ସାତଶଙ୍ଖରେ କରୋନା କଟକଣା – ହାଟ କି ମେଳଣ ଜାଣିବା ମୁସ୍କିଲ

ପିପିଲି: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସମଗ୍ର ଦେଶକୁ ସଂପୂର୍ଣ୍ଣ ଲକ୍‍ଡାଉନ କରାଯାଇଥିବା ବେଳେ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ଓ ଜିଲା ସୀମାକୁ ସିଲ୍‍ କରିବା ସହ କୌଣସି ବି ପରିସ୍ଥିତିରେ ଲକ୍‍ଡାଉନ ନିୟମ ଯେପରି ଉଲଂଘନ ନ ହୁଏ, ତାହାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟକୁ ଗତ ୨୯ ତାରିଖରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ସମଗ୍ର ରାଜ୍ୟରେ ଲକ୍‍ଡାଉନ କଟକଣାକୁ ଅଧିକ କଡାକଡି କରାଯାଇଛି। ତେବେ ସରକାରଙ୍କ ଏସବୁ ନିୟମ ପିପିଲିରେ ଯେପରି ଫେଲ୍‍ ମାରିଥିବା ପରି ମନେ ହୁଏ। ସାତଶଙ୍ଖ ସ୍ଥିତ ମେଳଣ ପଡିଆଠାରେ ମଙ୍ଗଳବାର ଅନୁଷ୍ଠିତ ସାପ୍ତାହିକ ହାଟରେ ସାମାଜିକ ଦୂରତ୍ୱକୁ କେହି ପାଳନ କରିନଥିବା ପରିଲକ୍ଷିତ ହୋଇଥିଲା। ଜାତୀୟ ରାଜପଥ କଡରେ ଅନୁଷ୍ଠିତ ଉକ୍ତ ହାଟରେ ଲକ୍‍ଡାଉନ୍‍ ନିୟମକୁ ଖୋଲାଖୋଲି ଭାବେ ଉଲଂଘନ କରାଯାଇଥିବା ବେଳେ ସେଠାରେ ଉପସ୍ଥିତ ପୁଲିସ କେବଳ ଦେଖଣାହାରି ପାଲଟିଥିବା ଅଭିଯୋଗ ହୋଇଛି। ହାଟକୁ ଦେଖିଲେ ଲାଗୁଥିଲା ସତେ ଯେପରି କୌଣସି ମେଳା କିମ୍ବା ମେଳଣ ଚାଲିଛି।

ସାତଶଙ୍ଖ ବଜାର ଉପରେ ସପ୍ତାହର ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ପରିବା ହାଟ ଅନୁଷ୍ଠିତ ହୁଏ। ଗତ ଶନିବାର ଅନୁଷ୍ଠିତ ସାପ୍ତାହିକ ହାଟରେ ପ୍ରବଳ ସଂଖ୍ୟାରେ ଲୋକଙ୍କ ଭିଡ ଲାଗିବା ସହ ରାସ୍ତା ଉପରେ ମଧ୍ୟ ପନିପରିବା କିଣାବିକା ହୋଇଥିଲା। ଲକ୍‍ଡାଉନ ତଥା ସାମାଜିକ ଦୂରତ୍ୱ ନିୟମକୁ କେହି ମାନିନଥିଲେ। ଏଭଳି ପରିସ୍ଥିତିରେ ଉକ୍ତ ସାପ୍ତାହିକ ହାଟକୁ ଅସ୍ଥାୟୀ ଭାବେ ନିକଟବର୍ତ୍ତି ମେଳଣ ପଡିଆକୁ ସ୍ଥାନାନ୍ତର କରିବା ଲାଗି ଉଭୟ ପୁଲିସ ଓ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ଆଜି ମେଳଣ ପଡିଆରେ ହାଟ ବସିଥିଲା। ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ ଚାଲିବାକୁ ନିୟମ ଧାର୍ଯ୍ୟ ହୋଇଥିଲା। ପ୍ରତ୍ୟେକ ଦୋକାନ ମଧ୍ୟରେ ଯଥେଷ୍ଟ ଦୂରତ୍ୱ ରହିବା ସହ ଉଭୟ ବ୍ୟବସାୟୀ, ଚାଷୀ ଓ ଗ୍ରାହକମାନେ ସାମାଜିକ ଦୂରତ୍ୱ ନିୟମକୁ କଡାକଡି ଭାବେ ପାଳନ କରିବାକୁ ଘୋଷଣା କରାଯାଇଥିଲା।

