ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଇକୋ ଟୁରିଜିମ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପ୍ରାଧିକରଣଙ୍କ ରିପୋର୍ଟ ତଲବ

ଭୁବନେଶ୍ୱର : ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଇକୋ-ଟୁରିଜିମ ଯୋଜନା ସହ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ଯୋଗୁ ବନ୍ୟପ୍ରାଣୀଙ୍କ ଉପରେ କୁପ୍ରଭାବ ପଡୁଥିବା ଅଭିେଯାଗ ହୋଇଛି। ଏହାଛଡା ନିୟମାନୁସାରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ମାତ୍ର ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଯୋଜନା ଏହାର ବିରୋଧାଚରଣ କରୁଥିବା ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା ପକ୍ଷରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏ ନେଇ ବିସ୍ତୃତ ବିବରଣୀ ଦେବାକୁ ଏନଟିସିଏଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ନୋଟିସ ଜାରି କରାଯାଇଛି। ସୂଚନାେଯାଗ୍ୟ ଯେ ୨୦୧୯ ଅକ୍ଟୋବର ୩୦ ତାରିଖରେ ମଧ୍ୟ ଅନୁରୂପ ଭାବେ ନୋଟିସ ଜାରି କରାଯାଇଥିଲା, ହେଲେ ଏଥିପ୍ରତି ଗୁରୁତ୍ବ ଦିଆଯାଇ ନ ଥିଲା।

ୱାଇଲ୍ଡ ଲାଇଫ ସୋସାଇଟି ଅଫ ଓଡିଶା ପକ୍ଷରୁ ଅଭିେଯାଗ କରାଯାଇଥିଲା ଯେ ଓଡିଶା ପର୍ଯ୍ୟଟନ ପକ୍ଷରୁ ବଡମୂଳଠାରେ ମହାନଦୀ ପଠାରେ ୨୦ରୁ ଅଧିକ ଅସ୍ଥାୟୀ ତମ୍ବୁ ପକାଯାଇଛି। ଏଠାରେ ପର୍ୟ୍ୟଟକଙ୍କ ରାତି ରହଣିର ବ୍ୟବସ୍ଥା କରାଯାଇଥିବା ବେଳେ ଆଦିବାସୀ ଲୋକନୃତ୍ୟ, କ୍ୟାମ୍ପ ଫାୟାର, ଭଲିବଲ, ବାସ୍କେଟବଲ ଓ ଫୁଟବଲ ଖେଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାତିରେ ନୃତ୍ୟଗୀତ ଓ ରଙ୍ଗବେରଙ୍ଗର ଆଲୋକ ବନ୍ୟଜନ୍ତୁଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି। ଏହାଛଡା ଏଠାରେ କଇଁଛ ଓ କୁମ୍ଭୀର ବସା ବାନ୍ଧିବା ସହ ଅଣ୍ଡା ମଧ୍ୟ ଦେଇଥାନ୍ତି। ସେହିପରି ବିଭିନ୍ନ ପ୍ରଜାତିର ପକ୍ଷୀ ମଧ୍ୟ ଏଠାକୁ ଆସିଥାନ୍ତି।

ଅପରପକ୍ଷରେ ସାତକୋଶିଆ ଗଣ୍ଡରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ମୋଟର ବୋଟର ବ୍ୟବସ୍ଥା କରାଯାଇଛି। ବୋଟର ଶବ୍ଦ ଯୋଗୁ କଇଁଛ, ମାଛ, କୁମ୍ଭୀର ଓ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି। ଏପରିକି ବୋଟ ଚଳାଚଳ କରୁଥିବା ଅଞ୍ଚଳରେ କୁମ୍ଭୀର ଓ କଇଁଛଙ୍କ ମିଳନ ହେଉନ ଥିବା ବେଳେ ଅଣ୍ଡା ମଧ୍ୟ ଦେଉନାହାନ୍ତି। ଏହାଛଡା ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପକ୍ଷୀ ଓ ନଦୀ ଦେଖିବା ଲାଗି ଗଛରୁ ଗଛକୁ କାଠ ପଟା ନଚେତ ଶିଡି ଦ୍ବାରା ସଂଯୋଗ କରାଯାଇଛି। ଏହା ଉପରେ ପର୍ଯ୍ୟଟକମାନେ ବୁଲିବା ଫଳରେ ପକ୍ଷୀଙ୍କ ଆଗମନରେ ବ୍ୟାଘାତ ସୃଷ୍ଟି ହେଉଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ଉପରୋକ୍ତ କାର୍ଯ୍ୟକ୍ରମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନଚେତ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ୱାଇଲ୍ଡ ଲାଇଫ ସୋସାଇଟି ପକ୍ଷରୁ ୨୦୧୯ ଅକ୍ଟୋବର ୨୮ ତାରିଖରେ ଏନଟିସିଏ ଏଡିଜିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ଏନଟିସିଏ ପକ୍ଷରୁ ୩୦ ତାରିଖରେ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ନୋଟିସ ଜାରି ହୋଇଥିଲା। ମାତ୍ର ଏ ନେଇ ବିଭାଗ ପକ୍ଷରୁ କୌଣସି ଉତ୍ତର ଦିଆଯାଇ ନ ଥିଲା। ଫଳରେ ୱାଇଲ୍ଡ ଲାଇଫ ସୋସାଇଟି ସମ୍ପାଦକ ବିଶ୍ବଜିତ ମହାନ୍ତି ପୁନର୍ବାର ଗତ ନଭେମ୍ବର ୨୩ ତାରିଖରେ ଏନଟିସିଏରେ ଅଭିଯୋଗ କରିଥିଲେ। ଫଳରେ ଏନଟିସିଏ ପକ୍ଷରୁ ପୁନର୍ବାର ନୋଟିସ ଜାରି କରାଯାଇଛି।

Comments are closed.