‘ଅପଚୟ ନକରି ଜଳର ସଦୁପଯୋଗ କରାଯାଉ’

ଉତ୍କଳରେ ବିଶ୍ବ ଜଳଦିବସ

ଭୁବନେଶ୍ବର : ଜଳ ହିଁ ଜୀବନ। ଜଳ ଉପରେ ଜୀବଜନ୍ତୁଠାରୁ ଆରମ୍ଭ କରି ପଶୁ,ପକ୍ଷୀ, ଉଦ୍ଭିଦ ଓ ମନୁଷ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ତେଣୁ ଜଳକୁ ଅପଚୟ ନକରି ସଦୁପଯୋଗ କରିବାକୁ ହେବ। ଏନେଇ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ବିଶ୍ବ ଜଳ ଦିବସ ପାଳନ ଅବସରରେ ମତପୋଷଣ କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ବିଶ୍ୱ ଜଳଦିବସ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପିଜି କାଉନସିଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ‘ଜଳର ମୂଲ୍ୟାଙ୍କନ’ ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ରରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସଭାପତିତ୍ବ କରିଥିଲେ। ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡ. ପ୍ରମୋଦ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ଜଳର ମୂଲ୍ୟାଙ୍କନ’ ସମ୍ପର୍କରେ ଏକ ଗବେଷଣା ଆଧାରିତ ସନ୍ଦର୍ଭ ଉପସ୍ଥାପନା କରିଥିଲେ। ଜଳସଙ୍କଟ ପରିପ୍ରେକ୍ଷୀରେ ଆନ୍ତର୍ଜାତିକ, ଭାରତ ତଥା ଆମ ରାଜ୍ୟର ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ। ଜଳସଙ୍କଟର ସମାଧାନ ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପୁରାତନ ଛାତ୍ର ସଂଘର ଯୁଗ୍ମ ସମ୍ପାଦକ ତଥା ପରିବେଶବିତ୍‌ ରଘୁନାଥ ପୃଷ୍ଟି ଜଳଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।ପିଜି କାଉନସିଲ ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ଜଳ ସଂରକ୍ଷଣର ଆବଶ୍ୟକତା ସମ୍ବନ୍ଧରେ ବୁଝାଇଥିଲେ। ପୁରାତନ ଛାତ୍ରସଂଘର ସଭାପତି ତଥା ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ କହିଥିଲେ ଜଳର ଅପଚୟ ନ କରି ଏହାର କିପରି ସଦୁପଯୋଗ କରିବା ଦରକାର ବୋଲି ମତପୋଷଣ କରିଥିଲେ। ଆଲମୁନି କନେକ୍ଟର ସଂଯୋଜକ ପ୍ରଫେସର କୁଞ୍ଜବିହାରୀ ପଣ୍ଡା, ପୁରାତନ ଛାତ୍ରସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ପରିବେଶବିତ୍‌ ଡ. ପ୍ରଦୀପ କୁମାର ରଥ ପ୍ରମୁଖ ଜଳ ସଂକ୍ଷରଣ ଓ ସଦୁପଯୋଗ ପାଇଁ ଶପଥ କରାଇଥିଲେ।

ପ୍ରଫେସର ପ୍ରଭାତୀ ମହାପାତ୍ର, ପ୍ରଫେସର କୃଷ୍ଣଚନ୍ଦ୍ର ରଥ, ଡ. ଦେବାନନ୍ଦ ବେହୁରା, ଡ.ଅନସୂୟା ନାଥ, ଡ. ଆଶିଷ ଚନ୍ଦ୍ର ପାଠୀ, ଡ. ଜ୍ଞାନରଞ୍ଜନ ସାହୁ, ଜ୍ୟୋତି ମହାନ୍ତ, ସ୍ନିଗ୍ଧା ବିଶ୍ୱାଳ, ପ୍ରଜ୍ଞା ପ୍ରଶମିତା ମହାନ୍ତି, ବୀରେନ ବେହେରା, ଅମିତ କୁମାର ସାହୁ, ପୁରାତନ ଛାତ୍ରସଂଘ ପକ୍ଷରୁ ତପନ ଜେନା, ଡ. ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଧ୍ୟାପକ ଡ. ଗୁଣନିଧି ସାହୁ ଧନ୍ୟବାଦ ଦେଇଥିଲେ।

Comments are closed.