ହସ୍ପିଟାଲ ଶଯ୍ୟାରୁ ଜୀବନସାଥୀ

ଚଳଚ୍ଚିତ୍ର କାହାଣୀଠାରୁ ବି କିଛି କମ୍‍ନୁହେଁ। ଯେଉଁଥିରେ ରହିଛି ସେବାଭାବ, ଏକ ଦରଦୀ ହୃଦୟର କଥା ଏବଂ ତାହା ପ୍ରେମର ରୂନେଇ ସାରା ଜୀବନ ପାଇଁ ଶେଷରେ ହାତଗଣ୍ଠିରେ ବାନ୍ଧିଦେଇଛି ଦୁଇ ଜଣଙ୍କୁ। ଏହି ଦୁଇ ଚରିତ୍ର ହେଉଛନ୍ତି ଦୀର୍ଘ ୧୧ବର୍ଷ ତଳେ ଏସିଡ ଆକ୍ରମଣର ଶିକାର ହୋଇଥିବା ଯୁବତୀ ପ୍ରମୋଦିନୀ ଏବଂ ତାଙ୍କର ସେବା କରୁଥିବା ସରୋଜ। ୨୦୦୯ରେ ଏକପାଖିଆ ପ୍ରେମକୁ ନେଇ ପ୍ରମୋଦିନୀଙ୍କ ଉରେ ଏସିଡ ଢାଳିଦେଇଥିଲେ ଅର୍ଦ୍ଧସାମରିକ ବାହିନୀରେ ସେତେବେଳେ କାର୍ଯ୍ୟରତ ଜଣେ ଯୁବକ ଏବଂ ତାଙ୍କର କିଛି ସାଥୀ। ଉଦ୍ଦେଶ୍ୟ ଥିଲା ପ୍ରମୋଦିନୀ ତାଙ୍କର ନ ହେଲେ ଆଉ କାହାର ବି ହୋଇପାରିବେ ନାହିଁ। ବିଧିର ବିଧାନ କିନ୍ତୁ ଭିନ୍ନ ଥିଲା। ମାତ୍ର ୧୬ବର୍ଷର କିଶୋରୀ ପ୍ରମୋଦିନୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିହେଲେ। ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ଏବଂ ଆଉ ଗୋଟିଏ ଆଖିରେ ସେ ପ୍ରାୟ ୪୦ ଭାଗ ଦୃଷ୍ଟି ଶକ୍ତି ହରାଇଛନ୍ତି। ତାଙ୍କ ମୁହଁରେ ପୋଡିଯାଇଥିବା ସ୍ଥାନର ଏକାଧିକ ଥର ଅସ୍ତ୍ରୋଚାର କରାଯାଇଥିଲା। ହସ୍ପିଟାଲରେ ଔଷଧ ଯୋଗାଣ କରୁଥିବା ଜଣେ ଯୁବକ ସରୋଜଙ୍କୁ ଦିନେ ପ୍ରମୋଦିନୀଙ୍କର ଚିକିତ୍ସା କରୁଥିବା ନର୍ସ ତାଙ୍କ କଥା କହିଥିଲେ। ସବୁ ଶୁଣିବା ପରେ ସରୋଜଙ୍କ ମନରେ ପ୍ରମୋଦିନୀଙ୍କ ପ୍ରତି ସହାନୁଭୂତି ପ୍ରକାଶ ପାଇଥିଲା।

ସ୍ପିଟାଲ ଶଯ୍ୟାରେ ପ୍ରମୋଦିନୀଙ୍କୁ ଭେଟିବା ପରେ ସରୋଜ ତାଙ୍କର ସେବା, ଯତ୍ନ କରିବା ଆରମ୍ଭ କରିଥିଲେ। ୟାଭିତରେ ସେ କେତେବେଳେ ପ୍ରମୋଦିନୀଙ୍କୁ ଭଲପାଇ ବସିଲେ, ତାହା ସେ ଜାଣି ନ ଥିଲେ। ହସ୍ପିଟାଲରେ ଅଧିକ ସମୟ ପ୍ରମୋଦିନୀଙ୍କ ପାଇଁ ଦେଇ ସରୋଜ ଚାକିରୀ ମଧ୍ୟ ହରାଇଲେ। କିନ୍ତୁ ତାଙ୍କ ମନରେ ଅନୁଶୋଚନା ନ ଥିଲା। କାଳକ୍ରମେ ସରୋଜଙ୍କ ପ୍ରେମକୁ ପ୍ରମୋଦିନୀ ମଧ୍ୟ ଜାଣିଲେ। ଏହା ଭିତରେ ପ୍ରମୋଦିନୀଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା ଏବଂ ସମ୍ପର୍କୀୟମାନେ ତାଙ୍କୁ ପର କରିଦେଲେ। ସରୋଜଙ୍କ ସେବା ଓ ଭଗବାନଙ୍କ କୃପାରୁ ପ୍ରମୋଦିନୀ ସୁସ୍ଥ ହେଲେ ଏବଂ ଦୁହେଁ ଚିରଦିନ ପାଇଁ ଜୀବନସାଥୀ ହେବାକୁ ନିଷ୍ପତ୍ତି ନେଲେ। ଚଳିତ ମାର୍ଚ୍ଚ ୧ତାରିଖରେ ଧୂମ୍‍ଧାମରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି ଏବଂ ୨ତାରିଖରେ ବିବାହ ଭୋଜି ମଧ୍ୟ ସରିଛି। ଏବେ ପ୍ରମୋଦିନୀ ପାଲଟି ଯାଇଛନ୍ତି ସରୋଜଙ୍କ ଜୀବନସାଥୀ। ଉଭୟ ଉଭୟଙ୍କୁ ପାଇ ବେଶ୍‍ ଖୁସି ଏବଂ ଏହା ଭଗବାନଙ୍କ ଇଚ୍ଛା ବୋଲି କହିଛନ୍ତି।

ସରୋଜଙ୍କ ଭଳି ସାହସୀ ଯୁବକ ମିଳିବା ବିରଳ: ସୁଭଶ୍ରୀ ଦାସ

ଭୁବନେଶ୍ଵର: ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ ଏବଂ ସରୋଜ ସାହୁଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଯାଇଛି। ଉଭୟଙ୍କ ପ୍ରେମକୁ ସାମାଜିକ ସ୍ବୀକୃତି ମିଳିଛି। ଜଣେ ଏସିଡ୍‌ ପୀଡ଼ିତାଙ୍କୁ ବିବାହ କରି ସରୋଜ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ଆଜିର ସମୟରେ ତାଙ୍କ ଭଳି ସାହସୀ ଯୁବକ ବିରଳ ବୋଲି କହିଛନ୍ତି ପ୍ରମୋଦିନୀ ଏବଂ ସରୋଜଙ୍କ ପ୍ରେମ ବିବାହରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସାମାଜିକ କର୍ମୀ ସୁଭଶ୍ରୀ ଦାସ।

ସୁଭଶ୍ରୀ କୁହନ୍ତି, ଏସିଡ୍‌ ପୀଡ଼ିତାମାନଙ୍କର ପୁନଃଥଇଥାନ ସବୁଠୁ ଜରୁରୀ ବିଷୟ। ଆଜି ବି ସେମାନଙ୍କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏସିଡ୍‌ ପୀଡ଼ିତାଙ୍କ ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଛପାକ୍‌’ ପରଠାରୁ ସେମାନଙ୍କୁ ସହାୟତା ଏବଂ ପୁନଃ ଥଇଥାନ ବିଷୟ ଉପରେ ଆଲୋଚନା ଆରମ୍ଭ ହୋଇଛି ଏବଂ ଚିନ୍ତା ବି କରାଯାଉଛି।

ସେ ଆହୁରି କହିଛନ୍ତି, ଏସିଡ୍‌ ପୀଡ଼ିତାମାନଙ୍କୁ ଆତ୍ମନିର୍ଭର କରିବାର ଆବଶ୍ୟକତା ରହିଛି। ସରକାର, ବଡ଼ ବଡ଼ ଏନଜିଓ ଏବଂ କର୍ପୋରେଟ୍‌ ସଂସ୍ଥା ଯଦି ଆଗକୁ ଆସନ୍ତି, ତେବେ ଏହା କୌଣସି କଷ୍ଟକର କାର୍ଯ୍ୟ ନୁହେଁ। ଶିରୋଜ କାଫେ ଖୋଲିବା ପ୍ରସ୍ତାବ ସେ ସରକାରଙ୍କୁ ଦେଇଛନ୍ତି। ଶିରୋଜ କାଫେ ଏପରି ଏକ ସଂସ୍ଥା, ଯାହା ଏସିଡ୍‌ ପୀଡ଼ିତାଙ୍କୁ ଆତ୍ମନିର୍ଭର କରାଇବା ଦିଗରେ କାର୍ଯ୍ୟ କରୁଛି। ପ୍ରମୋଦିନୀଙ୍କ ନିର୍ବନ୍ଧ ମଧ୍ୟ ଏହି ସଂସ୍ଥା ପକ୍ଷରୁ ଆୟୋଜିତ କରାଯାଇଥିଲା। ପ୍ରମୋଦିନୀ ଏବଂ ସରୋଜଙ୍କ ବିବାହ ଯେକୌଣସି ଏସିଡ୍‌ ପୀଡ଼ିତାଙ୍କ ପୁନଃଥଇଥାନରେ ବହୁତ ବଡ଼ ଉପଲବ୍ଧି ବୋଲି ସୁଭଶ୍ରୀ କହିଛନ୍ତି।

