ସର୍ବେ ସନ୍ତୁ ନିରାମୟା

— ‘‘ଜନ୍ତୂନାଂ ମରଣାତ୍‌ ଭୟଂ’’। ପ୍ରାଣୀ ମାତ୍ରେ ମୃତ୍ୟୁ ଭୟ ଅଛି। ସଂସାରର ଯାବତୀୟ କାର୍ଯ୍ୟକ୍ରମ, ବିଚାର ବିଳାସରେ ରୋକ କାଇଁ? କାମନା, ବାସନା, ସ୍ବପ୍ନ ସବୁର ଅନ୍ତ କାଇଁ? ବୁଦ୍ଧ ପ୍ରମୁଖ ଯୁଗାବତାରମାନେ କାମନାର କୁହୁକ ଓ ଜାଲ କଥା ତୁହାଇତୁହାଇ କହୁଥିଲେ ବି କୋଉ କାହା ଦିହକୁ କି ମନକୁ ଇୟେ ଭେଦୁଛି? ମୃତ୍ୟୁ ଅଚାନକ ଆସୁଛି ବୋଲି, ଆମେ ଏକୁ ‘‘ଦୂରବର୍ତ୍ତୀ ମଣି’’ ଆମ ଅନ୍ଧାନୁସରଣରେ ବ୍ୟସ୍ତ, ବ୍ୟାପୃତ। ମୃତ୍ୟୁ ଆମକୁ ଜଣାଇ ଦିଆଯାଉ, ଏ ଫାଜିଲାମି ରହିବ ତ? ଚଉଠି ରାତି ପାଇଁ ନିଜକୁ ଝଲମଲିଆ ସଜଉଥିବା, ଭୋଜିଭାତର ଆସର କରୁଥିବା ଚବିଶ ବର୍ଷର ଭେଣ୍ଡିଆକୁ ଜଣେଇ ଦିଆଯାଉ, ‘‘ବାବୁରେ ଚଉଠି ପରଦିନ ସକାଳୁ ତୋର ମୃତ୍ୟୁ ଧାର୍ଯ୍ୟ।’’ ଏ ସବୁ ଆଡ଼ମ୍ବର ଠପ୍‌ ହୋଇଯିବ ନା ନାହିଁ ମ! କାଲି ସକାଳ ତ କେତେ ଡେରି ଅଛି। ମାତ୍ର ଏଇ ମୁହୂର୍ତ୍ତରୁ ସେ ଶବ ବନିଯିବ। ହାଣ୍ଡିଏ ଅମୃତରେ ଟୋପେ ବିଷ, ହାଣ୍ଡିକ ଯାକ ମାରା କରିଦେଲା ପରି, ସବୁ ସୁଖ ଅମୃତକୁ ମୃତ୍ୟୁଭୟ ବିଷ ବନେଇଦେବ। ଦେଖୁନାହାନ୍ତି ମ୍ୟାରୀ କୁଇନ ଅଫ୍‌ ସ୍କଟଙ୍କୁ। ଷୋଡ଼ଶବର୍ଷୀୟ ଯୌବନ ଝଲମଲ ଆକର୍ଷଣୀୟା ରାଜଜେମାଙ୍କୁ ଦିନରେ ଜଣାଇ ଦିଆଗଲା ଯେ କାଲି ସକାଳୁ ତାଙ୍କ ମୁଣ୍ଡ କାଟ ହେବ। ସକାଳୁ ଦେଖାଗଲା ତାଙ୍କ ମୁଣ୍ଡର ସାରା କେଶ ବୁଢ଼ୀଙ୍କ ପରି ପାଚି ଯାଇଛି। ମୃତ୍ୟୁ ଡରର କି ମାନସିକ ଯନ୍ତ୍ରଣା ୟେ। ଏକୁ ହେୟଜ୍ଞାନ କରିବା ଲୋକ ଯେ ନାହାନ୍ତି ତା’ ନୁହଁ, ମାତ୍ର ସେମାନେ ଏଇ ଆମତମ କିସମର ଲୋକ-ପୋକ ନୁହନ୍ତି, ଏମାନେ କେବଳ ଖାଇବା, ହଗିବା, ଶୋଇବାକୁ ଜୀବନ ବୋଲି ବୁଝିଛନ୍ତି। ଧର୍ଷଣ କରି ଜଣେ ଅବଳାକୁ ମାରିଲ, ମାତ୍ର ଅନୁତାପ ଓ ଲାଜ କାଇଁ? ବରଂ ଦେଖୁନାହାନ୍ତି ଏଙ୍କୁ ଫାଶୀରୁ ମୁକୁଳାଇବାକୁ କି କସରତ, ବାକ୍‌ ବିତଣ୍ଡା!
