ଅଖଣ୍ଡ ଭାରତର ଆଦ୍ୟ ଉଦ୍ୟୋକ୍ତା ସର୍ଦ୍ଦାର ବଲ୍ଲଭଭାଇ ପଟେଲ

ନୂତନ ଭାରତର ନବକଳ୍ପନାକୁ ଚରିତାର୍ଥ କରିବା ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଥିଲା ଅନିବାର୍ୟ୍ୟ। ଯଦିଓ ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପ୍ରାଦେଶିକ ସରକାରଗୁଡିକୁ ସାମ୍ବିଧାନିକ ସ୍ୱୀକୃତି ମିଳିଥିଲା ତଥାପି ଦେଶର ବିଭିନ୍ନ ପ୍ରାନ୍ତରେ ସମୟ ଅସମୟରେ ଉପୁଜିବାକୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁୁଡିକୁ ସାହାଯ୍ୟ କରିବା ସକାଶେ ଏକ ସଂଘୀୟ ଦାୟିତ୍ୱବୋଧ ମଧ୍ୟ ଅନୁଭବ କରିଥିଲେ ସର୍ଦ୍ଦାର ପଟେଲ।

 

ଏ ମାଟି ଅନେକ ଦିଗଦ୍ରଷ୍ଟାଙ୍କୁ ଜନ୍ମ ଦେଇଛି। ସେମାନଙ୍କ ମଧ୍ୟରେ ଅନ୍ୟତମ ସ୍ଥାନ ଅଧିକାର କରନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଦେଶସେବା ଥିଲା ତାଙ୍କ ପାଇଁ ମହାର୍ଘ୍ୟସମ। ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ଥିଲା ତାଙ୍କ ପାଇଁ ଦିଗବାରେଣି। ତାକୁ ହିଁ ଆଧାର କରି ସେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଚିତ ଦିଗ ବାରି ପାରୁଥିଲେ ଓ ତଦନୁଯାୟୀ ସ୍ୱାଧୀନ ଭାରତର ସମର୍ଥ ମଙ୍ଗୁଆଳ ସାଜି ଦେଶର ଗତିପଥକୁ ସେହି ଆଡକୁ ମୋଡି ଦେଇପାରୁଥିଲେ।

ସ୍ୱାଧୀନତା ପରେ ପରେ ୫୬୦ରୁ ଊର୍ଦ୍ଧ୍ବ ଦେଶୀୟ ରାଜ୍ୟଗୁଡିକୁ ଭାରତ ଭୂଖଣ୍ଡରେ ବିଲୀନ କରାଇବା ପୂର୍ବକ ଏକ ଅଖଣ୍ଡ ଭାରତର ମୂଳଦୂଆ ପକାଇବାରେ ସର୍ଦ୍ଦାର ପଟେଲଙ୍କ ଅନନ୍ୟ ଅବଦାନ ସର୍ବଜନବିଦିତ। ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ଭାବରେ ସେ ପ୍ରଥମେ ଏକ ବହୁଧା ବିଭକ୍ତ ‘ଗୃହ’ (ଭାରତ)କୁ ଐକ୍ୟବଦ୍ଧ କରିଥିଲେ ଗଡ଼ଜାତ ମିଶ୍ରଣ ମାଧ୍ୟମରେ। ଏଭଳି ଏକୀକରଣ କାର୍ୟ୍ୟର ପ୍ରମୁଖ ଅନ୍ତରାୟ ଥିଲା ଆଭ୍ୟନ୍ତରୀଣ ବିଦ୍ୱେଷ ଓ ବ୍ୟୁତ୍ପାତ। ଏକତା ହିଁ ବଳ ହୋଇଥିଲେ ମଧ୍ୟ ସେହି ଶକ୍ତିର ସଉତୁଣି ସାଜିଥାଏ ସଂକୀର୍ଣ୍ଣ ସ୍ୱାର୍ଥ ଓ ଆତ୍ମକୈନ୍ଦ୍ରିକ ଅଭିସନ୍ଦିତ୍ସା। ଏପରିକି ଏକ ସମ୍ଭାବନାର ପୃଷ୍ଠଭୂମିରେ ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟି ପଡିଥିଲା ବ୍ରିଟିଶ ଶାସନାଧିନ ଭାରତରେ ଗଠିତ କ୍ରାଉନ ରିପ୍ରେଜେନ୍ଟେଟିଭସ୍ ପୁଲିସ ବା ସିଆରପି ଉପରେ। ତାଙ୍କରି ଇଙ୍ଗିତରେ ନିଜର ଦିଗ ବଦଳାଇ ଆଜିଦେଶର ଆଭ୍ୟନ୍ତରୀଣ ସୁରକ୍ଷାର ଗୁରୁଭାର ବହନ କରିଚାଲିଛି ସିଆରପିଏଫ ବା ସେଣ୍ଟ୍ରାଲ ରିଜର୍ଭ ପୁଲିସଫୋର୍ସ ଭାବରେ।

