ସଙ୍ଗରୋଧ କେନ୍ଦ୍ରର ପ୍ରବାସୀଙ୍କୁ ସରପଞ୍ଚ ଦେଲେ ସାବିତ୍ରୀ ସଜ

ବ୍ରହ୍ମପୁର: ରାତି ପାହିଲେ ସାବିତ୍ରୀ ବ୍ରତ । ପ୍ରତ୍ୟେକ ସଧବା ମହିଳା ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ କରିଥାଆନ୍ତି । ହେଲେ ସଙ୍ଗରୋଧ କେନ୍ଦ୍ରରେ ଏକାନ୍ତବାସରେ ଥିବା ପ୍ରବାସୀ ମହିଳାମାନେ କେମିତି ପାଳିବେ ଏହି ବ୍ରତ? କିଏ ତାଙ୍କୁ ଆଣି ଦେବ ଶାଢ଼ୀ, ଶଙ୍ଖା, ସିନ୍ଦୁର, ଫଳ-ମୂଳ? ଏଥି ନେଇ ପ୍ରବାସୀ ମହିଳାମାନେ ଚିନ୍ତାରେ ଥିବାବେଳେ ଜଣେ ସରପଞ୍ଚ ତାଙ୍କ ଅଞ୍ଚଳରେ ଥିବା ସଂଗରୋଧ କେନ୍ଦ୍ରର ପ୍ରବାସୀ ମହିଳାଙ୍କୁ ଭେଟି ଦେଇଛନ୍ତି ସାବିତ୍ରୀ ସଜ । ଏଥିରେ ବ୍ରତ ପାଇଁ ଆବଶ୍ୟକ ଶାଢ଼ୀ, ଶଙ୍ଖା, ଫଳମୂଳ ସବୁ ରହିଛି ।

ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି ୨୦ ପ୍ରବାସୀ ମହିଳା । ସେମାନଙ୍କ ନିମନ୍ତେ ସହଯୋଗର ହାତ ବଢ଼ାଇଛନ୍ତି  ସରପଞ୍ଚ ଇନ୍ଦ୍ରାବାଇ ରାଜୁ । ସେମାନଙ୍କୁ ପୂଜା ସାମଗ୍ରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ପ୍ରବାସୀ ମହିଳାମାନେ ବେଶ୍ ଖୁସି ଆଉ ସ୍ଥାନୀୟ ଅଞ୍ଚଳରେ ସରପଞ୍ଚଙ୍କୁ ମିଳିଛି ଭୁରିଭୁରି ପ୍ରଶଂସା ।

Comments are closed.