ପାଉଁଶ ବିକି ଆଦର୍ଶ ପାଲଟିଛନ୍ତି ବିଭୂପ୍ରସାଦ

ମ.ରାମପୁର: ପାଉଁଶ ଏକ ବର୍ଜ୍ୟବସ୍ତୁ। ଏହାକୁ ଅନ୍ୟମାନେ ଫୋପାଡି ଦେଉଥିବା ବେଳେ ସେହି ବର୍ଜ୍ୟବସ୍ତୁକୁ ନେଇ ଏବେ ରୋଜଗାରର ବାଟ ଖୋଲିଛନ୍ତି ଜଣେ ଯୁବ ଉଦ୍ୟୋଗୀ। ଯିଏ କି ପାଉଁଶକୁ ବିକ୍ରି କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଏଭଳି ଜଣେ ନବଉଦ୍ୟୋଗୀ ହେଉଛନ୍ତି କଳାହାଣ୍ଡି ଜିଲା ମ.ରାମପୁରର ବିଭୂପ୍ରସାଦ ସାହୁ।

ନିଜ ରାଇସ୍‌ ମିଲ୍‌ରୁ ବାହାରୁଥିବା ପାଉଁଶ, ଯାହାକି ସମସ୍ତଙ୍କ ପାଇଁ ଅଲୋଡା ହୋଇଥିବା ବେଳେ ଫିଙ୍ଗି ଦିଆଯାଇଥାଏ। ହେଲେ ତାହାକୁ ଆଲୁମିନିୟମ ଶିଳ୍ପର କଞ୍ଚାମାଲ ଭାବେ ପ୍ରସ୍ତୁତ କରି ବିଦେଶକୁ ପଠାଉଛନ୍ତି ବିଭୂ। ଦିନେ ବିଭୂପ୍ରସାଦ ଶିକ୍ଷକତା କରୁଥିଲେ। କିନ୍ତୁ ସେ ଶିକ୍ଷକତା ଛାଡି ୨୦୦୭ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଚାଉଳ ବ୍ୟବସାୟ କରି ଏକ ରାଇସ୍‌ ମିଲ୍‌ ଆରମ୍ଭ କଲେ। ମିଲ୍‌ ଚାଲିଲା ସତ, ହେଲେ ସେଠାରୁ ବାହାରୁଥିବା ପାଉଁଶ ଉଚିତ୍‌ ପରିଚାଳନା ପାଇଁ ବହୁତ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା। ପାଉଁଶକୁ ବାହାରେ ଫିଙ୍ଗା ଯାଉଥିବାରୁ କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ ଯେଉଁଠି ପାଉଁଶ ପଡୁଥିଲା ତା’ ଆଖପାଖ ଜମିର ଗୁଣମତ୍ତା କ୍ରମଶଃ ଲୋପ ପାଇଯାଉଥିବା ଅଭିଯୋଗ ହେଉଥିଲା। ତେଣୁ ଚିନ୍ତାରେ ଥିଲେ ବିଭୂପ୍ରସାଦ। ଲୋକଙ୍କ ଅଭିଯୋଗ ପାଇଁ ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବାର ବାଟ ଖୋଜିଲେ ବିଭୂପ୍ରସାଦ। ଦିନେ ସେ ଜାଣିବାକୁ ପାଇଲେ ଷ୍ଟିଲ୍‌ କମ୍ପାନୀ ଗୁଡିକରେ ତାହାର ବ୍ୟବହାର କରାଯାଇପାରିବ। ଏହାପରେ ପାଉଁଶକୁ ନେଇ ଆରମ୍ଭ ହେଲା ଆଉ ଏକ ନୂଆ ଉଦ୍ୟୋଗ। ହରିପ୍ରୀୟା ରିଫ୍ରାକ୍‌ଟୋରିଜ୍‌ ପ୍ରାଇଭେଟ୍‌ ଲିମିଟେଡ ନାମରେ ଏକ କମ୍ପାନୀ କଲେ। ସେଠାରେ କିଛି କର୍ମଚାରୀ ନିୟୋଜିତ କରି ପାଉଁଶରେ କେତେକ ରାସାୟନିକ ଦ୍ରବ୍ୟ ମିଶାଇ ଗୋଳାତିଆରି କରି ସେହି ପାଉଁଶ ଗୋଳାକୁ ପରବର୍ତ୍ତୀ ସମୟରେ ଷ୍ଟିଲ୍‌ କମ୍ପାନୀଗୁଡିକୁ ବିକ୍ରି କରାଗଲା। ଆଲୁମିନିୟମ୍‌ ଉତ୍ପାଦନ ସମୟରେ ଉତ୍ତାପଧାରଣ କ୍ଷମତା ବୃଦ୍ଧି କରିବା ପାଇଁ ଏହି ପାଉଁଶଗୋଳା ବ୍ୟବହାର କରାଯାଉଥିବା ସେ ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଥମେ ସେ ବିଶାଖାପାଟଣାସ୍ଥିତ ଏନ୍‌ଆର୍‌ଡିସି ସହାୟତାରେ ନିଜ ଉତ୍ପାଦର ପେଟେଣ୍ଟ କରାଇଥିଲେ। ପରେ ୨୦୧୮ ମସିହାରେ ପରୀକ୍ଷାମୂଳକ ଭାବରେ ଜର୍ମାନୀ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଇଜିପ୍ଟ, ଦକ୍ଷିଣ କୋରିଆ, ଓମାନ୍‌, ସାଉଦିଆରବକୁ ପଠାଇଥିଲେ। ସେଠାରୁ ଗ୍ରହଣୀୟତା ପାଇବା ପରେ ୨୦୧୯ ମସିହା ଜାନୁଆରୀ ୨୫ ତାରିଖରେ ସାଉଦିଆରବ, ତାଇୱାନ, ଇଜିପ୍ଟକୁ ବ୍ୟବସାୟିକ ଭିତ୍ତିରେ ପ୍ରଥମେ ମାଲ୍ ପଠାଯାଇଥିଲା। ବର୍ତ୍ତମାନ ଏହି ଉଦ୍ୟୋଗରେ ପ୍ରାୟ ୫୦ରୁ ଅଧିକ ଅଣକୁଶଳୀ ଶ୍ରମିକ, ୧୦ ଜଣ କୁଶଳୀ ଶ୍ରମିକ ନିଯୁକ୍ତି ପାଇଥିବା ବେଳେ ପରିଚାଳନା ପାଇଁ ୧୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅନନ୍ୟ ପଦାର୍ଥ ତିଆରି ସହିତ ବାହାର ରାଷ୍ଟ୍ରରେ ବିକ୍ରି କରିବା ଦିଗରେ ବିଭୂପ୍ରସାଦଙ୍କୁ ଷ୍ଟାଟ୍‌ ଅଫ୍‌ ଓଡିଶା, ଷ୍ଟାଟ୍ ଅଫ ଇଣ୍ଡିଆ, ଏନ୍‌ଆର୍‌ଡିସି ତଥା ଏମ୍‌ଏସ୍‌ଏମ୍‌ଇ ମଧ୍ୟ ବିଭିନ୍ନ ସମୟରେ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେଉଛି। କମ୍ପାନୀର ଏଭଳି ଏକ ପ୍ରକଳ୍ପ ପାଇଁ ଦିଲୀରେ ଓଡିଏ ପକ୍ଷରୁ ଯୁବଦ୍ୟୋଗୀ ସମ୍ମାନରେ ସମ୍ମାନୀତ କରାଯାଇଛି ତାଙ୍କୁ। ପାଉଁଶରୁ ତିଆରି ଛୋଟ ଛୋଟ ଗୋଳା ପ୍ରସ୍ତୁତ ଟେକ୍ନୋଲୋଜି ଓଡିଶାରେ ପ୍ରଥମ ଏବଂ ଏହାକୁ ସରକାରଙ୍କ ଜରିଆରେ ବ୍ୟାପକ କରାଇପାରିଲେ ପାଉଁଶର ଉପଯୋଗ ହେବା ସହ ଅନେକ ଯୁବକ ଏଥିରେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ପ୍ରକାଶ କରିଛନ୍ତି ବିଭୂପ୍ରସାଦ। ଏନେଇ ଜିଲା ଶିଳ୍ପ କେନ୍ଦ୍ରର ଶିଳ୍ପବିକାଶ ଅଧିକାରୀ ଦେବାଶିଷ ପାତ୍ରଙ୍କୁ ପଚାରିବାରୁ ପାଉଁଶ ଗୋଳା ତିଆରି କରି ବିଦେଶକୁ ରପ୍ତାନୀ କରିବାରେ କଳାହାଣ୍ଡି ଜିଲା ପ୍ରଥମ। ଏହି ଉଦ୍ୟୋଗ ଜିଲା ସମେତ ସମଗ୍ର ରାଜ୍ୟ ତଥା ଦେଶର ବଡ ବଡ କଳକାରଖାନା ପାଇଁ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି ବୋଲି କହିଥିଲେ।

Comments are closed.