ପୁନଃ ଥଇଥାନ ଓ କଠୋର ଆଇନର ଆବଶ୍ୟକତା ରହିଛି: ନମ୍ରତା

ଭୁବନେଶ୍ଵର: ଏସିଡ୍‌ ଆକ୍ରମଣର ଶିକାର ପୀଡ଼ିତାମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ସେମାନଙ୍କୁ ସହାୟତା ଏବଂ ପୁନଃ ଥଇଥାନ କରାଯିବା ଜରୁରୀ। ଏହାସହିତ ଏସିଡ୍‌ ବିକ୍ରି ଉପରେ କଟକଣା ଓ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ ଲାଗି କଠୋର ଆଇନ ଅଣାଯିବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ମହିଳା ଆୟୋଗର ପୂର୍ବତନ ସଦସ୍ୟ ତଥା ମହିଳା ଅଧିକାର ଅଭିଯାନର ସଂଯୋଜକ ନମ୍ରତା ଚଢ଼ା।

ନମ୍ରତା କହିଛନ୍ତି, ଏସିଡ ପୀଡ଼ିତାଙ୍କୁ ପୁନଃଥଇଥାନ ଏବଂ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ପ୍ରସଙ୍ଗରେ ବହୁତ କମ୍‌ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ପୂରା ଦେଶରେ ୨୦୧୪ରୁ ୨୦୧୮ ମଧ୍ୟରେ ୭୦୦ରୁ ଅଧିକ ଏସିଡ୍‌ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଉତ୍ତର ପ୍ରଦେଶରେ ୨୬୦, ପଶ୍ଚିମବଙ୍ଗରେ ୨୪୮, ଦିଲ୍ଲୀରେ ୧୧୪, ମଧ୍ୟପ୍ରଦେଶରେ ୫୯, ଓଡ଼ିଶାରେ ୫୨, ପଞ୍ଜାବରେ ୫୦, ଆନ୍ଧ୍ରପ୍ରଦେଶରେ ୪୭, ହରିୟାଣାରେ ୪୬, ବିହାରରେ ୩୯ ଏବଂ ଗୁଜରାଟରେ ୩୭ ମାମଲା ରହିଛି। ସରକାରୀ ସୂତ୍ରରୁ ଏହି ତଥ୍ୟ ମିଳିଛି। କିନ୍ତୁ ବାସ୍ତବରେ ଏହା ଅଧିକ ହେବ ବୋଲି ଆକଳନ କରାଯାଉଛି।

ଏକ ରିପୋର୍ଟ ଆଧାରରେ ନମ୍ରତା କହିଛନ୍ତି ଯେ, ଓଡ଼ିଶାରେ ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ୭୦ ଏସିଡ୍‌ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ, ୪୪ ପ୍ରତିଶତ ଏସିଡ୍‌ ପୀଡ଼ିତା କେବଳ ଉତ୍ତର ଭାରତର ହୋଇଥିବାବେଳେ ୨୭ ପ୍ରତିଶତ ପୀଡ଼ିତା ପୂର୍ବ ଭାରତର। ଓଡ଼ିଶା ପୂର୍ବ ଭାରତର ଏକ ରାଜ୍ୟ। ଆଇନ ଅନୁସାରେ ଏସିଡ୍‌ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଅଥବା ଆଜୀବନ କାରାଦଣ୍ଡ ହୋଇପାରେ। ବଜାରରେ ଏସିଡ୍‌ ଉପଲବ୍ଧତା ଉପରେ ବି କଠୋର ଆଇନ ଅଣାଯିବା ଦରକାର। ଏଥିଲାଗି ସୁପ୍ରମକୋର୍ଟଙ୍କ ଗାଇଡ୍‌ଲାଇନ ରହିଛି।

Comments are closed.