‘ସତ୍ୟମେବ ଜୟତେ-୨’ : ସାମ୍ନାକୁ ଆସିଲା ପ୍ରଥମ ପୋଷ୍ଟର

ମୁମ୍ବଇ : ବଲିଉଡ଼ ଅଭିନେତା ଜନ୍‍ ଆବ୍ରାହମ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ୨୦୧୮ରେ ମୁକ୍ତିଲାଭ କରିଥିବା ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ସତ୍ୟମେବ ଜୟତେ’ର ସିକ୍ୱେଲ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି। ମଙ୍ଗଳବାର ଜନ୍‍ ‘ସତ୍ୟମେବ ଜୟତେ-୨’ର ପ୍ରଥମ ପୋଷ୍ଟର ଶେୟାର କରି ଏହି ସୂଚନା ଦେଇଛନ୍ତି।
ପୋଷ୍ଟରରେ ଜନ୍‍ଙ୍କ ଜବରଦସ୍ତ ଲୁକ୍‍ ଦେଖିବାକୁ ମିଳିଛି। ଖାକି ପୋଷାକ ଚିରି ଜନ୍‍ ଛାତିରେ ତ୍ରିରଙ୍ଗା ଦେଖାଇଛନ୍ତି। ଏହାସହିତ ପୋଷ୍ଟରରେ ଲେଖାଅଛି, ‘ତନ, ମନ, ଧନ ଠାରୁ ଅଧିକ ଜନ, ଗଣ, ମନ’। ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଏହି ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ କ୍ଷେତ୍ରକୁ ପୁଣି ଥରେ ଫେରିବେ। ପୋଷ୍ଟରରେ ତାଙ୍କ ଲୁକ୍‍ ମଧ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ଉଭୟ ଜନ୍‍ ଓ ଦିବ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଭୂଷଣ କୁମାର, କୃଷ୍ଣ କୁମାର, ମୋନିଷା ଆଡ଼ଭାଣୀ, ନିଖିଲ ଆଡ଼ଭାଣୀ, ମଧୁ ଭୋଜୱାନୀଙ୍କ ମିଳିତ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ମିଳାପ ଜାଭେରୀ ଏହାର ନିର୍ଦ୍ଦେଶନା ଦେବେ ଓ ଏହା ଆସନ୍ତା ବର୍ଷ ଅକ୍ଟୋବର ୨ ତାରିଖରେ ପରଦାକୁ ଆସିବ।
ପୂର୍ବରୁ ମିଳାପ ଜନଙ୍କ ସହ ‘ସତ୍ୟମେବ ଜୟତେ’ ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଅଦମ୍ୟ ସଫଳତା ହାସଲ କରିଥିଲା। ତେବେ ‘ସତ୍ୟମେବ ଜୟତେ-୨’ ପ୍ରଥମ ଭାଗ ଅପେକ୍ଷା ଦର୍ଶକଙ୍କୁ ଅଧିକ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ପୋଷଣ କରିଛନ୍ତି।

Comments are closed.