ଅଗମ୍ୟ ଅଞ୍ଚଳର ଦେବଦୂତ ଡିଣ୍ଡିରିଗାଁ ସରପଞ୍ଚ

ଭୟ ଦୂରେଇଲେ, ବୟୋଜ୍ୟେଷ୍ଠଙ୍କୁ ଟିକାକେନ୍ଦ୍ରକୁ ବୋହି ନେଲେ

ଫୁଲବାଣୀ : କରୋନା ମହାମାରୀ ପ୍ରତିହତର ଅମୋଘ ଅସ୍ତ୍ର ଟିକା ନେବାକୁ ଅଗମ୍ୟ ଅଞ୍ଚଳର ବୟୋଜ୍ୟେଷ୍ଠମାନେ ଭୟ କରୁଛନ୍ତି। ରାସ୍ତା ସମସ୍ୟା ହେଉ କି ବୟସାଧିକ କାରଣ ଅବା ଭୟ ହେଉ କନ୍ଧମାଳ ଜିଲାର ବହୁ ଅଗମ୍ୟ ଗ୍ରାମର ବୟୋବୃଦ୍ଧ କରୋନା ଟିକା ନେଇ ନାହାନ୍ତି। ଏଭଳି ସ୍ଥିତିରେ ଅଗମ୍ୟ ଗ୍ରାମର ଦେବଦୂତ ସାଜିଛନ୍ତି ଜଣେ ସରପଞ୍ଚ। ଅଗମ୍ୟ ଗ୍ରାମର ବୟୋବୃ୍ଦ୍ଧଙ୍କୁ ବୁଝାସୁଝା କରିବା ପରେ ସେମାନଙ୍କୁ କାନ୍ଧରେ ବୋହି ନିଜ ବାଇକରେ ବସାଇ ଟିକାକରଣ କରିବା ପରେ ପୁଣି ସେମାନଙ୍କୁ ନିଜ ନିଜ ଘରେ ଛାଡିବା ଭଳି କାର୍ଯ୍ୟ କରି ସବୁଠି ପ୍ରଶଂସା ସାଉଁଟିଛନ୍ତି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଡିଣ୍ଡିରିଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ କହଁର।
କନ୍ଧମାଳ ଜିଲାରେ କରୋନା ଟିକା ପ୍ରଦାନ ପାଇଁ ଜିଲା ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଟିକାକରଣକୁ ସଫଳ କରିବାକୁ ସବୁସ୍ତରରେ ଉଦ୍ୟମ ସତ୍ତ୍ବେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ଭୟରେ ଟିକାଦାନକୁ ପସନ୍ଦ କରୁନଥିବା ଖବର ହସ୍ତଗତ ହୋଇଛି। ଏଭଳି ସ୍ଥଳେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକର ଡିଣ୍ଡିରାଗାଁ ପଞ୍ଚାୟତ ସରପଞ୍ଚ କହ୍ନେଇ କହଁର ନିଜର ଉଦ୍ୟମ ଓ ଚେଷ୍ଟାରେ ଟିକାଦାନରୁ ବିଭିନ୍ନ କାରଣରୁ ବଞ୍ଚିତ ରହିଥିବା ବୟୋବୃଦ୍ଧଙ୍କ ସହଚର ପାଲଟିଛନ୍ତି। ଆଶା , ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହଯୋଗରେ ଆଜି ସୁଦ୍ଧା ସେ ଶତାଧିକ ମହିଳା ଓ ପୁରୁଷଙ୍କୁ ଟିକାକରଣ କରାଇବାରେ ସଫଳ ହୋଇଛନ୍ତି। ଏପରିକି ଯେଉଁ ବୃଦ୍ଧ ଓ ବୃଦ୍ଧାମାନେ ଟିକା କେନ୍ଦ୍ରକୁ ଯାଇପାରୁନଥିଲେ ସେମାନଙ୍କୁ ସରପଞ୍ଚ କହ୍ନେଇ କାନ୍ଧରେ ବାଇକ ପର୍ଯ୍ୟନ୍ତ ବୋହି ନେବା ସହ ନିଜ ବାଇକରେ ବସାଇ ଟିକାକେନ୍ଦ୍ରରେ ପହଞ୍ଚାଉଛନ୍ତି। ଟିକାନେବା ପରେ ପୁଣି ସେମାନଙ୍କୁ ଘରେ ଛାଡୁଛନ୍ତି। ସରପଞ୍ଚଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଏହି ପଞ୍ଚାୟତ ଅନ୍ତର୍ଗତ ସରୁକୁଇ ଓ ଟେଲପାଲି ବିଦ୍ୟାଳୟ ପରିସରରେ ୨୦୦ ଜଣଙ୍କୁ ଟିକା ଦେବାକୁ ଧାର୍ଯ୍ୟ ‍ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ହାତ ଗଣତି କିଛି ଲୋକ ଟିକା ନେଇଥିଲେ ମଧ୍ୟ ଅନେକ ବୟସ୍କ ଭୟଭୀତ ହୋଇ ଟିକା ନେବାକୁ ଆସିନଥିଲେ।

Comments are closed.