ନୂଆଶାସନ ପଞ୍ଚାୟତ ସରପଞ୍ଚ ଉପନିର୍ବାଚନ, ୪ ପ୍ରାର୍ଥୀପତ୍ର କାଏମ

ପିପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ସରପଞ୍ଚ ପଦବୀ ପାଇଁ ମୋଟ୍‍ ୪ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଯାଞ୍ଚ ପ୍ରକ୍ରିୟା ପରେ ସମସ୍ତ ୪ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ଏନେଇ ଆଜି ପିପିଲି ବିଡିଓ ତଥା ନିର୍ବାଚନ ଅଧିକାରୀ ରଶ୍ମିତା ନାଥ କାଏମ ଥିବା ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି । ଆସନ୍ତା ୫ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ସେହିଦିନ ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।

ନୂଆଶାସନ ପଞ୍ଚାୟତର ସରପଞ୍ଚ ପଦ ପାଇଁ ଉପନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଭାବେ ଚିନ୍ମୟ ମହାପାତ୍ର, ବିଜେପି ସମର୍ଥିତ ପ୍ରାର୍ଥୀ ଭାବେ ସୌମ୍ୟକାନ୍ତ ଦାଶ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଭାବେ ପ୍ରଶାନ୍ତ କୁମାର ପ୍ରଧାନ ଓ ସ୍ୱାଧିନ ପ୍ରାର୍ଥୀ ଭାବେ ସନ୍ତୋଷ ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ପଞ୍ଚାୟତରେ ୨୫୬୯ ପୁରୁଷ ଓ ୨୧୬୨ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୪୭୩୧ ଜଣ ଭୋଟର ଆସନ୍ତା ୨୪ ତାରିଖରେ ମୋଟ୍‍ ୧୨ଟି ବୁଥ୍‍ରେ ମତଦାନ କରିବେ । ଉକ୍ତଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟ୍‍ ଗ୍ରହଣ ହେବ ।

ଏଠାରେ ସୂଚନା ଥାଉକି, ଗତ ୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ ନୂଆଶାସନ ପଞ୍ଚାୟତରୁ ପ୍ରଫୁଲ୍ଲ କୁମାର ମେକାପ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ । ତେବେ ପ୍ରଫୁଲ୍ଲଙ୍କ ୩ଟି ସନ୍ତାନ ଥିବା ଦର୍ଶାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ସୌମ୍ୟକାନ୍ତ ଦାଶ ଅଦାଲତରେ ମାମଲା ରୁଜୁ କରିଥିଲେ । ଉକ୍ତ ମାମଲାର ବିଚାର କରି ଅଦାଲତ ଶ୍ରୀମେକାପଙ୍କ ସରପଞ୍ଚ ପଦବୀକୁ ଅସିଦ୍ଧ ଘୋଷଣା କରିଥିଲେ ।

Comments are closed.