ପାକିସ୍ତାନର ମହାପ୍ରତାପୀ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟୋଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରାଗଲା। ବିଚାର ଚାଲିଲା। ଶେଷରେ ଫାଶୀ ଦିଆଗଲା। ତାଙ୍କୁ ଫାଶୀ ଖୁଣ୍ଟକୁ ନେବାକୁ ଜିଅଲ କର୍ତ୍ତୃପକ୍ଷଙ୍କୁ ଯେମିତି ନାକେଦମ ହେବାକୁ ହୋଇଥିଲା, ତା’ ଆଉ କାଇଁ ଘଟିନି। ତାଙ୍କୁ ଯେ ଫାଶୀ ଦିଆଯାଇ ପାରିବ, ଏକଥା ତାଙ୍କ ମୋହାନ୍ଧତା ଗ୍ରହଣ କରିପାରୁ ନ ଥିଲା। ତାଙ୍କୁ ଜବରଦସ୍ତ ଷ୍ଟ୍ରେଚରରେ ବାନ୍ଧି, ଫାଶୀଖୁଣ୍ଟରେ ଟଙ୍ଗାଗଲା। କି ଦୟନୀୟ ଏ ପରିଣତି ଓ ଭାବ! ମାତ୍ର ସକ୍ରେଟିସ, ଯିଶୁଖ୍ରୀଷ୍ଟ, ସାର୍‌ ୱାଲଟର ରାଲେ ଓ ସହିଦ ଉଦ୍ଦାମ ସିଂ ମୃତ୍ୟୁକୁ ଯେମିତି ଆଲିଙ୍ଗନ କଲେ, ତା’ର ପଟାନ୍ତର କାଇଁ? କବିଙ୍କ ଭାଷାରେ ସେମାନେ ମରଣକୁ କହିଲେ, ‘‘ହେ ପ୍ରତାପୀ ମରଣ! ତମେ ଆମ ହାତରେ ମରିବ।’’ ‘‘Death thou shalt die.’’ ସକ୍ରେଟିସଙ୍କ ହେମଲକ୍‌ ବିଷପିଆ କଥା, ୱାଲଟର ରାଲେ ତାଙ୍କ ଘାତକକୁ କୁରାଢ଼ି ଚୋଟ ଭଲରେ ବସାଇବାକୁ ସାହାଯ୍ୟ କରିବା କଥା ତ ଆମକୁ ଆଜି ଅବିଶ୍ବସନୀୟ। ଏ ପ୍ରସଙ୍ଗସବୁ ବାରମ୍ବାର ଏ ସ୍ତମ୍ଭରେ ବର୍ଣ୍ଣିତ। ପୁଣି ଗୁଡ଼େ ଫେଣେଇଲେ କ’ଣ ହେବ? କାଣ୍ଡନଳିଆଗୁଡ଼ା କୁ ପଦ୍ମତୋଳା ଶୁଣିବେ, ବୁଝିବେ କି ହେଜିବେ? ୟେ ତ ନାଗ କି ନାଗବଚାର ବିଷୟ। ପୁରାଣ କଥା। ରାଜାଙ୍କୁ ସର୍ପ ଦଂଶନରେ ମୃତ୍ୟୁର ମୁନି ଅଭିଶାପ ମିଳିଲା। ରାଜା ଢେର ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କଲେ। ଆମେ ଓ ଆମ ସରକାର ବାଜି ଲଗେଇ ଏ ‘କରୋନା’ ମୃତ୍ୟୁଦୂତକୁ ପ୍ରତିହତର ବ୍ୟବସ୍ଥା କଲାଭଳି। ଆହୁରି କଡ଼ା ବ୍ୟବସ୍ଥା। ମାତ୍ର ରାଜାଙ୍କ ଫୁଲ ସଉକି, ଫୁଲ ପ୍ରଭୁଙ୍କୁ ଦେବା ବ୍ୟବସ୍ଥାରେ ଫୁଲ ଭିତରେ କାଳସର୍ପ ପଶି ଆସିଲା। ଦଂଶିଲା, ମାଇଲା। ସେ ବି ମଲେ। ମହାଭାରତ ଯୁଦ୍ଧ ପରେ, ପରୀକ୍ଷିତଙ୍କୁ କେବଳ ବିଧବା ଓ ମହିଳା ରାଜ୍ୟକୁ ଶାସନ କରିବାକୁ ହେଲା। ପ୍ରାୟ ସବୁ ଘରୁ ପୁରୁଷ ଲୋପ ପାଇଯାଇଥିଲେ। ଏପରିକି ବାଳକ ଅଭିମନ୍ୟୁ ମଧ୍ୟ ଯୁଦ୍ଧରେ ପ୍ରାଣ ଦେଲେ, ଅନ୍ତଃସତ୍ତ୍ବା ସ୍ତ୍ରୀକୁ ଦାରୁଣ ବୈଧବ୍ୟ ଦେଇ। ବ୍ୟଥିତ ଓ ମାନସିକ ଆହତ ପରୀକ୍ଷିତଙ୍କ ସହ ବ୍ୟାସଦେବଙ୍କ ସାକ୍ଷାତ ହେଲା। ଅଷ୍ଟାଦଶ ପୁରାଣ ରଚୟିତା ଭଗବାନଙ୍କ ଏ ଅଂଶାବତାରଙ୍କୁ ପରୀକ୍ଷିତ ବଡ଼ କଠୋର ଭାବେ ସମାଲୋଚନା କଲେ। ‘‘ସର୍ବକ୍ଷମ ଭଗବାନ କୃଷ୍ଣ ଓ ଆପଣଙ୍କ ଭଳି ତ୍ରିକାଳଜ୍ଞ ଥାଉଥାଉ ଆପଣମାନେ ଦୁଇଦଳ ଭାଇଙ୍କ ମଧ୍ୟରେ ଆପୋସ ବୁଝାମଣା କରାଇ ପାରିଲେନି? ଏତେ ବଡ଼ ଯୁଦ୍ଧ ଓ ମରଣ ଯଜ୍ଞ କରି କି ଦାରୁଣ ଓ ଦୟନୀୟ ଅବସ୍ଥା ସୃଷ୍ଟି କରିଦେଲେ? ୟେ ସବୁ ଆପଣମାନେ ଜାଣିଶୁଣି କରିଛନ୍ତି।’’ ଏକ ବିଷଣ୍ଣତାର ସ୍ମିତହସରେ ବ୍ୟାସଦେବ କହିଲେ ‘‘ୟେ କର୍ମାନୁଗତ ଫଳ ଓ ବିଧି ନିର୍ଦିଷ୍ଟ’’। ପୁଣି ଅଧିକ ପରୀକ୍ଷିତ କହିବାରୁ, ବ୍ୟାସ କହିଲେ, ‘‘ହେ ପଣ୍ଡିତେ! ମୁଁ ତମକୁ ତିନିଟି କଥା କରିବାକୁ ମନା କରୁଛି। ତମେ କିନ୍ତୁ ତା’ କରିବ ଓ ପରିଣତିରେ କୁଷ୍ଠରୋଗ ଅଭିଶାପରେ କୁଷ୍ଠରୋଗ ଭୋଗିବ। ତମେ ମହାରାଜର ଅଭିମାନରେ କେବେ ବି ଅଶ୍ବମେଧ ଯଜ୍ଞ କରିବ ନାହିଁ, କିନ୍ତୁ ତମେ କରିବ। ଯଦି ବି ଯଜ୍ଞ କଲ ସେଥିରେ ତାମ୍ରବର୍ଣ୍ଣୀ ଅଶ୍ବ ବ୍ୟବହାର କରିବନି,। ମାତ୍ର ତମେ ତା’ କରିବ। ଯଦି ବା ଯଜ୍ଞ କି ଅଶ୍ବମେଧ ଯଜ୍ଞ କରିବ ସେଥିରେ ବିକଳାଙ୍ଗ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ରୂପେ ବରଣ କରିବନି, ମାତ୍ର ତମେ ତା’ କରିବ। ଫଳରେ ରାଜ୍ୟରେ ବିଦ୍ବାନ, ସୁପୁରୁଷ ବ୍ରାହ୍ମଣମାନେ ଅସନ୍ତୁଷ୍ଟ ହୋଇ ତମକୁ କୁଷ୍ଠରୋଗ ଅଭିଶାପ ଦେବେ। ହଉ ଯାଉଚି। ପରେ ଦେଖା ହେବା।’’

