ସେଭଏଲିଫ୍ୟାଣ୍ଟ ଫାଉଣ୍ଡେସନ ପକ୍ଷରୁ ହାତୀସାଥି ବୈଠକ

ଜନସାଧାରଣଙ୍କ ସମ୍ମିଳିତ ଉଦ୍ୟମରେ ହାତୀ-ମଣିଷ ଲଢେଇର ପୂର୍ଣ୍ଣଛେଦ ଘଟିବ

ଗୁରୁଡିଝାଟିଆ: ଜନସାଧାରଣଙ୍କ ଆତ୍ମିକ ସଂପୃକ୍ତି ସଫଳତାରର ଅନ୍ୟତମ ଉତ୍ସ। ଆଠଗଡ ବନଖଣ୍ଡରେ ଜନସାଧାରଣଙ୍କ ସଂପୃକ୍ତି ଫଳରେ ଏବେ ହାତୀ-ମଣିଷ ଲଢେଇ ପ୍ରାୟ ଆଉ ନାହିଁ। ଏ କ୍ଷେତ୍ରରେ ହାତୀସାଥି ବାହିନୀର ଭୂମିକା ବେଶ ତାତ୍ପର୍ଯ୍ୟପୂର୍ଣ୍ଣ। ଜନସାଧାରଣଙ୍କ ଭିତରେ ସଂସ୍କୃତି, ପରମ୍ପରା ଓ ଆଧ୍ୟାତ୍ମିକ ଭାବନା ଭିତରେ ହାତୀ ପୂଜନୀୟ। ଗାଁ ଗାଁରେ ହାତୀସାଥି ଗଜବନ୍ଧୁମାନେ ସଚେତନତାର ବାର୍ତ୍ତା ବାଣ୍ଟି ହାତୀ-ମଣିଷ ଲଢେଇକୁ ରୋକିବା ଅତ୍ୟନ୍ତ ଶୁଭଙ୍କର ଘଟଣା ବୋଲି ଓରନ୍ଦାସ୍ଥିତ ସୁନାମୁହିଁ ସଂରକ୍ଷିତ ଜଙ୍ଗଲ ପରିସରରେ ସେଭଏଲିଫ୍ୟାଣ୍ଟ ଫାଉଣ୍ଡେସନ, ଭୁବନେଶ୍ୱର ଓ ଆଠଗଡ ବନଖଣ୍ଡର ମିଳିତ ଆନୁକୂଲ୍ୟରେ ଆୟୋଜିତ ହାତୀ-ମଣିଷ ଲଢେଇର ପୂର୍ଣ୍ଣଛେଦ ଶୀର୍ଷକ ଆଲୋଚନା ଚକ୍ରରେ ପ୍ରତିଷ୍ଠାତା ତଥା ଲୋକାୟୁକ୍ତଙ୍କ ବରିଷ୍ଠ ସଦସ୍ୟ ଡଃ ଦେବବ୍ରତ ସ୍ୱାଇଁ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିଥିଲେ।

ଫାଉଣ୍ଡେସନର ଟ୍ରଷ୍ଟି ତଥା ଅବସରପ୍ରାପ୍ତ ଭାରତୀୟ ବନସେବା ଅଧିକାରୀ ଜିତାଶତୃ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଡଃ ସ୍ୱାଇଁ ନିଜ ଗବେଷଣାରୁ କହିଥିଲେ ଜନସାଧାରଣ ଯେତେ ଅଧିକମାତ୍ରରେ ହାତୀର ଜୀବନଶୈଳୀ, ଚାଲି ଚଳନ ବିଷୟରେ ଜାଣିବେ ସେତେ ଅଧିକ ସଚେତନ ହେବା ସହତ ହାତୀକୁ ଶ୍ରଦ୍ଧା କରିପାରିବେ। ପ୍ରତ୍ୟେକ ଜନସାଧାରଣ ହାତୀର ଚଳାଚଳ ପଥ ସଂପର୍କରେ ଅବଗତ ହେବା ସହିତ ହାତୀଥିବା ସ୍ଥାନମାନଙ୍କରେ ଯିବା ଆସିବା ବନ୍ଦ କରିବା ଉଚିତ୍‍। ଏଥିରେ ଜନସାଧାରଣ ହାତୀସାଥି, ଗଜବନ୍ଧୁ ସହିତ ବନବିଭାଗର ଶତପ୍ରତିଶତ ସଂପୃକ୍ତି ରହିଲେ ହାତୀ-ମଣିଷ ଲଢେଇ ଲୋପ ପାଇବ। ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳ ବନକର୍ମଚାରୀ ଓ ହାତୀସାଥିମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ବୋଲି ଡଃ ସ୍ୱାଇଁ କହିଥିଲେ।ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜଙ୍ଗଲ ସଂପଦର ଅଭିବୃଦ୍ଧ, ହାତୀସୁରକ୍ଷା ଓ ଜନସାଧାରଣଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ କରି କାର୍ଯ୍ୟ କରିବା ପାଇଁ କହିବା ସହିତ ହାତୀ-ମଣିଷ ଲଢେଇକୁ ମୂଳୋତ୍ପାଟନ କରିବା ନିମନ୍ତେ ଗଜବନ୍ଧୁ, ହାତୀସାଥି ଜଙ୍ଗଲ ଓ ପରିବେଶକୁ ଭଲପାଉଥିବା ଜନସାଧାରଣଙ୍କ ସହିତ ମିଳିତ ଭାବରେ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରିବା ନିମନ୍ତେ କହିଥିଲେ।