୧୯୩୯ ମସିହା ଜୁଲାଇ ୨୭ ତାରିଖ ଦିନ ମଧ୍ୟପ୍ରଦେଶର ନିମଚଠାରେ ବ୍ରିଟିଶ ସରକାର ଗଠନ କରିଥିଲେ ଗୋଟିଏ ବାଟାଲିୟନ ବିଶିଷ୍ଟ କ୍ରାଉନ ରିପ୍ରେଜେନ୍ଟେଟିଭସ୍ ପୁଲିସ। ଏହାର ପ୍ରଥମ ପୁଲିସ ମହାନିରୀକ୍ଷକ ଥିଲେ ଏଜି ଫିଲିପ୍ପ। ଏହା ପଛର ଉଦ୍ଦେଶ୍ୟ ଥିଲା ଦେଶୀୟ ରାଜ୍ୟ ନୁହଁ ବରଂ ବ୍ରିଟିଶ ଅନୁଗାମୀ ଦେଶୀୟ ରାଜାମାନଙ୍କୁ ପ୍ରଜାଦମନ କାର୍ୟ୍ୟରେ ସାହାଯ୍ୟ କରିବା ଓ ସେସବୁ ଅଞ୍ଚଳରେ ବ୍ରିଟିଶ ନାଗରିକଙ୍କୁ ସୁରକ୍ଷା ଦେବା। ଏହାର ନାମକରଣ ମଧ୍ୟ ତାହା ହିିଁ ସୂଚିତ କରୁଥିଲା-କ୍ରାଉନ ରିପ୍ରେଜେନ୍ଟେଟିଭସ୍ପୁଲିସ ବା (ଇଂଲଣ୍ଡ) ରାଜାଙ୍କ ପ୍ରତିନିଧିଙ୍କ ପୁଲିସ। ବ୍ରିଟିଶ ସରକାରଙ୍କ ସ୍ୱାର୍ଥସାଧନ ପାଇଁ ଦେଶର ଜନସାଧାରଣଙ୍କ ଦମନ ସକାଶେ ଉଦ୍ଦିଷ୍ଟ ସିଆରପି ଭଳି ଏକ ପୁଲିସ ବଳ ପାଇଁ ଯେ କେହି ସ୍ୱାଭିମାନୀ ସ୍ୱଦେଶୀ ହୁଏତ ସ୍ୱାଧୀନତା ପରେ ପରେ ହଁ ଏହାର ମୃତ୍ୟୁ ଲେଖ ଲେଖିଦେଇଥାନ୍ତା। କିନ୍ତୁ ଦିଗଦ୍ରଷ୍ଟା ସର୍ଦ୍ଦାର ପଟେଲ ଠିକ ଏହାର ବିପରୀତ କାର୍ୟ୍ୟଟି କଲେ। ସେଥିରେ ନୂତନ ଜୀବନ ଓ ଯୌବନ ସଞ୍ଚାର କଲେ। ୧୯୪୭ ସ୍ୱାଧୀନତା ପରେ ଦେଶର ଗୃହମନ୍ତ୍ରୀ ଭାବରେ ବ୍ରିଟିଶ ସରକାରଙ୍କ ପ୍ରଜାବିରୋଧୀ ପୁଲିସ ବାହିନୀଙ୍କୁ ନିୟୋଜିତ କଲେ ପ୍ରଜାହିତ ପାଇଁ।