ପରୀକ୍ଷିତ ମୋଟେ ଯଜ୍ଞ ନ କରିବା ପ୍ରତିଜ୍ଞା କରିଥିଲେ ମଧ୍ୟ କିପରି ଗୋଟିଏ ପରେ ଗୋଟିଏ ସର୍ତ୍ତ ଉଲ୍ଲଙ୍ଘନ କରି କୁଷ୍ଠରୋଗାକ୍ରାନ୍ତ ହେଲେ ତା’ର ଦାରୁଣ, କରୁଣ ବର୍ଣ୍ଣନା ପୁରାଣରେ ଅଛି। ଦଶ ବର୍ଷ ପରେ ବ୍ୟାସ କୁଷ୍ଠରୋଗଗ୍ରସ୍ତ ରାଜାଙ୍କୁ ଭେଟିଲେ। ପରୀକ୍ଷିତ ନିଜ ଭ୍ରମାତ୍ମକ ଧାରଣା ବୁଝିସାରିଥିଲେ। ସେମିତି ସବୁକଥା। ମୃତ୍ୟୁ ଓ ବିପଦ ଜୀବ ମଧ୍ୟରେ ଆତଙ୍କ ସୃଷ୍ଟିକରେ। ଆଉ ଏ ଆତଙ୍କ ମରଣକୁ ଅଧିକ ଭୟାନକ ଓ ନିକଟତର କରିଦିଏ। ଏମିତି ବିପଦ ସମୟରେ ଫାଇଦା ଉଠାଇବା ପାପିଷ୍ଠଙ୍କ ସଂଖ୍ୟା ବି କୁ କମ୍‌ କି? ସେଗୁଡ଼ା ବେଶୀ ଦୟନୀୟ, ଅଜ୍ଞାନ। ଶାଗୁଣିଆ ଆନନ୍ଦ କି ଭୟଙ୍କର ସତେ! ଯେତେ ଶବ ପଡ଼ିବ ସେଗୁଡ଼ା ସେତେ ଉଲ୍ଲସିତ। ନିଜକୁ ଢେର ପରାକ୍ରମୀ ମନେ କରୁଥିବା ରାଜା ପଡ଼ୋଶୀ ଗାଁଗଣ୍ଡା ଘରଦ୍ବାର ପୋଡ଼ି, ରକ୍ତରେ ହୋଲି ଖେଳି ବେଶ୍‌ ଆନନ୍ଦ ପାଉଥିଲେ। ଏମିତି ଏକ ରକ୍ତାକ୍ତ ରାଜ୍ୟଜୟ ନିଶାରେ ଏ ରାଜା ବାହାରିଥାନ୍ତି। ରାତି ହୋଇଗଲା। ଗୋଟେ ବଡ଼ ଗଛ ମୂଳେ ରାଜା ଓ ମନ୍ତ୍ରୀ ସସୈନ୍ୟ ରାତିଯାପିଲେ। ଗଛ ଉପରେ ଥିବା ଶାଗୁଣା ଓ ତାଙ୍କ ଶାବକମାନଙ୍କ ଚେଁଚାଁରେ ରାଜା ଶୋଇପାରିଲେ ନାହିଁ। ପକ୍ଷୀମାନଙ୍କ ଭାଷା ବୁଝିପାରୁଥିବା ମନ୍ତ୍ରୀଙ୍କୁ ପଚାରିଲେ, ‘‘ରାତି ହେଲାଣି, ନ ଶୋଇ ଏମାନେ କ’ଣ କିଚିରିମିଚିରି ହେଉଛନ୍ତି?’’ ମନ୍ତ୍ରୀ ସବିନୟ କହିଲେ, ‘‘ମଣିମା ଏ ଶାଗୁଣା ଓ ତା’ର ଶାବକମାନେ ଦୁଇଦିନ ହେବ ଖାଇନାହାନ୍ତି। ଭୋକରେ ମା’କୁ ଖୁମ୍ପି ପକଉଛନ୍ତି, କାନ୍ଦୁଛନ୍ତି। ମା’ କହୁଛି ‘‘ଆଜି ରାତିଟା ଧୈର୍ଯ୍ୟ ଧର। ଆମ ଗଛମୂଳେ ଯେ ଶୋଇଛନ୍ତି ସେ ଜଣେ ରକ୍ତ ପିପାସୁ ନରରାକ୍ଷସ। ଯୁଆଡ଼େ ଯାଆନ୍ତି ଶହଶହ ଶବ ଶାଗୁଣା ବିଲୁଆଙ୍କ ପାଇଁ ବ୍ୟବସ୍ଥା କରିଦିଅନ୍ତି। କାଲି ସିଏ ଆମ ପାଖ ଜମିଦାରୀ ଗାଁ ଦଖଲ କରିବେ। ଗାଁଟାଯାକର ଲୋକ ମରିବେ। କେତେ ଖାଇବ ଖାଅ। ମୁଁ କାଲି ତମ ପେଟ ଦେଖିବି।’’ ଶାଗୁଣା ଶାବକଗୁଡ଼ା କହିଲେ ମା’ ଏତେ ଲୋକଙ୍କ ରକତ​‌େ​‌ର ନାଲି ହୋଇଥିବା ଏ ଲୋକର ମାଉଁସ ଖାଆନ୍ତେନି? ମା’ କହିଲା ଚୁପ୍‌ ନିମକହାରାମଗୁଡ଼ା। ଯିଏ ଆମକୁ ଖାଦ୍ୟ ଦଉଛି ତାକୁ ଖାଇବା କଥା କହୁଚ? ନାଇଁ ମା’ ଆମେ ମଢ଼ ଖାଉ, ଯିଏ କାଳବଶରେ ମଲା, ସଂସ୍କାର ହୋଇ ପାରିଲାନି ତାକୁ ଖାଇବାକୁ ପ୍ରଭୁ ଆମକୁ ସୃଷ୍ଟି କରିଛି। ପ୍ରଭୁର ପରିବେଶ ସୁରକ୍ଷାରେ ଆମେ ଗୋଟେଗୋଟେ ଅନସ୍ବୀକୃତ ଜୀବ। ଶବ ପୋଚା ପୋକ ହବାକୁ ଦେବୁନି। ମାତ୍ର ହତ୍ୟାକାରୀ ଆମର ଭୋଜନଦାତା ନୁହଁ।’’ ମନ୍ତ୍ରୀଙ୍କଠୁ ଏକଥା ଶୁଣି ରାଜାଙ୍କର ଚୈତନ୍ୟ ଉଦୟ ହେଲା। ସେ ସକାଳୁ ନଅରକୁ ଫେରିଗଲେ। ଆଉ ଭାବୁଥିଲେ, ଏ ଶାବକଗୁଡ଼ାକ ସକାଳୁ କ’ଣ ଖାଇବେ କେଜାଣି?’’

ୟେ ହେଲା ଆମ ଦେଶ, ସଂସ୍କାର, ସଂସ୍କୃତି। ଏଠା ବାସିନ୍ଦାଙ୍କୁ କୁହାଯାଏ, ‘‘ଶୃଣ୍ବନ୍ତୁ ସର୍ବେ ଅମୃତସ୍ୟ ପୁତ୍ରାଃ’’। ‘‘ସର୍ବେ ସନ୍ତୁ ନିରାମୟା’’ ଏଠି ପ୍ରାର୍ଥନା କରାଯାଏ। କେତେ କରୋନା, କୋରଣା ଏଠି ପଛଗଳା ଖାଇଯିବେ। ମାତ୍ର ଆମେ ଆଜି ଆତଙ୍କିତ କିଆଁ? ପୃଥିବୀର ଏ ଲୋକ ସବୁ ଆମ ପଥପ୍ରଦର୍ଶକ ନୁହନ୍ତି। ଝିଟିପିଟି, ସାପ, ଜିଅନ୍ତା ମୂଷାପିଲାଙ୍କୁ ସସ୍‌ ମଡ଼େଇ କାଡ଼ୁକାଡ଼ୁ ଖାଉଥିବା ପଡ଼ୋଶୀ ଚୀନ ଭାଇମାନେ ଆମ ପଥପ୍ରଦର୍ଶକ ବନିଲେ, ଯାହା ହେବା କଥା ହଉଛି। ଆଲେକ୍‌ଜାଣ୍ଡାରଙ୍କୁ ତାଙ୍କ ଗୁରୁ ଆରିଷ୍ଟଟଲ କହିଥିଲେ, ‘‘ଭାରତ ଥରେ ଯିବୁ, ୟେ ଦେବତାର ଦେଶ’’। କରୋନା ଭୂତାଣୁ ଚୀନର ଉହାନ ସହରରୁ ବାହାରିଲା। ଖଣ୍ଡିଆ ଭୂତ ପରି ବିଶ୍ବ ମାଡ଼ିଗଲା ନା ମଡ଼ାଇ ଦିଆଗଲା ତା’ ଅନୁଧ୍ୟାନର