ଓରନ୍ଦା ଗ୍ରାମ୍ୟ କମିଟିର ସଭାପତି ତଥା ଭିଏସଏସର ଅଧ୍ୟକ୍ଷ ଇଂ ପ୍ରତାପ ଚନ୍ଦ୍ର ସାମଲ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ହାତୀମାନଙ୍କ ସଂପର୍କରେ ଥିବା ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ। ହାତୀସାଥି ଶ୍ରୀକର ଜେନା, ସନାତନ ଦଳାଇ, ଅଶୋକ କୁମାର ଖଟୁଆ, ବ୍ରହ୍ମାନନ୍ଦ ଦାସ, ମାଗୁଣୀ ଚରଣ ରାଉତ, ପ୍ରେମାନନ୍ଦ ଗଣ୍ଠିଆ, କରୁଣାକର ମାଝି,ତୁଷାର କୁମାର ବେଉରା, ପ୍ରଦୀପ କୁମାର ନାୟକ, ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅର୍ଦ୍ଧସାମରିକ ବାହିନୀ ଅଧିକାରୀ ବଂଶୀଧର ଶତପଥି, ରାଜେଶ କୁମାର ରାଉତ, ଅଭୟ କୁମାର ସାମଲ, ପ୍ରମୁଖ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବିଗତ ଅଢେଇବର୍ଷ ମଧ୍ୟରେ ଆଠଗଡ ବନଖଣ୍ଡର ଖୁଣ୍ଟୁଣୀ ବନାଞ୍ଚଳରେ ହାତୀମଣିଷ ଲଢେଇ ପୂର୍ଣ୍ଣଛେଦର ସୁପରିଚାଳନାର ତତ୍ୱ ସଂପର୍କରେ ଆଲୋକପାତ କରି ଉକ୍ତ ସମୟ ମଧ୍ୟରେ କୌଣସି ହାତୀ ମଣିଷ ଦ୍ୱାରା ମୃତ୍ୟୁବରଣ କରି ନ ଥିବାବେଳେ ହାତୀଦ୍ୱାରା କୌଣସି ମଣିଷ ହତାହତ ନ ହେବା ଏକ ବଡ ସଫଳତା ବୋଲି କହିଥିଲେ। ଏହା ସେଭଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟ ଓ ବନବିଭାଗର ସମନ୍ୱୟ ଯୋଗୁଁ ସମ୍ଭବ ବୋଲି ପ୍ରକାଶ କରିଥିଲେ। ସାମ୍ବାଦିକ ଶ୍ୱେତକାନ୍ତ ବେହେରା ଅତିଥି ପରିଚୟ ଓ ସଭାକାର୍ଯ୍ୟ ସଂଯୋଜନା କରିଥିବା ବେଳେ ସେଭଏଲିଫ୍ୟାଣ୍ଟ ଫାଉଣ୍ଡେସନ ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟି ଡଃ ପ୍ରକାଶ କୁମାରଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓରନ୍ଦା ଭିଏସଏସ ର କର୍ମକର୍ତ୍ତା ହାତୀସାଥି ଓ ସମସ୍ତ ଗଜବନ୍ଧୁ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.