ସେତେବେଳେ ଦେଶ ବିଭାଜନର ବିଷକ୍ରିୟା ବ୍ୟାପି ଯାଇଥିଲା ଦେଶର ଅନେକ ଅଞ୍ଚଳକୁ। ହିଂସାତ୍ମକ କାର୍ୟ୍ୟକଳାପ ଗ୍ରାସ କରିବାକୁ ବସିଲା ଦେଶର ଶାନ୍ତି ଓ ଏକତା ଦିଗରେ। ଆଇନ ଶୃଙ୍ଖଳାର ଏପରିସ୍ଥିତିରେ ସୁଧାର ଆଣିବା ପାଇଁ ସର୍ଦ୍ଦାର ପଟେଲ ସିଆରପିର ସଶକ୍ତିକରଣ ମଧ୍ୟ କଲେ ଆଉ ତାର ମୋଡ ବଦଳାଇଥିଲେ। ୧୯୪୮ ମସିହାରେ ଏଥିପାଇଁ ଗଠିତ ହେଲା ଆଉ ଏକ ବାଟାଲିୟନ। ଦେଶ ବିଭାଜନ ଓ ଦେଶୀୟ ରାଜ୍ୟ ମିଶ୍ରଣ ପ୍ରକ୍ରିୟା ପ୍ରସୂତ ଜଟିଳ ଓ କୂଟୀଳ ପରିସ୍ଥିତି ନିୟନ୍ତ୍ରଣରେ କ୍ରାଉନ ରିପ୍ରେଜେନ୍ଟେଟିଭସ୍ ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେଲା ସର୍ଦ୍ଦାର ପଟେଲଙ୍କ ତତ୍ତ୍ୱାବଧାନରେ। ନୂତନ ଭାରତର ନବକଳ୍ପନାକୁ ଚରିତାର୍ଥ କରିବା ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଥିଲା ଅନିବାର୍ୟ୍ୟ। ଯଦିଓ ଆଭ୍ୟନ୍ତରୀଣ ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ପ୍ରାଦେଶିକ ସରକାରଗୁଡିକୁ ସାମ୍ବିଧାନିକ ସ୍ୱୀକୃତି ମିଳିଥିଲା ତଥାପି ଦେଶର ବିଭିନ୍ନ ପ୍ରାନ୍ତରେ ସମୟ ଅସମୟରେ ଉପୁଜିବାକୁ ଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟଗୁୁଡିକୁ ସାହାଯ୍ୟ କରିବା ସକାଶେ ଏକ ସଂଘୀୟ ଦାୟିତ୍ୱବୋଧ ମଧ୍ୟ ଅନୁଭବ କରିଥିଲେ ସର୍ଦ୍ଦାର ପଟେଲ। ଏହି ଦାୟିତ୍ୱବୋଧରୁ ହିଁ ଜନ୍ମ ନେଲା ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ। ଭାରତରେ ବ୍ରିଟିଶ ନାଗରିକଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ପୁଲିସ ବଳକୁ ଭାରତୀୟ ନାଗରିକଙ୍କ ସେବା ପ୍ରତି ସମର୍ପିତ କରାଇବାର ସଂକଳ୍ପ।

୧୯୪୯ରେ ଭାରତୀୟ ସଂସଦରେ ସିଆରପିଏଫ ବିଧେୟକ ଉପସ୍ଥାପିତ କଲାବେଳେ ସର୍ଦ୍ଦାର ପଟେଲ କହିଥିଲେ – କ୍ଷମତା ହସ୍ତାନ୍ତର ପାଇଁ ରାଜନୈତିକ ବୁଝାମଣା ଫଳରେ ଏହି ଫୋର୍ସ କେନ୍ଦ୍ର ସରକାରଙ୍କ ଅଧିନକୁ ଆସିଲା। ସେବେଠାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ବିଭିନ୍ନ ରାଜ୍ୟରେ ଏହାକୁ ନିୟୋଜିତ କରୁଛୁ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ଚାହିଦା ପୂରଣ ପାଇଁ ଏକ ରିଜର୍ଭ ଫୋର୍ସ ଭାବରେ ଏହା ଅନେକ ଉପାଦେୟ କାର୍ୟ୍ୟ କରିଛି। ୧୯୪୯ରେ ସିଆରପିଏଫ ଏକ ବିଧିବଦ୍ଧ ପୁଲିସ ଫୋର୍ସ ଭାବରେ ଆବିର୍ଭାବ ହୋଇ ନିଜକୁ ପ୍ରତିଷ୍ଠିତ କରିିବାରେ ଲାଗିଲା। ସର୍ଦ୍ଦାର ପଟେଲ ହିଁ ଏହି ପୁଲିସ ଫୋର୍ସକୁ ୧୯ ମାର୍ଚ୍ଚ ୧୯୫୦ ମସିହାରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ, ରାଷ୍ଟ୍ରପତିଙ୍କ ଧ୍ୱଜ ବା ପ୍ରେସିଡେନସିଆଲ କଲର୍ସ ପ୍ରଦାନ ପୂର୍ବକ। ସଂହତିପ୍ରୀୟ ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟିର ଏହା ଏକ ଜୀବନ୍ତ ପ୍ରତୀକ ନୁହଁ କି?

(ଡ. ଗିରୀଶ ଚନ୍ଦ୍ର ଦାଶ)

Comments are closed.