ତେବେ ଏସବୁ ନିୟମକୁ ଆଜି ଖୋଲାଖୋଲି ଭାବେ ଉଲଂଘନ କରାଯାଇଥିବା ପରିଲକ୍ଷିତ ହୋଇଥିଲା। ରାତି ସାଢେ ୪ଟାରୁ ପରିବା ଚାଷୀମାନଙ୍କ ଭିଡ ଉକ୍ତ ହାଟରେ ଲାଗିଥିବା ବେଳେ ଯିଏ ଯେଉଁଠି ପାଇଲା ସେଠାରେ ନିଜ ନିଜର ପନିପରିବା ବସ୍ତା ଗଦାଇ ରଖିଥିଲେ। ସକାଳ ସାଢେ ୬ଟାରୁ ୧୦ଟା ପର୍ଯ୍ୟନ୍ତ ଉକ୍ତ ହାଟରେ ଅସମ୍ଭବ ଭିଡ ଲାଗିଥିଲା। ଲୋକେ ଜାତୀୟ ରାଜପଥ ଉପରେ ସେମାନଙ୍କ ଗାଡିମୋଟରକୁ ରଖି ହାଟ ଭିତରେ ଗହଳି ଲଗାଇଥିଲେ। ପନିପରିବା ଦୋକାନ ସମ୍ମୁଖରେ ଲୋକେ ସାମାଜିକ ଦୂରତ୍ୱକୁ ଭୂଲି ଯାଇ ଗହଳି ଲଗାଇ ପରିବା କିଣୁଥିବା ପରିଲକ୍ଷିତ ହୋଇଥିଲା। ହାଟର ପ୍ରବେଶ ପଥକୁ ଦେଖିଲେ ଲାଗୁଥିଲା ସତେ ଯେପରି ସେଠାରେ କୌଣସି ମେଳା କିମ୍ବା ମେଳଣ ଚାଲିଛି। ବହୁ ସଂଖ୍ୟାରେ ଲୋକେ ଏକାଠି ହାଟକୁ ପ୍ରବେଶ କରୁଥିଲେ ଓ ବାହାରୁଥିଲେ।

ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ପାଳନ କରିବାକୁ ମାଇକ୍‍ ଯୋଗେ ପ୍ରଚାର କରାଯାଉଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରିନଥିଲେ। ହାଟକୁ ଦେଖିଲେ ଲାଗୁଥିଲା ସତେ ଯେପରି ସରକାରଙ୍କ ଲକ୍‍ଟାଉନ୍‍ କଟକଣାକୁ ଏମାନଙ୍କ ଖାତିର ନାହିଁ। ସାମାନ୍ୟ କେଇଜଣ ପୁଲିସ ଅଫିସର ଓ ଫୋର୍ସ କେବଳ ଦେଖଣାହାରି ପାଲଟିଥିବା କୁହାଯାଉଛି। ପୂର୍ବାହ୍ନ ସାଢେ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହାଟରେ ଗହଳି କମିଥିବା ବେଳେ ଅପରାହ୍ନ ୪ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପୁନର୍ବାର ପ୍ରବଳ ଗହଳି ଲାଗିଥିଲା। ସମସ୍ତ ଦୋକାନୀ ଓ ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବାକୁ ପୁଲିସ ଯେତେ ଚିଲାଇ କହିଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ।

Comments are closed.