ମାନ୍ୟତା ଖୋଜୁଛି ‘ସଉରା ଲିପି’

ରାୟଗଡା : ସରକାରୀ ସ୍ବୀକୃତି ପାଇଁ ଦୀର୍ଘ ୮୪ ବର୍ଷ ଧରି ଅପେକ୍ଷା କରିଛି ପ୍ରାଚୀନ ଆଦିବାସୀ ସମ୍ପ୍ରଦାୟ ସଉରାଙ୍କ ଲିପି ଓ ଭାଷା। ଆଦିମ ଅାଦିବାସୀ ସଉରା ସମ୍ପ୍ରଦାୟଙ୍କ ସଂସ୍କୃତି ଓ ପରମ୍ପରାର ପ୍ରାଚୀନତା ମହାଗ୍ରନ୍ଥ ‘ରାମାୟଣ’ର ଶବରୀ ଉପାଖ୍ୟାନରୁ ସୁସ୍ପଷ୍ଟ। ଗୋଟିଏ ଜାତି ଓ ତା’ର କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ବଞ୍ଚାଇ ରଖିବାର ବଳିଷ୍ଠ ମାଧ୍ୟମ ହେଉଛି ଭାଷା ଓ ଲିପି। କାହିଁ କେଉଁ ଆବାହମାନ କାଳରୁ ଆଦିବାସୀ ସଉରା ସମ୍ପ୍ରଦାୟ ରହି ଆସିଥିବା ପ୍ରମାଣ ବିଭିନ୍ନ ପୁରାଣ ଶାସ୍ତ୍ରରେ ଦର୍ଶାଇଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ସମ୍ପ୍ରଦାୟର ଲିପିକୁ ଆଜି ସୁଦ୍ଧା ସରକାରୀ ସ୍ତରରେ କିମ୍ବା ସାମ୍ବିଧାନିକ ଭାଷା ରୂପେ ମାନ୍ୟତା ନ ମିଳିବା ବିଡ଼ମ୍ବନାର ବିଷୟ। ଏନେଇ ଅନେକ ଦାବି ହେଉଥିଲେ ବି ଆନ୍ତରିକତା ଅଭାବ ଯୋଗୁଁ ଏହାକୁ ସରକାରଙ୍କ ନିକଟରେ ସଠିକ୍ ଢଙ୍ଗରେ ପହଞ୍ଚାଯାଇପାରିନି। ପୁଣିଥରେ ଏହି ଦାବିକୁ ଦୋହରାଇଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗୋ। ସାମ୍ବିଧାନିକ ଭାଷା ମାନ୍ୟତା ପ୍ରଦାନ ଦାବିରେ ଶ୍ରୀ ଗମାଙ୍ଗୋ ଏବଂ ପୂର୍ବତନ ଗୁଣୁପୁର ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ସମେତ ଅନ୍ୟ ସହଯୋଗୀ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଉପସ୍ଥାପନା କରିବାକୁ ଯାଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ରାଜ୍ୟର ଦକ୍ଷିଣାଞ୍ଚଳ ଜିଲା ରାୟଗଡ଼ା ଓ ଗଜପତି ଏବଂ ଆନ୍ଧ୍ରପ୍ରଦେଶର ଉତ୍ତର ଉପକୂଳ ଜିଲା ଶ୍ରୀକାକୁଲମ ଓ ବିଜୟନଗରମ ଜିଲାର ପାହାଡିଆ ଉପାନ୍ତ ଅଞ୍ଚଳରେ ଏହି ପୁରାତନ ଆଦିବାସୀ ସମ୍ପ୍ରଦାୟ ଲୋକେ ବସବାସ କରିଥାନ୍ତି। ଏଥିସହିତ ପଡୋଶୀ ରାଜ୍ୟ ଝାଡଖଣ୍ଡ, ମଧ୍ୟପ୍ରେଦଶ ଓ ମହାରାଷ୍ଟ୍ର ପୂର୍ବଘାଟ ପର୍ବତମାଳା ପାଦଦେଶରେ ସୌରା ସମ୍ପ୍ରଦାୟ ଲୋକେ ଦେଖିବାକୁ ମିଳିଥା’ନ୍ତି। ଉପରୋକ୍ତ ଅଞ୍ଚଳରେ ପ୍ରାୟ ୩ଲକ୍ଷ ଲୋକେ ସଉରା ଭାଷାରେ ଭାବର ଆଦାନ ପ୍ରଦାନ କରନ୍ତି।
