ନୂଆଦିଲ୍ଲୀ: ସାଉଦୀ ଆରବ ସରକାରୀ ତୈଳ କମ୍ପାନୀ ସାଉଦୀ ଅରାମକୋ ଚୀନରେ ନିଜର ପ୍ରସ୍ତାବିତ ରିଫାଇନାରୀ ଓ ପେଟ୍ରୋକେମିକାଲ କମ୍ପେ୍ଲକ୍ସ ନିର୍ମାଣ ପ୍ରକଳ୍ପ ରଦ୍ଦ କରିଛି । ଏହି ପ୍ରକଳ୍ପରେ ସାଉଦୀଆରବ ୧୦ ଆରବ ଡ଼ଲାର ନିବେଶ କରିବାର ଯୋଜନା ରଖିଥିଲା । ଅଶୋଧିତ ତୈଳ ମୂଲ୍ୟ କମ୍ ହେବା କାରଣରୁ ଏହି ପ୍ରକଳ୍ପ ରଦ୍ଦ କରାଯାଇଥିବା କୁହାଯାଉଥିଲେ ହେଁ ସାଉଦୀ ଆରବ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ଯୋଗୁଁ ଏହି ପ୍ରକଳ୍ପ ଏବେ ଡ଼ଷ୍ଟବିନକୁ ଚାଲି ଯାଇଛି ବୋଲି ଚର୍ଚା ଚାଲିଛି । ଚୀନ-ପାକିସ୍ଥାନ ସହ ଘନିଷ୍ଠ ହେବା ଓ ଇରାନରେ ନିବେଶ କରିବା ପାଇଁ  ଚୀନ ଆଗ୍ରହ ପ୍ରକାଶ ଏହାର ଅନ୍ୟତମ କାରଣ ବୋଲି ମଧ୍ୟ କିଛି ଅର୍ଥନୀତି ବିଶାରଦ ମତ ଦେଇଛନ୍ତି ।

ଅରାମକୋର ଏହି ବୁଝାମଣା ରଦ୍ଦ ହେବା ଚୀନ ନିମନ୍ତେ ବଡ଼ ଧକ୍କା ବୋଲି କୁହାଯାଉଛି । ‘ବ୍ଲୁମବର୍ଗ’ ରିପୋର୍ଟ ଅନୁସାରେ ଅରାମକୋ ନିଜର ଚୀନ ଅଂଶୀଦାରଙ୍କ ସହ କଥାବାର୍ତା ପରେ ଚୀନର ପୂର୍ବାଞ୍ଚଳ ଲିଓନିଙ୍ଗରେ ନିବେଶ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ଅରମକୋ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବା ନିମନ୍ତେ ମନା କରି ଦେଇଛି । ସେହିପରି ଚୀନର ନର୍ଥ ଇଣ୍ଡଷ୍ଟ୍ରିଜ ଗ୍ରୁପ୍ କର୍ପୋରେସନ (ଏନ୍ଆଇଏନକୋ) ମଧ୍ୟ ଏ କ୍ଷେତ୍ରରେ ଚୁପ ରହିଛି । ତୈଳ ଦର ହ୍ରାସ ଓ ଶକ୍ତି କ୍ଷେତ୍ରରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ଅରାମକୋ ଏହି ନିଷ୍ପତ୍ତି ନେଇଥିବା ବ୍ଲୁମବର୍ଗରେ ପ୍ରକାଶ ପାଇଛି ।

କରୋନା ଯୋଗୁଁ ସାରା ବିଶ୍ବରେ ତୈଳ ବ୍ୟବହାର ହ୍ରାସ ପାଇଛି ଓ ଲାଭ ମଧ୍ୟ କମିଛି । ଏଥିପାଇଁ ରିଫାଇନାରୀ କ୍ଷେତ୍ରକୁ ବଡ଼ ଧକ୍କା ଲାଗିଛି । ରିଫାଇନାରୀ ନିବେଶକୁ ନେଇ ବଡ଼ ପରିବର୍ତନ ଆସିଛି । ଚଳିତ ବର୍ଷ ଆରମ୍ଭରେ ଅରାମକୋ ଇଣ୍ଡୋନେସିଆର କମ୍ପାନୀ ପଟୌମିତା ସହ ପୁଞ୍ଜି ନିବେଶ ନିମନ୍ତେ ଆଗ୍ରହପ୍ରକାଶ କରିଥିଳା, ତାହା ମଧ୍ୟ ଅଧାରେ ଅଟକି ଯାଇଛି ।