ଚାଉଁରପୁର ବ୍ରିଜ ଉପରେ ଆତ୍ମହତ୍ୟାର ଡ୍ରାମା : ଗଣମାଧ୍ୟମ ପ୍ରତିନିଧିଙ୍କ ଯୋଗୁଁ ଉଦ୍ୟମ ପଣ୍ଡ

ସମ୍ବଲପୁର : ସମ୍ବଲପୁର ଠାରେ ମହାନଦୀ ଉପରେ ନିର୍ମିତ ଚାଉଁରପୁର ବ୍ରିଜ ଉପରୁ ତଳକୁ ଦୁଇ ଜଣ ମହିଳା ଶୁକ୍ରବାର ଆତ୍ମହତ୍ୟା ଉଦ୍ୟମ କରିବାକୁ ନେଇ ଏକ ହାଇଭୋଲଟେଜ ଡ୍ରାମା ଦେଖଇବାକୁ ମିଳିଛି। ସୂଚନାନୁଯାୟୀ, ରେଶମା ପରୱିନ ଓ ଆଞ୍ଚଳ ବିଶି ନାମ୍ନୀ ଦୁଇ ଜଣ ମହିଳା ଚାଉଁରପୁର ବ୍ରିଜ ଉପରୁ ତଳକୁ ଡେଇଁ ଆତ୍ମହତ୍ୟାର ଉଦ୍ୟମ କରୁଥିବା ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ତାହା ପଣ୍ଡ ହୋଇଯାଇଛି। ଉତ୍ତର ପ୍ରଦେଶ ନିବାସୀ ରେଶମା ପରୱିନ ନାମ୍ନୀ ମହିଳା ପୂର୍ବରୁ ବିବାହିତା ହୋଇଥିବା ବେଳେ ବିହାରର ମୂଳ ନିବାସୀ ତଥା ସମ୍ବଲପୁର ଠାରେ ଏଫସିଆଇରେ କାର୍ଯ୍ୟରତ ଜଣେ ମ୍ୟାନେଜ ପ୍ରବୀଣ କୁମାରଙ୍କ କଥାରେ ପଡ଼ି ତାଙ୍କର ଛୋଟ ଝିଅ ସହିତ ତାଙ୍କ ନିକଟକୁ ଚାଲି ଆସିଥିଲେ। ପରବର୍ତ୍ତୀ ସମୟରେ ପ୍ରବୀଣ ରେଶମାଙ୍କ ସହିତ ଶାରିରୀକ ସର୍ମ୍ପକ ରକ୍ଷା କରି ତାଙ୍କୁ ଛାଡି ଫେରାର ହୋଇ ଅନ୍ୟତ୍ର ବିବାହ କରିବାରୁ ସେ କ୍ଷେତରାଜପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଏଣୁ ପୁଲିସ ଅଭିଯୁକ୍ତ ପ୍ରବୀଣଙ୍କୁ ବିଗତ ଦିନରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ରେଶମା ଓ ତାଙ୍କର ଶିଶୁ କନ୍ୟାଙ୍କୁ ‘ସଖୀ’ କେନ୍ଦ୍ରରେ ଥଇଥାନ କରାଇଥିଲା। ଏ ସର୍ମ୍ପକରେ ରେଶମା କହିଛନ୍ତି ଯେ, ମୋତେ ପ୍ରବଣୀ କୁମାର ପୂର୍ବ ସ୍ୱାମୀ ସହିତ ତଲାକ କରାଇ ୩ ବର୍ଷ ହେଲା କ୍ଷେତରାଜପୁର ଅଞ୍ଚଳରେ ରଖିଥିଲେ। ପରେ ମୋର ସମସ୍ତ ସାମାନ ସହିତ ସୁନାଗହଣା ନେଇ ପଳାଇଥିବା ବେଳେ ଏବେ ମୁଁ ଗର୍ଭବତୀ ଅଛି ଏବଂ ଏବେ ମୋ ପାଖରେ ଖାଇବାକୁ ମଧ୍ୟ ପଇସା ନାହିଁ। ଅନ୍ୟ ପଟରେ ପ୍ରବୀଣ ଜେଲରେ ରହିଥିବା ବେଳେ ତାଙ୍କ ପିତା, କାକା ଓ ଓକିଲ ନିୟମିତ ମୋତେ ବିଭିନ୍ନ ପ୍ରକାରର ଧମକଚମକ ଦେଇ ମାରିଦେବାକୁ କହୁଛନ୍ତି। ସେମାନଙ୍କ ହାତରେ ମରିବା ଅପେକ୍ଷା ନିଜେ ମରିଯିବା ଶ୍ରେୟ ହେବ ବୋଲି ଏଠାକୁ ଆତ୍ମହତ୍ୟା କରିବା ପାଇଁ ଝିଅ ସହିତ ଆସିଛି ବୋଲି ରେଶମା କହିଛନ୍ତି।
ଅନ୍ୟ ପଟରେ ଦ୍ୱିତୀୟ ମହିଳା ଆଞ୍ଚଳ ବିଶି ହିନ୍ଦୁ ସମ୍ପ୍ରଦାୟର ଯୁବତୀ ହୋଇଥିବା ବେଳେ ବିଗତ ଦିନରେ ଜଣେ ସଂଖ୍ୟାଲଘୁ ସମୁଦାୟର ଯୁବକଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ସ୍ୱାମୀ ତାଙ୍କୁ ବିବାହ କରିବା ପୂର୍ବରୁ ଦୁଷ୍କର୍ମ କରିବାରୁ ଥାନାରେ ମାମଲା ରୁଜୁ କରାଯାଇଥିଲା। ପରେ ସହମତି ଓ ଆପୋଷ ବୁଝାମଣାରେ ସେମାନଙ୍କର ବିବାହ ହୋଇଥିଲା। ତେବେ ପରେ ସ୍ୱାମୀ ନିର୍ଯ୍ୟାତନା ଦେବାରୁ ମହିଳା ପୁର୍ନବାର ପୁଲିସ ନିକଟରେ ଅଭିଯୋଗ କରିବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେ ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ଯାଉଥିବା କହିଛନ୍ତି। ତେବେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଗୁଣମଣି ବିଶ୍ୱାଳ, ମନୋଜ ନାୟକ, ଅମଳେନ୍ଦୁ ନାୟକ, ମଳୟ ଭୋଇ ପ୍ରମୁଖ ଉପସ୍ଥିତ ବୁଦ୍ଧି ଖଟାଇ ସେମାନଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରାୟ ଏକ ଘଣ୍ଟା ଧରି ବୁଝା ସୁଝା କରି ଅଟକାଇ ରଖିବା ପରେ ପୁଲିସ ଆସି ପହଞ୍ଚିବାରୁ ଦୁଇ ମହିଳା ଓ ଶିଶୁଙ୍କୁ ପିସିଆର ଜରିଆରେ ସେଠାରୁ ନିଆଯାଇଥିଲା। ଏ ସର୍ମ୍ପକରେ ଟାଉନ ଥାନାଧିକାରୀଙ୍କୁ ପଚାରିବାରୁ ଉଭୟ ମହିଳା ଓ ଶିଶୁଙ୍କୁ ଉଦ୍ଧାର କରି ‘ସଖୀ’ କେନ୍ଦ୍ରରେ ଥଇଥାନ କରାଯାଇଛି ବୋଲି କହିଛନ୍ତି।