କଥା। ଉହାନ ପାଖ ବେଜିଂ ଓ ତାଇୱାନରେ କେହି ଆକ୍ରାନ୍ତ ନ ହୋଇ ଆମେରିକା, ଇଟାଲୀ ଆଡ଼େ ୟେ ମୁହାଁଇଲା କେମିତି? ଚୀନ ସୃଷ୍ଟ ଏ ଭୂତାଣୁଗୁଡ଼ା ବୋଧେ ମାତୃଭୂମିପ୍ରେମୀ। ସେଗୁଡ଼ାକ ତେଣୁ ଚୀନ ସହ ଅପଡ଼ ଦେଶ ଆଡ଼େ କାମୁଡ଼ି ଗୋଡ଼ଉଛନ୍ତି। ମଣିଷଗୁଡ଼ା ବି କେମିତି ଅମଣିଷ ପରି ହଉଛନ୍ତି ଦେଖୁନା? ଘର ବୁଡ଼ି ପାଣି ଆଣ୍ଠିଏ ହେଲାଣି ପୁଅର ମୁଆଁଖିଆ ଛାଡ଼ିନି। ଆରେ ବିଶ୍ବବାସୀ ସ୍ତବ୍ଧ ଓ ଆତଙ୍କିତ। ଜନତାର ସୁରକ୍ଷା ଆହତ, ବ୍ୟାହତ। ନିରାପତ୍ତା ପରିଷଦ ୟା ଉପରେ ଆଲୋଚନା କରିବନି, ଦିଗ୍‌ଦର୍ଶନ ଦେବନି ତ ଆଉ କି ନିରାପତ୍ତା ଦେଖିବ? ‘କରୋନା’ ସମ୍ପର୍କିତ ଆଲୋଚନାକୁ ନିରାପତ୍ତା ପରିଷଦରେ ଚୀନ ରୋକ ଲଗାଇଲା ଓ ତାକୁ ରୁଷିୟା ଓ ଦକ୍ଷିଣ ଆଫ୍ରିକା ବି ସମର୍ଥନ କଲେ। ୟେ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ଭଳି ଘଟଣା।

ସେ ଯାହାହେଉ, ଭାରତବର୍ଷରେ ଉଦ୍ଭବ ଏ ପରିସ୍ଥିତିର ମୁକାବିଲା, ଆତଙ୍କିତ ଓ ସ୍ବାର୍ଥାନ୍ଧ ମାନସିକତାରେ ସମ୍ଭବ ନୁହଁ। ଆମ ସଂସ୍କାର, ସଂସ୍କୃତିକୁ ଲଙ୍ଘି ଏଇ ଅବସ୍ଥା। ଗୁରୁଠୁ କକା, ବୋପା, ମା’ ମାଇପ ସଭିଙ୍କ ସହ ‘ହାଣ୍ଡସେକ୍‌’ କରୁଥା। ଏଇଲେ ପଛ ଫାଟୁଛି କିଆଁ? ‘କରୋନା’ ପାଇଁ ଘୋଷିତ ସରକାରୀ ସାହାଯ୍ୟ ଓ ପ୍ରୋତ୍ସାହନ ପାଇବା ପାଇଁ ‘ଶାଗୁଣିଆ ଦଳ’ ଏଇଲେ ପଲାସି ଉଠୁଛନ୍ତି। ଧନ୍ୟରେ ଜୀବ। ରୋଗକୁ ଘୃଣା ହେଉ, ରୋଗୀଙ୍କୁ ଆଦୌ ନୁହଁ। ସହାନୁଭୂତି ଓ ସାବଧାନତା ତଥା ଭଗବତ୍‌ ଶରଣ ଏ ପରିସ୍ଥିତିକୁ ଏଡ଼ାଇ ଦେବ। ପତିତପାବନ ବାନା ଉଡ଼ିବା କ’ଣ ବନ୍ଦ ହେଲାଣି?? ତେବେ ଡର କିଆଁ? ପିଲାବେଳେ ଚକାଭଉଁରି ଖେଳିଲାବେଳେ ବୋଲୁ ‘‘ଡର କାହାକୁ ଭୟ କାହାକୁ ଠାକୁର ଅଛନ୍ତି ଚଉବାହାକୁ’’।
ସତରେ ଠାକୁର ଅଛନ୍ତି।

Comments are closed.