନାଇଟ୍ରୋସମ ବଟିକା ଆଦି ଜବତ କରିଥିଲା। ପୁଲିସ ଜେରା ସମୟରେ ଅଭିଯୁକ୍ତ ମାନେ ସମସ୍ତ ନିଶାଦ୍ରବ୍ୟ ମାଝିପାଲିରୁ ବେଆଇନ କଫ ସିରଫ କାରବାରରେ ବହୁ ଦିନ ହେବ ଲିପ୍ତ କିଙ୍ଗପିନ ପିଙ୍କୁ ମେହେର ଓ ତାଙ୍କର ବାପା ଶ୍ୟାମ ମେହେରଙ୍କ ନିକଟରୁ ଆଣିଥିବାର ସ୍ୱିକାର କରିଥିଲେ।

ଏଣୁ ପୁଲିସ ତୁରନ୍ତ ମାଝୀପାଲି ସ୍ଥିତ ପିଙ୍କି ମେହେରଙ୍କ ଘରେ ଚଢ଼ଉ କରିଥିଲା। ପିଙ୍କି ରହୁଥିବା ଭଡା ଘରୁ ୧୪ଟି ପେଟିରେ ରହିଥିବା ୧୬୮୦ଟି ଏସକଫ ସିରଫ, ୩୦ଟି ନିଶାବଟିକା ଓ ଗୋଟିଏ ମାରୁତି ୱାଗନ ଆର (ଓଡି-୧୪-ଏ-୬୬୧୫) କାର ଜବତ କରିଥିଲା। ପୁଲିସ ମହିଳା କିଙ୍ଗପିନ ପିଙ୍କି ଙ୍କ ସହିତ ତାଙ୍କର ବାପା ଶ୍ୟାମଙ୍କୁ ଧରିବାରେ ସଫଳ ହୋଇଛି। ଏ ନେଇ ଧନୁପାଲି ଥାନାରେ ମାମଲା ନଂ ୩୪୭/୨୦୨୦ ଅନୁଯାୟୀ କେଶ ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ବୁଧବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ପଶ୍ଚିମ ଓଡିଶାର ନିଶା କଫ ସିରଫ କାରବାରର ଅନ୍ୟତମ ମହିଳା କିଙ୍ଗପିନ ପିଙ୍କି

ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ଚାଲିଥିବା ବେଆଇନ ନିଶା କାରବାରର ଅନ୍ୟତମ ମହିଳା କିଙ୍ଗପିନ ପିଙ୍କି ମେହେରକୁ ସମ୍ବଲପୁର ପୁଲିସ ଧରିଛି। ପିଙ୍କିକୁ ପ୍ରାୟ ୭ ମାସ ତଳେ ସମ୍ବଲପୁରର ଅଇଁଠାପାଲି ପୁଲିସ ଦ୍ୱାରା ଧରା ଯାଇଥିବା ବେଆଇନ କଫ ସିରଫ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ତେବେ ପ୍ରାୟ ୨ ମାସ ହେବ ସେ ଜେଲରୁ ଫେରିବା ପରେ ସେ ପୁଣି ଥରେ ମାଝିପାଲି ଠାରେ ଭଡା ଘର ନେଇ ସେହିଠାରୁ ତାଙ୍କର ନିଶାର ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିପଡିଥିଲେ। ପଶ୍ଚିମ ଓଡିଶାର ନିଶା କଫ ସିରଫ କାରବାରର କିଙ୍ଗପିନ କୁହାଯାଉଥିବା ବଲାଙ୍ଗୀରର ସାନ ନେଗିଙ୍କ ବାନ୍ଧବୀ ଭାବରେ ସେ ବେଶ ଜଣାଶୁଣା। ବିଗତ ବର୍ଷ ବଲାଙ୍ଗୀର ପୁଲିସ ଯେତେବେଳେ କଫ ସିରଫ କାରବାର ଉପରେ ଅଙ୍କୁଶ ଲଗାଇବା ପାଇଁ ବଡ ଧରଣର ଅଭିଯାନ ଚଳାଇଥିବା ବେଳେ ସାନ ନେଗି ଓ ପିଙ୍କି ମେହେରର ସଂପୃକ୍ତି ଥିବାର ଜଣାପଡିଥିଲା। ସେହି ସମୟରେ ପିଙ୍କି ବଲାଙ୍ଗୀରରେ ରହୁଥିବା ବ୍ରାହ୍ମଣପଡା ଘରେ ମଧ୍ୟ ପୁଲିସ ଚଢ଼ଉ କରିବା ପରେ ସେ କିଭଳି ଭାବରେ ପଶ୍ଚିମ ଓଡିଶାରେ ନିଶା କାରବାର କରୁଥିଲେ ସେ ସର୍ମ୍ପକରେ ପୁଲିସ ଜାଣିବାକୁ ପାଇଥିଲା। ନିଜକୁ ଭଦ୍ର ମହିଳା ଭାବରେ ଦେଖାଇ ସମ୍ବଲପୁର ପୁଲିସ ଜବତ କରିଥିବା ୱାଗନ ଆର କାର ଜରିଆରେ ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନକୁ ନିଶା କଫ ସିରଫ ଚାଲାଣ କରୁଥିଲେ। ତେବେ ବଲାଙ୍ଗୀର ପୁଲିସର ଚାପ ବଢ଼ିବାରୁ ପ୍ରାୟ ୧ ବର୍ଷ ହେବ ମହିଳା କିଙ୍ଗ ପିନ ସମ୍ବଲପୁରରେ ରହି ନିଶା କାରବାର ଚଳାଇଥିବାର ଜଣାପଡିଛି। ପୂର୍ବରୁ ତାଙ୍କର ନାମରେ ବିଭିନ୍ନ ଜିଲାରେ ବହୁ ମାମଲା ଜାରି ରହିଥିବା ବେଳେ ଅନେକ ଥର ସେ ଗିରଫ ହୋଇ ଜେଲ ମଧ୍ୟ ଯାଇ ସାରିଲେଣି। କିନ୍ତୁ ଜେଲରୁ ଫେରିବା ପରେ ସେ ପୁନଃଶ୍ଚ ତାଙ୍କର ପରିବାର ସହିତ ମିଶି ସେହି ବେଆଇନ କାରବାରରେ ଲାଗି ପଡନ୍ତି। ବିଗତ ଦିନରେ ସମ୍ବଲପୁର ପୁଲିସ ବଲାଙ୍ଗୀରରେ ୪ ଥର ଚଢ଼ଉ କରି ତଲାସି କରିସାରିଛି।

