ସର୍ଦ୍ଦାର ପଟେଲ ଥିଲେ ଦୃଢ଼ମନା ଓ ଦୂରଦର୍ଶୀ ନେତା – ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ସର୍ଦ୍ଦାର ପଟେଲଙ୍କୁ ଲୌହପୁରୁଷ, ଆଇରନ ମ୍ୟାନ କୁହାଯାଉଥିଲା। କାରଣ ତାଙ୍କ ବ୍ୟକ୍ତିତ୍ୱରେ ଶକ୍ତି ତଥା ଦୃଢ଼ତା ପ୍ରକଟିତ ହୋଇଥିଲା। ଅନ୍ୟମାନଙ୍କ ପ୍ରତି ସର୍ଦ୍ଦାରଙ୍କ ମନରେ କୋମଳତା ରହିଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ କୌଣସି ନିଷ୍ପତି ନେବା କ୍ଷେତ୍ରରେ ସେ ବେଶ ଦୃଢ଼ ଥିଲେ ବୋଲି କହିଛନ୍ତି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ଓଡ଼ିଶା ଶାଖା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୫ତମ ଜୟନ୍ତୀ ଅବସରରେ ଆୟୋଜିତ ‘ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ : ଏକତାର ମହାନ ସୂତ୍ରଧର’ ଶୀର୍ଷକ ୱେବିନାରରେ ରାଜ୍ୟପାଳ ଏହା କହିଛନ୍ତି।

ଆଧୁନିକ ଅଖଣ୍ଡ ଭାରତର ନିର୍ମାତା ଲୌହପୁରୁଷଙ୍କ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରି ରାଜ୍ୟପାଳ ଆହୁରି କହିଛନ୍ତି ଯେ ବର୍ଦ୍ଦୋଲିରେ ଯେଉଁ ସତ୍ୟାଗ୍ରହ ହୋଇଥିଲା, ସେଥିରେ ବ୍ରିଟିଶ ସାମ୍ରାଜ୍ୟବାଦୀ ଶାସକମାନେ ସେଠାକାର କୃଷକମାନଙ୍କ ଉପରେ ଲାଗୁ କରିଥିବା ଟିକସ ବୋଝକୁ ଉଚ୍ଛେଦ କରିବା ଦାବିରେ ଶାନ୍ତିପୂର୍ଣ୍ଣ ଭାବେ, ଅହିଂସା ମାର୍ଗରେ ସର୍ଦ୍ଦାର ପଟେଲ ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏଥିରେ ମିଳିଥିବା ସଫଳତା ପରେ ଦେଶର ଜନସାଧାରଣ ତାଙ୍କୁ ସର୍ଦ୍ଦାର ନାମରେ ସମ୍ବୋଧିତ କରିଥିଲେ। ଏବେ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଗୁଜରାଟର ସର୍ଦ୍ଦାର ସରୋବର ନଦୀବନ୍ଧ ନିକଟରେ ବିଶ୍ୱର ସବୁଠୁ ବଡ଼ ୧୮୨ ମିଟର ଉଚ୍ଚ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାଣ କରାଯାଇଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛିବର୍ଷ ପୂର୍ବେ ଉଦଘାଟନ କରିଛନ୍ତି। ଅଖଣ୍ଡ ଭାରତର ରାଷ୍ଟ୍ର ନାୟକ ସର୍ଦ୍ଦାର ପଟେଲଙ୍କ ପ୍ରତି ଏହା ବାସ୍ତବ ଶ୍ରଦ୍ଧାଞ୍ଜଳି।

ସେ କହିଛନ୍ତି, ଷ୍ଟାଚ୍ୟୁ ଅଫ ୟୁନିଟି ସମଗ୍ର ବିଶ୍ୱକୁ ଆଉ ଏକ ବାର୍ତା ଦେଉଛି। ତାହା ହେଉଛି ବିବିଧତା ମଧ୍ୟରେ ଏକତା। ବିଶ୍ୱର ସବୁ ରାଷ୍ଟ୍ର ପରସ୍ପର ସହ ମିଶି ଏକଜୁଟ ହୋଇ ରହିପାରିବେ। ସେମାନେ ପାରସ୍ପରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ କରି ତଥା ପରସ୍ପରର ସ୍ୱତନ୍ତ୍ର ପରିଚୟକୁ ସଂରକ୍ଷିତ କରି ବିଶ୍ୱ ହିତ ପାଇଁ ଏକତ୍ର ଭାବେ ବିକଶିତ ହୋଇପାରିବେ। ସର୍ଦ୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟି ପ୍ରତିମୂର୍ତି ମାଧ୍ୟମରେ ମାନନୀୟ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱକୁ ଏହି ବାର୍ତା ଦେବା ଲାଗି ପ୍ରୟାସ କରୁଛନ୍ତି ବୋଲି ବୋଲି ରାଜ୍ୟପାଳ କହିଥିଲେ। ସର୍ଦ୍ଦାର ପଟେଲଙ୍କ ବ୍ୟକ୍ତିତ୍ୱ ବିଷୟରେ ବର୍ଣ୍ଣନା କରି ରାଜ୍ୟପାଳ ପୁଣି କହିଥିଲେ ଯେ ସର୍ଦ୍ଦାର ସାହାବଙ୍କ ମଧ୍ୟରେ ଛତ୍ରପତି ଶିବାଜୀଙ୍କ ଭଳି ଦୂରଦର୍ଶୀତା, କୌଟିଲ୍ୟଙ୍କ ଭଳି କୂଟନୈତିକ ବୁଦ୍ଧି ସମାହିତ ହୋଇ ରହିଥିଲା। ଭାରତୀୟ ପ୍ରଶାସନିକ ସେବାକୁ ସେ ରାଜଭକ୍ତିରୁ ରାଷ୍ଟ୍ରଭକ୍ତି ରୂପରେ ରୂପାନ୍ତରିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ରାଜ୍ୟ ସୂଚନା କମିଶନର ଦିଲିପ କୁମାର ବିଶୋୟୀ କହିଥିଲେ ଯେ ଦେଶୀୟ ରାଜ୍ୟଗୁଡ଼ିକୁ ମୂଳ ଭୂଖଣ୍ଡ ସହିତ ମିଶାଇ ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ପ୍ରମୁଖ ଭୂମିକା ରହିଥିଲା। ଭାରତୀୟ ପ୍ରଶାସନିକ ସେବାକୁ ସେ ସଂଗଠିତ କରିପାରିଥିଲେ। ଦେଶର ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ସେ ଦୃଢ଼ କରିଥିଲେ। ପଟେଲଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାରତ ଗଠନ କରିବା ଲାଗି ଦେଶବାସୀ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ବିଶୋୟୀ କହିଥିଲେ। ଅନୁରୂପ ଭାବେ ଭୁବନେଶ୍ୱରସ୍ଥିତ ଆଂଚଳିକ ଶିକ୍ଷା ସଂସ୍ଥାନର ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ରାଷ୍ଟ୍ର ଏକତ୍ରୀକରଣ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ବକ୍ତା ଭିମସାର, ସମ୍ବଲପୁର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡା. ଶଶିକାନ୍ତ ମହାପାତ୍ର ସର୍ଦ୍ଦାର ପଟେଲଙ୍କ ରାଜନୈତିକ ଦୂରଦୃଷ୍ଟି ଓ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ। ଆରଓବିର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ସର୍ଦ୍ଦାର ପଟେଲଙ୍କ ଜୀବନାଦର୍ଶ ଏବଂ ରାଷ୍ଟ୍ରଗଠନରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ୱେବିନାରରେ ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

Comments are closed.