ବାଘପତରେ ଅଶୋଧିତ ତେଲର ବଡ଼ ଭଣ୍ଡାର ଥିବା ସମ୍ଭାବନା, ଚାଲିଛି ଖନନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବାଘପତର ଭୂଗର୍ଭ ତଳେ ଅଶୋଧିତ ତେଲର ଏକ ବଡ଼ ଭଣ୍ଡାର ଥିବା ଜାଣିବାକୁ ମିଳିଛି। ଉପଗ୍ରହ ମାଧ୍ୟମରେ ବାଘପତ ଜିଲାର କିରଠଲ ଅଞ୍ଚଳରେ ଅଶୋଧିତ ତେଲର ଏକ ଭଣ୍ଡାର ଥିବା ଚିହ୍ନଟ କରାଯାଇଛି। ଫଳରେ ଓଏନ୍‍ଜିସିର ଏକ ଦଳ ସେଠାରେ ପହଞ୍ଚି ଉତ୍‍ଖନନ ଆରମ୍ଭ କରିଛି। ପ୍ରାୟ ୩ କିଲୋମିଟର ଅଞ୍ଚଳରେ ଯାଞ୍ଚ ଏବଂ ଖନନ କାର୍ଯ୍ୟ ଚାଲିଛି। କଲକତାରୁ ଓଏନ୍‍ଜିସିର ଆଉ ଏକ ଦଳ ଯାଇ ସେଠାରେ ପହଞ୍ଚିଛି। କୁହାଯାଉଛି ଯେ ହଜାରେ ଫୁଟରୁ ଅଧିକ ଗଭୀର ପର୍ଯ୍ୟନ୍ତ ଖନନ କରାଯାଇପାରେ।
ସୂଚନା ଅନୁଯାୟୀ ସାଟେଲାଇଟରୁ ତେଲ ଭଣ୍ଡାର ସମ୍ଭାବନାର ସନ୍ଧାନ ମିଳିବା ପରେ ଓଏନ୍‍ଜିସିର ଦଳ ସେଠାରେ ପହଞ୍ଚିଥିଲା। ରାମଲା ଥାନା ଅଧୀନ ଏକ ଗ୍ରାମ କରିଠଲର ଭୂଗର୍ଭ ତଳେ ତେଲ ଭଣ୍ଡାର ଥିବା କୁହାଯାଉଛି। ଏହି କ୍ରମରେ ଓଏନ୍‍ଜିସି ସେଠାରେ ଲୋକଙ୍କୁ କହି ପ୍ରାୟ ୧୭ ଏକର ଜମିରୁ ଫସଲ କାଟି ଯାଞ୍ଚ ଚଳାଇଛି। ୩ ଦିନ ପରେ ଏଠାରେ ବୋରୱେଲ କରାଯିବ। ଏଠାରେ ତେଲ ଥିବାର ୯୫ % ସମ୍ଭାବନା ଥିବା କୁହାଯାଉଛି। ଗତ ଶୁକ୍ରବାର ଓଏନ୍‍ଜିସିର ଏକ ଦଳ ୧୭୦ ଫୁଟ୍‍ ବୋର କରିଥିଲା। ସେଠାରେ ବିସ୍ଫୋରଣ କରି ନମୁନା ସଂଗ୍ରହ କରାଯାଇଥିଲା। ଆଖପାଖ ଲୋକଙ୍କୁ ଜମିକୁ ଯିବାକୁ ମନା କରାଯାଇଛି।

Comments are closed.