ନିଶା କାରବାରର ଖିଅରେ ଯୋଡି ହେଉଛି ଟାଉନ ଥାନା !!!

ସମ୍ବଲପୁରରେ ବେଆଇନ କଫ ସିରଫ କାରବାର ଜୋରସୋରରେ ଚାଲିଥିବା ବେଳେ ଅନେକ ନିଶା କାରବାରର ମାମଲାରେ ଘୂରିବୁଲି ଖିଅ ଟାଉନ ଥାନା ସହିତ ଯୋଡି ହେଉଛି। ବିଶେଷତଃ ମହାନଗର ନିଗମ ଅଞ୍ଚଳର ବେଆଇନ ନିଶା କଫ ସିରଫ କାରବାରର ପେଣ୍ଠସ୍ଥଳି ଟାଉନ ଥାନା ଅଞ୍ଚଳରେ ରହିଥିବା ସାହୁ କଲୋନୀରୁ ନିୟନ୍ତ୍ରିତ ହେଉଛି। ତେବେ ଟାଉନ ଥାନାର ସମ୍ମୁଖରେ ପୁଲିସର ନାକ ତଳେ ରହିଥିବା ଏହି ଅଞ୍ଚଳରେ ଚାଲୁଥିବା ନିଶା କାରବାରକୁ କାବୁରେ କରିବାରେ ପୁଲିସକୁ ବାରମ୍ବାର ବିଫଳତା ହାସଲ ହେଉଥିବାର ଦେଖାଯାଉଛି। ବିଗତ ଦିନରେ ଅନେକ ମାମଲାରେ କଫ ସିରଫ ମାମଲାରେ ଖିଅ ଟାଉନ ଥାନାର ସାହୁ କଲୋନୀରେ ଯୋଡି ହେଉଥିବା ବେଳେ କିନ୍ତୁ ପୁଲିସର କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହୁଛି। ଟାଉନ ଥାନା ଉପରେ ଚାପ ବୃଦ୍ଧି ହେଲେ ଭାବମୂର୍ତ୍ତି ସୁଧାରିବା ପାଇଁ ଛୋଟ ମୋଟ ନିଶା ବେପାରୀ ମାନଙ୍କୁ ଧରି କିଛି କଫ ସିରଫ ଧରି ମାମଲାକୁ ଥଣ୍ଡା କରିବାର ପ୍ରୟାସ କରା ଯାଇଥାଏ। ବିଗତ ଏକ ମାସ ମଧ୍ୟରେ ଟାଉନ ଥାନା ସାହୁ କଲୋନୀ ଅଞ୍ଚଳରେ ୩ ଥର ଚଢ଼ଉ କରି ଶତାଧିକ କଫ ସିରଫ ଓ ନିଶା ବଟିକା ଜବତ କରିବା ସତ୍ୱେ ପୁଣି ଥରେ ୩ ହଜାରରୁ ଉର୍ଦ୍ଧ ସେହି ଅଞ୍ଚଳକୁ ଚୋରାରେ ଚାଲାଣ ହେଉଥିବା ବେଳେ ପୁଲିସ ଧରିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଟାଉନ ଥାନା ଅଞ୍ଚଳରେ ପୁଲିସ ଓ ଅପରାଧି ମାନଙ୍କ ମଧ୍ୟରେ ଭଲ ବୁଝାମଣା ରହିଥିବାରୁ ଏହି ଅଞ୍ଚଳରେ ରହିଥିବା ପୁରୁଣା ବସ୍ତି ଗୁଡିକ ନିଶାକାରବାରର ପେଣ୍ଠସ୍ଥଳି ଭାବରେ ଉଭା ହୋଇଛି।

Comments are closed.