କିମ୍ବଦନ୍ତୀ ଅନୁଯାୟୀ ଏକ ଅଲୌକିକ ଘଟଣାକ୍ରମରେ ରାୟଗଡା ଜିଲା ଗୁଣୁପୁର ଉପଖଣ୍ଡରେ ଅବସ୍ଥିତ ମରିଚଗୁଡା ଗାଁରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ମାଙ୍ଗେଇ ଗମାଙ୍ଗୋ ୧୯୩୬ ମସିହା ମେ ଶେଷ ସପ୍ତାହ ବେଳେ ସଉରା ଲିପିର ସନ୍ଧାନ କରି ତେଡିଗୁଡା ନିକଟ ଇଦମ ତଲେୟାଙ୍ଗ ବୁର ପାହାଡରେ ୨୧ ଦିନ କଠିନ ତପସ୍ୟା କରି ଅକ୍ଷର ବ୍ରହ୍ମ ପ୍ରାପ୍ତ କରିଥିଲେ। ଓଡିଆ ଭାଷା ସହ ସାମଞ୍ଜସ୍ୟ ଥିବା ୨୪ ଗୋଟି ଅକ୍ଷର ଓ ୧୦ ଗୋଟି ସଂଖ୍ୟା କଳ୍ପିତ ହୋଇ ପଥରରେ ଖୋଦିତ ହୋଇଥିବା ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଏହି ଅକ୍ଷରକୁ ସ୍ଥାନୀୟ ଭାଷାରେ ସୋରାଙ୍ଗ ସମ୍ପେଙ୍ଗ ବୋଲି କୁହାଯାଇଥାଏ। ଯାହା ଏବେ ମରିଚଗୁଡା ଗାଁରେ ଅକ୍ଷର ବ୍ରହ୍ମା ରୂପେ ପୂଜା ପାଉଛି। ଏହି ପୁରାତନ ଭାଷା ଓ ଲିପିକୁ ସରକାରୀ ଓ ପ୍ରଶାସନିକ ସ୍ତରରେ ମାନ୍ୟତା ଦେବାକୁ ଅନେକ ସାରସତ୍ୱ ସାଧକମାନେ ଉଦ୍ୟମ କରିସାରିଛନ୍ତି। ଏମାନଙ୍କ ମଧ୍ୟରୁ ଗୁରୁକୃଷ୍ଣ ଶବର ଅନ୍ୟତମ ବ୍ୟକ୍ତି। ରାୟଗଡ଼ା ସମେତ ସେ ଗଜପତି ଜିଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶରେ ବୁଲି ସେଠାରେ ସଉରା ଜନଜାତିଙ୍କୁ ଭାଷା ଓ ଲିପି ସମ୍ପର୍କରେ ସଚେତନ କରୁଛନ୍ତି। ସ୍ୱର୍ଗତ ପଣ୍ଡିତ ମାଙ୍ଗେଇ ଗମାଙ୍ଗୋ ସଉରା ଭାଷାକୁ ସରକାରୀ ମାନ୍ୟତା ପାଇଁ ବହୁବାର ଉଦ୍ୟମ କରିଥିଲେ। ସଉରା ଲିପିକୁ ଅଧିକ ପ୍ରଚାର ପ୍ରସାର କରିବାକୁ ୭୦ ଦଶକରେ ଡମ୍ବସରାରେ ସଉରା ଭାଷାରେ ଏକ ଛପାକଳ ପ୍ରତିଷ୍ଠା କରିଥିଲେ। ସେଠାରେ ବହୁ ପତ୍ର ପତ୍ରିକା, ନିମନ୍ତ୍ରଣ ପତ୍ର ଓ ବହି ଆଦି ଛପା ଯାଉଥିଲା; କିନ୍ତୁ ଆଜି ଯାଏଁ ବିଭିନ୍ନ ସ୍ତରରେ ଦାବି ଉଠିଥିଲେ ସୁଦ୍ଧା ସଉରା ଲିପିକୁ ମାନ୍ୟତା ମିିଳିପାରିନି। ଏ ନେଇ ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ବସନ୍ତକୁମାର ପ୍ରଧାନ କହିଛନ୍ତି ଯେ, ଏହା ପ୍ରଶାସନିକ ପରିସରଭୁକ୍ତ ନୁହେଁ। ସରକାରୀ ସ୍ତରରେ ଏହାକୁ ମାନ୍ୟତା ମିଳିବା କଥା ବୋଲି ସେ କହିଛନ୍ତି। ତେବେ ପ୍ରାଚୀନ ଆଦିବାସୀ ସଉରା ଭାଷାକୁ ମାନ୍ୟତା ପ୍ରଦାନ ଲାଗି ରାଜନୈତିକ ସ୍ତରରେ ଜୋରଦାର ଉଦ୍ୟମ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Comments
Loading...