ଦ୍ବୖେତନଗରୀରେ ଶନିବାର କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ବର ଓ କଟକର ସରକାରୀ କାର୍ଯ୍ୟାଳୟରେ ୫୦ପ୍ରତିଶତ କର୍ମଚାରୀ କାମ କରିପାରିବେ​

ଭୁବନେଶ୍ବର: ସେପ୍ଟେମ୍ବରରେ ଭୁବନେଶ୍ବର ଓ କଟକରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ସେଗୁଡ଼ିକ ଅଧୀନସ୍ଥ କାର୍ଯ୍ୟାଳୟଗୁଡ଼ିକରେ ୫୦ପ୍ରତିଶତ କର୍ମଚାରୀଙ୍କୁ ନେଇ ଯଥାରୀତି କାର୍ଯ୍ୟ ଚାଲିବ। ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହେବ ସେଥିପ୍ରତି ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦେଶ ଜାରି ହୋଇଛି।
ସାଧାରଣ ପ୍ରଶାସନ ପକ୍ଷରୁ ଜାରି ନିର୍ଦେଶନାମାରେ କୁହାଯାଇଛି ଯେ ଶନିବାରଗୁଡ଼ିକରେ ସାରା ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକ ବନ୍ଦ ରହିବ। କେଉଁ କର୍ମଚାରୀମାନେ ଖୋଲା ରହୁଥିବା ଦିବସଗୁଡ଼ିକରେ କାର୍ଯ୍ୟରେ ଯୋଗଦେବେ ସେ ବିଷୟରେ ଭୁବନେଶ୍ବର ଓ କଟକରେ ଥିବା ସରକାରୀ ବିଭାଗ ବା କାର୍ଯ୍ୟାଳୟଗୁଡ଼ିକର ମୁଖ୍ୟ ନିଷ୍ପତ୍ତି ନେବେ। ତେବେ ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଓସଡ଼ମା କାର୍ଯ୍ୟାଳୟ, ପୁଲିସ, ଅଗ୍ନିଶମ ସେବା, ସ୍ବାସ୍ଥ୍ୟସେବା, ପୌର କାର୍ଯ୍ୟାଳୟ ଭଳି ଜରୁରୀ ସେବା ପ୍ରଦାନକାରୀ ସଂସ୍ଥା ବା କାର୍ଯ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ।

କୋଭିଡ଼ ନିୟମାବଳିକୁ କଡ଼ାକଡ଼ି ପଳନ ସହିତ ଅଫିସ କର୍ମଚାରୀଙ୍କ ‌ମଧ୍ୟରୁ କେହି କୋଭିଡ଼ରେ ଆକ୍ରାନ୍ତ ହେଲେ ସେ କ୍ଷେତ୍ରରେ ସରକାରଙ୍କ ଦ୍ବାରା ପୂର୍ବରୁ ଜାରି ହୋଇଥିବା ନିୟମାବଳି ଆଧାରରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କୁହାଯାଇଛି। ରୋଷ୍ଟର ଡ଼୍ୟୁଟି ଦିଆଯାଇ ନ ଥିଲେ ଭିପିଏନ ଯୋଗାଇଦିଆଯାଇଥିବା କର୍ମଚାରୀ ଘରେ ରହି କାର୍ଯ୍ୟ କରିପାରିବେ। ଜରୁରୀ ପଡ଼ିଲେ ଅଫିସ କାର୍ଯ୍ୟରେ ସେମାନଙ୍କୁ ‌ଯୋଗଦେବାକୁ ପଡ଼ିବ ଏବଂ ଏଥିପାଇଁ ସେମାନେ ଟେଲିଫୋନରେ ଉପଲବ୍ଧ ହେବାକୁ ପରାମର୍ଶ ଦିଆଯାଇଛି। ବିଭାଗୀୟ କାର୍ଯ୍ୟାଳୟ ଅଧୀନସ୍ଥ କାର୍ଯ୍ୟାଳୟ ବା କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ କେତେ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ପରିଚଳନା କରିବେ ସେ ସଂକ୍ରାନ୍ତରେ ପ୍ରଶାସନିକ ବିଭାଗ ନିଷ୍ପତ୍ତି ନେବେ।

Comments are closed.