ଆରପାରିରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସରୋଜ ପଟ୍ଟନାୟକ

ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ୮୧ ବର୍ଷ ବୟସରେ ପରଲୋକ ଘଟିଛି। ହୃଦ୍‌ଘାତ ଯୋଗୁ ବାରିପଦା ବଡ଼ବଜାରସ୍ଥିତ ବାସଗୃହରେ ତାଙ୍କର ଦେହାନ୍ତ ହୋଇଛି। ସେ ରାଜ୍ୟ ସରକାରଙ୍କ ଅଧୀନରେ ପୂର୍ତ୍ତ ଏବଂ ଗୃହନିର୍ମାଣ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଚାକିରି ସହ ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଆ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସେ ସଙ୍ଗୀତ ସାଧନା କରିଥିଲେ। ସରୋଜ ୧୯୭୭ ମସିହାରେ ଅଭିମାନ କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ।

ସରୋଜ ପଟ୍ଟନାୟକ ୧୯୪୦ ମସିହା ଜୁନ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ପିଲାବେଳରୁ ସଙ୍ଗୀତ ପ୍ରତି ଆଗ୍ରହୀ ଥିଲେ ଓ ନିଜେ ହାରମୋନିୟମ ଧରି ଗୀତ ଶିଖିଥିଲେ। ମୟୂରଭଞ୍ଜର ପ୍ରାକୃତିକ ପରିବେଶ ଓ ଲୋକଗୀତ ତାଙ୍କୁ ପିଲାଦିନରୁ ପ୍ରଭାବିତ କରିଥିଲା। ତାଙ୍କ ନିର୍ଦ୍ଦେଶିତ ଗୀତ ସୁରରେ ଏହି ପ୍ରଭାବ ଦେଖିବାକୁ ମିଳେ। ୧୯୫୮-୫୯ମସିହାରୁ ତାଙ୍କ ଗୀତସୁର ଆକାଶବାଣୀରେ ବାଜୁଥିଲା। ପରବର୍ତ୍ତୀ ସମୟରେ ସେ ଆକାଶବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ମାନ୍ୟତା ପାଇଥିଲେ। ଅଭିମାନ ଚଳଚ୍ଚିତ୍ରରେ ପ୍ରଯୋଜକ ଗଣେଷ ଚନ୍ଦ୍ର ଜିଉ ତାଙ୍କୁ ପ୍ରଥମ ସୁଯୋଗ ଦେଇଥିଲେ। ଏହି ଚଳଚ୍ଚିତ୍ରରେ ସେ ରାଧାକୃଷ୍ଣ ଭଞ୍ଜଙ୍କ ସହ ଯୁଗ୍ମ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବରେ କାର୍ଯ୍ୟ କରିଛନ୍ତି।

ସେ ଓଡ଼ିଆ ଚଳଚ୍ଚିତ୍ର ଅଭିମାନ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ହାକିମ ବାବୁ ଓ ଏଇ ସଂଘର୍ଷରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଅଭିଳାଷ, ମୋ ମନ ଖାଲି ତୋରି ପାଇଁ ଓ ତୁମେ ହିଁ ସାଥୀ ମୋର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଭାବେ କାର୍ଯ୍ୟ କରିଥିଲେ। ସେ ଭିନ୍ନ ସମୟ ଚଳଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ଫୁଲ ଚନ୍ଦନ ଓ ଅଭିଳାଷ ଚଳଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ସଙ୍ଗୀତକାର ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଥିଲେ।

Comments are closed.