ଏଆଇସିସି ନୂତନ ସଂପାଦକ ପଦରେ ଶରତ ରାଉତ ନିଯୁକ୍ତ

0

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କୁ ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ପଦରେ ନିଯୁକ୍ତି ମିଳିଛି। ଏଆଇସିସି ପ୍ରେସ ବିଜ୍ଞପ୍ତି ଅନୁସାରେ ଶ୍ରୀ ରାଉତ ପଶ୍ଚିମବଙ୍ଗ କଂଗ୍ରେସ ସଂଗଠନ ସହପ୍ରଭାରୀ ଭାବେ କାର୍ଯ୍ୟ କରିବେ। ଶ୍ରୀ ରାଉତଙ୍କ ନୂତନ ନିଯୁକ୍ତି ପରେ ଏଆଇସିସିରେ ଓଡ଼ିଆ କଂଗ୍ରେସ ନେତାଙ୍କ ସଂଖ୍ୟା ଚାରିକୁ ବୃଦ୍ଧିପାଇଛି। ପୂର୍ବରୁ ରାମଚନ୍ଦ୍ର ଖୁଣ୍ଟିଆ ତେଲେଙ୍ଗାନା ପ୍ରଭାରୀ, ଡକ୍ଟର ବିଶ୍ୱ ରଞ୍ଜନ ମହାନ୍ତି ଗୁଜରାଟ ସହପ୍ରଭାରୀ ଏବଂ ଭକ୍ତ ଚରଣ ଦାସ ଏଆଇସିସି ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ଆଜି ଏଆଇସିସି ତରଫରୁ ଶ୍ରୀ ରାଉତଙ୍କ ସମେତ ନଅଜଣଙ୍କୁ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି।
୧୯୮୦ ମସିହାରେ ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଶ୍ରୀ ରାଉତ ଓଡ଼ିଶା ବିଧାନସଭାର ସର୍ବକନିଷ୍ଠ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମନ୍ତ୍ରିମଣ୍ଡଳରେ ପ୍ରଥମେ ସୂଚନା ଓ ଲୋକସଂପର୍କ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପାଇଥିଲେ। ୧୯୮୫-୯୦ ମଧ୍ୟରେ ପର୍ଯ୍ୟଟନ ଓ ସଂସ୍କୃତି ଏବଂ ଯୋଜନା ଓ ସମନ୍ନୟ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ କାର୍ଯ୍ୟ କରିଥିଲେ। ଗିରିଧାରୀ ଗମାଙ୍ଗଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। କଂଗ୍ରେସ ସଂଗଠନରେ ମଧ୍ୟ ଶ୍ରୀ ରାଉତ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ।
୧୯୮୪-୮୫ ବର୍ଷରେ ରାଜ୍ୟ ଯୁବ କଂଗ୍ରେସର ସଭାପତି ଏବଂ ୧୯୯୧ରେ ଅବିଭକ୍ତ କଟକ ଜିଲା କଂଗ୍ରେସ କମିଟି ସଭାପତି ଭାବେ ନିଯୁକ୍ତି ପାଇଥିଲେ। ଗତ ଅପ୍ରେଲରେ ପିସିସି ଇସ୍ତାହାର କମିଟିର ଆବାହକ ଭାବେ ନିଯୁକ୍ତି ପାଇଛନ୍ତି। ଗଣମାଧ୍ୟମ ସହ ଜଡ଼ିତ ଶ୍ରୀ ରାଉତ ପୂର୍ବରୁ ପିସିସି ମିଡିଆ ବିଭାଗର ମୁଖ୍ୟ ଦାୟିତ୍ୱ ତୁଲାଇବା ସହ ଏବେ ଦୈନିକ ସମ୍ବାଦପତ୍ର ‘ମନ୍ଥନ’ର ସଂପାଦକ ଭାବେ କାର୍ଯ୍ୟ କରୁଛନ୍ତି। ନୂତନ ନିଯୁକ୍ତି ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆସନ୍ତା ୨୮ରେ କଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଛାତ୍ର ପରିଷଦ ପ୍ରତିଷ୍ଠା ଦିବସରେ ଯୋଗଦେବା ପରେ ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବେ ବୋଲି ନବନିଯୁକ୍ତ ଏଆଇସିସି ସଂପାଦକ ଶରତ ରାଉତ ‘ସମାଜ’କୁ କହିଛନ୍ତି।

Leave A Reply