ସଚିନ ପାଇଲଟ୍ ହୋଇପାରନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ! ବିଜେପି ରାଜ୍ୟ ସଭାପତିଙ୍କ ମନ୍ତବ୍ୟ ପରେ ତାତିଲା ରାଜନୀତି

ଜୟପୁର: ରାଜସ୍ଥାନରେ ରାଜନୈତିକ ସରଗରମ ଲାଗି ରହିଛି । ଗେହଲଟ-ପାଇଲଟ ଲଢ଼େଇକୁ ଅତି ସତର୍କତାର ସହ ନିରୀକ୍ଷଣ କରୁଛି ବିଜେପି । ଏହି ସ୍ଥିତିରେ ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଆହୁରି ଗରମ କରିଛି। ଶ୍ରୀ ପୁନିଆ କହିଛନ୍ତି ଯେ ଯଦି ସେପରି ପରିସ୍ଥିତି ଆସେ ତେବେ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି । କେବଳ ସେତିକି ନୁହେଁ, ପାଇଲଟଙ୍କୁ ଜାତୀୟସ୍ତରର ନେତା ରୂପେ ଅଭିହିତ କରି ଶ୍ରୀ ପୁନିଆ କଂଗ୍ରେସ ନିଜର ଘର ନ ସମ୍ଭାଳିବା ପରିବର୍ତ୍ତେ ବିଜେପିକୁ ଅଯଥା ନିନ୍ଦିତ କରୁଛି ବୋଲି କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ପୁନିଆ କହିଛନ୍ତି ଯେ ସଚିନ ପାଇଲଟ ଗତ ୬ ବର୍ଷ ହେଲା ତାଙ୍କ ଦଳର ରାଜ୍ୟ ସଭାପତି ଥିଲେ। ଗତ ଦେଢ଼ ବର୍ଷ ଧରି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ, ଏପରି ସ୍ଥିତିରେ ବିଜେପି ତାଙ୍କୁ ସହାୟତା ଦେଉଛି ବୋଲି ଯେଉଁ ଅଭିଯୋଗ ହେଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ନିମ୍ନ ମାନସିକତାର । ବାସ୍ତବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ଦଳର ଗୁଜରାଟ ଓ ମଧ୍ୟପ୍ରଦେଶ ବିଧାୟକଙ୍କୁ ଗୋଷ୍ଠୀଭୁକ୍ତ କରୁଛନ୍ତି । ଏପରି ସ୍ଥଳେ ପାଇଲଟଙ୍କ ନିକଟରେ କାହିଁକି ଅନ୍ୟ ରାଜ୍ୟରେ ସମର୍ଥକ ରହିବେ ନାହିଁ । ସେ ଜଣେ ଜାତୀୟସ୍ତରର ନେତା, ଯାହାଙ୍କୁ ଲୋକମାନଙ୍କର ସମର୍ଥନ ଅଛି । ସେମିତି ପରିସ୍ଥିତି ଆସିଲେ ସେ (ସଚିନ ପାଇଲଟ୍) ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇପାରିବେ। ଯେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ପଛରେ ତାଙ୍କର କିଛି ଲକ୍ଷ୍ୟ ଥିବ । ଯଦିଓ ବର୍ତମାନ ଏହି ପ୍ରସଙ୍ଗ ଅଦାଲତରେ ରହିଛି, ତେଣୁ ଏ ସମ୍ପର୍କରେ କିଛି କହିବା ଠିକ୍ ହେବ ନାହିଁ । ତେବେ ଏ କଥା ସ୍ପଷ୍ଟ ଯେ ଗେହଲଟ ସରକାରର ପତନ ସମୟ ଆସିଯାଇଛି ବୋଲି ପୁନିଆ କହିଛନ୍ତି ।

ସେ ପୁଣି କହିଛନ୍ତି ଯେ ଆମ ଦଳ ସବୁ ପରିସ୍ଥିତି ଉପରେ ନଜର ରଖିଛି । ଏଇଥିପାଇଁ ଯେ କଂଗ୍ରେସ ପରେ ଆମ ଦଳ ଦ୍ବିତୀୟ ସଂଖ୍ୟାଗରିଷ୍ଠ ଦଳ । ଯଦି ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ଥାଆନ୍ତା, ତେବେ ସେମାନେ ବିଧାୟକମାନଙ୍କୁୁ ନେଇ ହୋଟେଲରେ ରଖି ନ ଥାନ୍ତେ । ସେମାନଙ୍କ ପାଖରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା କଥା କହୁଛନ୍ତି, ମାତ୍ର ୧୯ ବିଧାୟକ ଏବେ ବି ହରିଆଣାରେ ଅଛନ୍ତି ବୋଲି ପୁନିଆ କହିଛନ୍ତି ।

Comments are closed.