କେବିସିରେ ଭାଗନେବେ ସମ୍ବଲପୁର ବୋହୂ

ସମ୍ବଲପୁର: ସମ୍ବଲପୁରର ବୋହୂ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ.ସସ୍ମିତା କର ସୋନି ଚ୍ୟାନେଲର ଲୋକପ୍ରିୟ କାର୍ଯ୍ୟକ୍ରମ କୋନ୍ ବନେଗା କରୋଡ୍ ପତି (କେବିସି) ସକାଶେ ମନୋନୀତ ହୋଇଛନ୍ତି। ବୁଧବାର ସେ ସୁଟିଂ ପାଇଁ ମୁମ୍ବାଇ ଯାଇଛନ୍ତି ଏବଂ ସପ୍ତାହନ୍ତରେ ସୁଟିଂ ହେବ ବୋଲି ଜଣାପଡ଼ିଛି। ପ୍ରସାରିତ ହେଉଥିବା ଏପିସୋଡ ପାଇଁ ପ୍ରତି ସପ୍ତାହରେ ୧୦ ଜଣଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଡ. କର ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ହଟ୍‍ସିଟ୍‍ରେ ବସିବେ। ଏଠାରେ ସେ ‘ଫାଷ୍ଟେଷ୍ଟ ଫିଙ୍ଗର ଫାଷ୍ଟ’ରେ ପ୍ରଥମେ ଖେଳିବେ ବୋଲି ଜଣାପଡ଼ିଛି।

ସସ୍ମିତା ମୁମ୍ବାଇ ଯିବା ପୂର୍ବରୁ କର୍ମକ୍ଷେତ୍ର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ତାଙ୍କ ଘରେ କେବିସି ପକ୍ଷରୁ ଭିଡିଓ ସୁଟିଂ କରାଯାଇଛି। ଗତ ଜୁନରେ ପଞ୍ଜୀକରଣ କରିବା ପରେ ତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଅନ୍‍ଲାଇନ ଓ ଭିଡିଓରେ ପ୍ରଶ୍ନ ପଚରାଯାଇଥିଲା। ସେଗୁଡ଼ିକରେ କୃତକାର୍ଯ୍ୟ ହେବାପରେ ସେପ୍ଟେମ୍ବରରେ ଯୋଗ୍ୟ ବିବେଚିତ ଭାବରେ ତାଙ୍କର ଏକ ସାକ୍ଷାତକାର ନିଆଯାଇଥିଲା। କେବିସିରେ ଭାଗନେବା ପୂର୍ବରୁ ପ୍ରାୟ ପ୍ରତିଦିନ ତାଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା ଓ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହାପରେ ଭୁବନେଶ୍ୱରରେ ସୁଟିଂ ହୋଇଥିଲା। ସମ୍ବଲପୁରର ଶିକ୍ଷାବିତ୍ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ସାନବୋହୂ ସସ୍ମିତା ବିଦ୍ୟାଳୟ ସମୟରୁ ବିଭିନ୍ନ ଜିଲା ତଥା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଛନ୍ତି। ସେ ବରିଷ୍ଠ ସାମ୍ବାଦିକ ସୁକାନ୍ତ କରଙ୍କ ପତ୍ନୀ ତଥା କଟକ ଜିଲା ପହଙ୍ଗା (ନିଆଳି) ନିବାସୀ ବଟକୃଷ୍ଣ ଷଡ଼ଙ୍ଗୀଙ୍କ କନିଷ୍ଠା କନ୍ୟା ଅଟନ୍ତି।

Comments are closed.